ଭୁବନେଶ୍ୱର: ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ । ସବୁ ପର୍ବର ନିଜ ନିଜର ଏକ ମହତ୍ତ୍ୱ ରହିଛି, ଯାହା ଆମର ସମୃଦ୍ଧ ଇତିହାସ ଓ ଐତିହ୍ୟ ସହିତ ଜଡ଼ିତ । ସେଇପରି ଏକ ପର୍ବ ବା ଆମ ଓଡ଼ିଆଙ୍କର ଗର୍ବ କହିଲେ ଚଳେ, ତାହା ହେଲା ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ମଧ୍ୟରେ ଉତ୍କଳ ଦିବସର ଗୁରୁତ୍ୱକୁ ବଜାୟ ରଖି ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିକୁ ସଚେତନ କରାଇବା ଉଦ୍ଦେଶ୍ୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଓଡ଼ିଆ ସଂସ୍କୃତି ଓ ଓଡ଼ିଶାର ପରିଚୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଏ । ଏଥରକ ଏକ "ଆନ୍ତଃ ସ୍କୁଲ ଓଡ଼ିଆ ବିତର୍କ ପ୍ରତିଯୋଗିତା'ରେ ବିଚାରପତି ଭାବେ ସାମିଲ ହେବାର ଏକ ସୁଯୋଗ ମିଳିଥିଲା, ଯେଉଁଥିରେ ପିଲାମାନଙ୍କର ବକ୍ତୃତା ଶୁଣି ମନେ ପଡ଼ିଯାଇଥିଲା ହଜିଲା ପିଲାଦିନ କଥା । ପିଲାମାନଙ୍କର ବକ୍ତୃତା ଶୁଣି ଗୁଗଲ୍ ଓ ଇଣ୍ଟରନେଟ ସୁବିଧାକୁ ମନେ ମନେ ଧନ୍ୟବାଦ ଦେଇଥିଲି, ଯାହାଦ୍ୱାରା ପିଲାମାନେ ବେଶ୍ ରୁଚିକର ତଥ୍ୟ ସହିତ ନିଜ ଯୁକ୍ତି ଉପସ୍ଥାପନ କରୁଥିଲେ । ସେଇ ପ୍ରତିଯୋଗିତା ଉଭୟ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଏବଂ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପିଲାଙ୍କ ଲାଗି ଆୟୋଜନ କରାଯାଇଥିଲା । ବକ୍ତୃତା ଦେବାଲାଗି ୧୫ ଛାତ୍ରଛାତ୍ରୀ ଥିଲେ । ସପ୍ତମରେ ଯେଉଁ ଛାତ୍ରଙ୍କୁ ଡକାଗଲା ସିଏ କାଳେ ଉଚ୍ଚକୋଟୀର ବକ୍ତୃତା ଦେବାରେ ବେଶ୍ ଜଣାଶୁଣା । ହେଲେ ସେ ମଞ୍ଚ ଉପରକୁ ଯିବାପରେ କାହିଁକି କେଜାଣି କିଛି ଆରମ୍ଭ କରିପାରୁନଥିଲେ ।
ଟିକିଏ କହୁଥାନ୍ତି, ଟିକିଏ ରହୁଥାନ୍ତି । କିଛି କ୍ଷଣ ଭିତରେ ସେ ଆଉ କିଛି ନକହି ଧନ୍ୟବାଦ ଜଣାଇ ମଞ୍ଚ ତଳକୁ ପଳାଇ ଆସିଲେ । ନିଜ ଜାଗାକୁ ଆସି ସେ କାନ୍ଦି ପକାଇଲେ । ଅନ୍ୟମାନେ ନିଜ ନିଜ ଭାଷଣ ଦେଲେ ଓ ବିଜେତାଙ୍କ ନାମ ଘୋଷଣା କରାଯାଇ ପ୍ରତିଯୋଗିତା ଶେଷ କରାଗଲା । ପ୍ରତିଯୋଗିତା ସରିଲା ପରେ ମୁଁ ସେଇ ଛାତ୍ରଙ୍କ ପାଖରେ ଯାଇ କ'ଣ ଅସୁବିଧା ହେଲା ପଚାରିବାରୁ ଛାତ୍ର ଜଣଙ୍କ ଆଖି ଛଳଛଳ କରି କହିଲେ "ମ୍ୟାଡାମ, ମୁଁ ନର୍ଭସ ହୋଇଗଲି । ମୁଁ ସବୁବେଳେ ଆମ ସ୍କୁଲ ନହେଲେ ଆନ୍ତଃ-ଓଡ଼ିଆ ମାଧ୍ୟମ ସ୍କୁଲ ପ୍ରତିଯୋଗିତାରେ ଭାଷଣ ଦିଏ ଓ ପୁରସ୍କାର ମଧ୍ୟ ପାଏ । କିନ୍ତୁ ଏଇଠି ଇଂରାଜୀ ମାଧ୍ୟମ ସ୍କୁଲର ପିଲାଙ୍କୁ ଦେଖି ମୁଁ ନର୍ଭସ ହୋଇଗଲି । ସେମାନଙ୍କ କଥା କହିବା ଓ ଉପସ୍ଥାପନା ଶୈଳୀ, ବେଶଭୁଷା ଓ ପୋଷାକ କେତେ ନିଆରା । କେତେ ସ୍ମାର୍ଟ ଦେଖା ହେଉଛନ୍ତି । ଆଉ ମୋ ଜୋତା ଛିଣ୍ଡିଯାଇଛି ଓ ସ୍କୁଲ ୟୁନିଫର୍ମ ବି ପୁରୁଣା । ସେମାନେ ମୋତେ ଓ ଏଠାରେ ଥିବା ଅନ୍ୟ ଓଡ଼ିଆ ମାଧ୍ୟମ ପିଲାଙ୍କୁ ଦେଖି ହସୁଥିଲେ ଓ କହୁଥିଲେ ଯେ, ଏଇ ଅଣ୍ଡା ଛତୁଆ ପିଲାମାନେ କ'ଣ କହିବେ! ଏମାନେ କେବଳ ମଧ୍ୟାହ୍ନଭୋଜନ ଖାଇବାକୁ ସ୍କୁଲ ଯାଆନ୍ତି! ମ୍ୟାଡାମ! ମୁଁ କିନ୍ତୁ ଭଲ ଭାଷଣ ଦିଏ । ମୋ ଉପରେ ମୋ ଶିକ୍ଷକ ଓ ମାତାପିତାଙ୍କର ବହୁତ ଭରସା ଥିଲା । ହେଲେ ମୁଁ କିଛି କହିପାରିଲି ନାହିଁ’ । ଛାତ୍ରଙ୍କ କଥା ଶୁଣି ମୁଁ ତାଙ୍କୁ ନିଜର ଆତ୍ମବିଶ୍ୱାସକୁ ସର୍ବଦା ଦୃଢ଼ ରଖିବାପାଇଁ ଓ ସେହିପରି ଭୁଲ୍ ଭବିଷ୍ୟତରେ ନଦୋହରାଇବା ପାଇଁ ପରାମର୍ଶ ଦେଇ ଭାଷଣ ସ୍ଥଳରୁ ବିଦାୟ ନେଇଥିଲି ।
ଆପଣ କେବେ ଏହିଭଳି ଭେଦଭାବକୁ ଆମ ଶିକ୍ଷା ବ୍ୟବସ୍ଥାରେ ଅନୁଭବ କି ସାମ୍ନା କରିଛନ୍ତି କି? ଆଧୁନିକ ଯୁଗରେ ଶିକ୍ଷା, ଶିକ୍ଷକ, ଶିକ୍ଷାଦାନ ଓ ଶିକ୍ଷିତ ହେବାର ସଂଜ୍ଞା ସମ୍ପୂର୍ଣ୍ଣ ବଦଳି ଗଲାଣି କି? ଆଧୁନିକ ଯୁଗରେ ଶିକ୍ଷା କହିଲେ ଆମେ କ'ଣ କେବଳ ପାଠପଢ଼ା ଓ ଶିକ୍ଷିତ କହିଲେ କେବଳ ଡିଗ୍ରିଧାରୀ ପାଠୁଆଙ୍କୁ ବୁଝାଉଛନ୍ତି କି? ଉଚିତ ବା ଗୁଣାତ୍ମକ ଶିକ୍ଷା କ'ଣ ଅସମାନତା, ପାତର-ଅନ୍ତର ବା ଆଂଶିକତାକୁ ପ୍ରୋତ୍ସାହନ ଦେଇପାରେ କି? ଶିକ୍ଷାଦାନ ଓ ଶିକ୍ଷିତ ହେବାର ଅସଲ ମାନଦଣ୍ଡ କ'ଣ? ଏସବୁ ପ୍ରଶ୍ନ ମୁଣ୍ଡକୁ ଆସିଲେ ଅତି ବିଚଳିତ ଲାଗେ । ଆମ ସମୃଦ୍ଧ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣର ଐତିହ୍ୟ ଆଧୁନିକ ବିଭାଜନର ଶିକାର ହୋଇଚାଲିଛି । ଜାତିପ୍ରଥା, ଛୁଆଁ-ଅଛୁଆଁ ଯେମିତି ଆମ ସମାଜର କଳଙ୍କ, ଲିଙ୍ଗଗତ ଅସମାନତା ଓ ଆର୍ଥିକ ଅସମାନତା ଯେମିତି ଅର୍ଥନୀତିର ବାଧକ, ସେହିପରି ଶିକ୍ଷାରେ ଅସମାନତା ଦେଶର ବିକାଶ ଓ ସମୃଦ୍ଧିରେ କଣ୍ଟା । ଆଜି ଶିକ୍ଷା ସର୍ବଭାରତୀୟକରଣ ଅପେକ୍ଷା ବ୍ୟବସାୟୀକରଣ ଅଧିକ ଲାଗୁଛି । ହେଲେ ଆମର ପ୍ରାଚୀନ ଶିକ୍ଷା ତ ଏମିତି ନଥିଲା! ସମସ୍ତଙ୍କୁ ଶିକ୍ଷିତ କରିବାର ଆଢୁଆଳରେ ଆମେ ଗୁଣାତ୍ମକ ଓ ଉଚିତ ଶିକ୍ଷାକୁ ଅଣଦେଖା କରିଦେଉଛନ୍ତି କି? ନହେଲେ ଏଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଭିତରେ ପାର୍ଥକ୍ୟ କେମିତି ଓ କାହିଁକି? ଯଦି ଦଶମ ପରର ଶିକ୍ଷା ଓ ତା’ ଆଗକୁ ଶିକ୍ଷା ବା ଚାକିରି ଲାଗି ଆମେ ସରକାରୀ ଅନୁଷ୍ଠାନ ପ୍ରତି ଲାଳାୟିତ, ତେବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଲାଗି ଆମେ ସରକାରୀ ଶିକ୍ଷାନୁଷ୍ଠାନ ଉପରେ କାହିଁକି କମ୍ ନିର୍ଭରଶୀଳ? ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ିଲେ କ'ଣ ପାଠ ବଦଳି ଯାଉଛି, ନା ପାଠ ପଢ଼େଇବା ବଦଳି ଯାଉଛି, ଯାହାର ଶିକାର ଦେଶର ଭବିଷ୍ୟତ ହେଉଛି! ଏସବୁ ପଛରେ କହିବାକୁ ଓ ଦେଖିବାକୁ ଗଲେ ମଣିଷର ମାନସିକତା ହିଁ ବଦଳି ଯାଇଛି ।
ଇଂରେଜ ତ ଚାଲିଗଲେ ହେଲେ ଇଂରାଜୀକୁ ପଛରେ ଛାଡ଼ିଗଲେ ବିଭାଜନ ଏବଂ ଶାସନ କରିବାକୁ । କୌଣସି ଭାଷା ଏକ ଜାତି ବା ଦେଶ ଲାଗି ଭୟ ନୁହେଁ । କିନ୍ତୁ ସେଇ ଭାଷା ଲାଗି ଯଦି ଆମେ ଆମ ମାତୃଭୂମି ଓ ମାତୃଭାଷାକୁ ହୀନ ମଣିବା, ତେବେ ତାହା ଭବିଷ୍ୟତ ଲାଗି ବିପଦ । ଶିକ୍ଷାଦାନର ମାଧ୍ୟମ ଭାବରେ ଇଂରାଜୀ ସମସ୍ୟା ନୁହେଁ, କିନ୍ତୁ ଶିକ୍ଷା କ୍ଷେତ୍ରରେ ଅସମାନତା ସୃଷ୍ଟି କରାଇବା ହେଉଛି ସମସ୍ୟା । ଭାଷା ନିଜେ ତ ଆଉ ଅସମାନତା ସୃଷ୍ଟି କରେନାହିଁ, ବରଂ ଭାଷାକୁ ନେଇ ଅସମାନତା ସୃଷ୍ଟି କରାଇବାର ମାଧ୍ୟମ ହେଉଛି ସ୍ୱୟଂ ମଣିଷ । ଭାରତର ପ୍ରାଚୀନ ଶିକ୍ଷାଶୈଳୀ ଓ ଶିକ୍ଷା ବ୍ୟବସ୍ଥାକୁ ଯଦି ଫେରିଯିବା, ତେବେ ଆମେ ଗୁରୁକୁଳ ଶିକ୍ଷା ସଂସ୍କୃତିକୁ ପାଇବା । ଗୁରୁକୁଳ ଛାତ୍ରମାନଙ୍କର ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ରଖିଥିଲା, ଯେଉଁଥିରେ ସେମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ବିକାଶ ଅନ୍ତର୍ଭୁକ୍ତ ଥିଲା । ଗୁରୁକୁଳରେ ଛାତ୍ରମାନେ ନୈତିକ ମୂଲ୍ୟବୋଧ, ସାଂସ୍କୃତିକ ଜ୍ଞାନ, ଜୀବନ କୌଶଳ ସହିତ ଜଡ଼ିତ ଜ୍ଞାନ ଏବଂ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରୁଥିଲେ । ଗୁରୁକୁଳ, ସୁସନ୍ତୁଳିତ ବ୍ୟକ୍ତିବିଶେଷ ସୃଷ୍ଟି କରୁଥିଲା । ହେଲେ ଭାରତରେ ଇଂରେଜ ସାମ୍ରାଜ୍ୟ ବଢିବା ସାଙ୍ଗକୁ ଇଂରାଜୀ ଭାଷାରେ ଶିକ୍ଷାଦାନ କରିବାର ପ୍ରଥା ପ୍ରଚଳିତ ହୋଇଚାଲିଲା । ଟି. ବି. ମାକଲେ (ଥୋମାସ ବେବିଂଟନ ମାକଲେ)ଙ୍କ ଆଗମନ ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ସଂସ୍କୃତ ଏବଂ ପାର୍ସିକୁ ପାରମ୍ପରିକ ଭାରତୀୟ ଶିକ୍ଷାଦାନର ମାଧ୍ୟମ ରୂପେ ସମର୍ଥନ କରୁଥିଲା । ହେଲେ ଟି. ବି. ମାକଲେଙ୍କ ଆଗମନରେ ସମସ୍ତ ଭାରତୀୟଙ୍କ ପାଇଁ ଖୋଲା ବିଦ୍ୟାଳୟ ଯୋଗାଇ ଦିଆଗଲା, ଯାହାଦ୍ୱାରା ବ୍ରାହ୍ମଣୀୟ ଶିକ୍ଷା ବଦଳରେ ପାଶ୍ଚାତ୍ୟ ଶିକ୍ଷାନୁଷ୍ଠାନ ଗଢ଼ିବାରେ ମାକଲେ ସଫଳ ହୋଇଥିଲେ । ମାକଲେଙ୍କ ଅନୁଯାୟୀ, ଭାରତୀୟମାନେ ଗଣିତ, ଭୂଗୋଳ, ବିଜ୍ଞାନ ଶିଖିବା ଆବଶ୍ୟକ, କିନ୍ତୁ ତାହା ଇଂରାଜୀରେ ଶିଖିବେ । ଭାରତୀୟମାନେ ଭାରତୀୟ ସଂସ୍କୃତିର ପ୍ରଶଂସା ଗାଇବା ଛାଡ଼ିଦେଇ ଆଧୁନିକତା ରଙ୍ଗରେ ରଙ୍ଗେଇ ଗଲେ ବ୍ରିଟିଶରାଜ୍ର ଭବିଷ୍ୟତ ଭାରତରେ ଉଜ୍ୱଳ ବୋଲି ମାକଲେ ଅନୁଭବ କରୁଥିଲେ । ଭାରତର ପ୍ରଚଳିତ ଜାତିପ୍ରଥା ହେତୁ ଏକ ମାଳି ବା ମେହେନ୍ତରର ପୁଅ ସଂସ୍କୃତ ବିଦ୍ୟାଳୟରେ ନାମ ଲେଖାଇ ପଢ଼ିବା କଷ୍ଟକର ଥିଲା । କିନ୍ତୁ ମାକଲେଙ୍କର ଓପନ ଇଂଲିଶ ସ୍କୁଲରେ ପଢ଼ିବା ସହଜ ହେଉଥିଲା, ଯାହା ଉଚ୍ଚ ଜାତି ଲୋକଙ୍କ ଘରେ ଦାଦନ ଖଟିବା ଠାରୁ ଲାଭଜନକ ଥିଲା । ବ୍ରିଟିଶ ଶାସନରେ ଯେତେ ଭାରତୀୟ, ସଂସ୍କୃତ ବଦଳରେ ଇଂରାଜୀ ପଢ଼ୁଥିଲେ, ସେତେ ସହଜରେ ଇଂରେଜମାନେ ନିଜ ପାଖରେ ଖଟିବାକୁ ଶିକ୍ଷିତ ଚାକର ପାଇପାରୁଥିଲେ । ଭାରତୀୟଙ୍କୁ ଇଂରାଜୀ ପଢ଼ାଇବାରେ ଇଂରେଜଙ୍କର ଉତ୍ତମ ଉଦ୍ଦେଶ୍ୟ ନଥିଲା । ସେଥିଲାଗି ଗୋଟିଏ ଭାଷା, ଗୋଟିଏ ଜାତିକୁ ଖାଇବାରେ ଲାଗିଥିଲା ।
ଭାରତ ସ୍ୱାଧୀନତା ପୂର୍ବ ସମୟରୁ ଯଦି ସ୍ୱାଧୀନତା ପରବର୍ତ୍ତୀ ସମୟକୁ ଆସିଯିବା, ତେବେ ଇଂରାଜୀକୁ ସବୁବେଳେ ଏକ ଭାଷା ପରିବର୍ତ୍ତେ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଛି । ଭାରତୀୟଙ୍କ ମନରେ ଏହା ରୋପଣ କରିଦିଆଯାଇଛି ଯଦି ଅନର୍ଗଳ ଇଂରାଜୀ ଆସୁନାହିଁ, ତେବେ ହୀନମନ୍ୟତା ଭିତରେ ରହିବାକୁ ହେବ । ଇଂରାଜୀ ଆସୁନଥିଲେ ଶିକ୍ଷିତ ସମାଜରେ ସ୍ଥାନ ପାଇବା କଷ୍ଟକର, ବଡ଼ ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା କଷ୍ଟ, ଭଲ ଭଲ ଚାକିରି ପାଇବା ଅସମ୍ଭବ ଓ ଦେଶ ଭିତରେ ହେଉ ବା ଦେଶ ବାହାରେ ପ୍ରତ୍ୟେକ କ୍ଷେତ୍ରରେ ପରିସର ଏବଂ ସୁଯୋଗ କମ୍ । ଏହି କାରଣରୁ ଆଜିକା ସମୟରେ ପ୍ରତ୍ୟେକ ମାତାପିତାଙ୍କ ଇଚ୍ଛା ଯେ, ତାଙ୍କର ଛୁଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ନ୍ତୁ । ଯେହେତୁ ଦେଶରେ ସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ସଂଖ୍ୟା କମ୍, ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ସୁଯୋଗର ଫାଇଦା ଉଠାଉଛନ୍ତି ଓ ଶିକ୍ଷାକୁ ଏକ ବ୍ୟାପାର କରିବାରେ ବ୍ୟସ୍ତ । ସ୍କୁଲରେ ନାମଲେଖାଠାରୁ ଆରମ୍ଭ କରି ବହିକିଣା ଓ ସ୍କୁଲ ପୋଷାକ ପର୍ଯ୍ୟନ୍ତ ସବୁ ଆକାଶ ଛୁଆଁ । ପ୍ରତିବର୍ଷ ବହି ବଦଳି ଯାଉଛି, କେତେବେଳେ ସ୍କୁଲ ଫି’ ବଢ଼ିଯାଉଛି । ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାର ନିଶା ଏତେ ବେଶୀ ଯେ, ବାପାମାଆ ସବୁ ଯନ୍ତ୍ରଣା ସହିଯାଉଛନ୍ତି । ଖାଲି ଇଂରେଜଙ୍କ ଭଳି ପିଲାଙ୍କୁ ପୋଷାକ ପିନ୍ଧାଇଦେଇ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇଦେଲେ ଯେ ଇଂରାଜୀରେ ନିପୁଣତା ଆସିଯାଏ ବା ସମ୍ପୂର୍ଣ୍ଣ ଶିକ୍ଷା ମିଳିଯାଏ ତାହା ନୁହେଁ । ଅନ୍ୟ ଭାଷା ଭଳି ଇଂରାଜୀ ମଧ୍ୟ ଏକ ଭାଷା ଜ୍ଞାନର ମାନଦଣ୍ଡ ନୁହେଁ, ଯାହା ବୋଧେ ବେଳେବେଳେ ଆମେ ଭୁଲିଯାଉଛୁ, ଯାହାଫଳରେ ଶିକ୍ଷିତ ଓଡ଼ିଆ ଯେବେ ରାଗିକି ଗାଳି କରନ୍ତି ବେଶୀ ଇଂରାଜୀ ବ୍ୟବହାର କରନ୍ତି । ରାଗରେ ପାଟିରୁ ବାହୁରୁଥିବା ଶବ୍ଦ କେବେ ନିଜର ହୋଇପାରେ, ନା ତାକୁ କେହି କେବେ ଆପଣାର କରିପାରନ୍ତି! ଇଂରାଜୀ ଶିଖିବା, ଜାଣିବା ଓ କହିବାରେ ତାଳମେଳ ରହିବା ଉଚିତ ।
ବହିଟିକୁ ଯେପରି ତା'ର ଆବରଣରୁ ଚିହ୍ନିବା ଅନୁଚିତ, ସେହିପରି ଶିକ୍ଷାକୁ ଶିଷ୍ୟର ପରିପାଟୀରୁ ଜାଣିବା କଷ୍ଟ । ଭଲ ବହି ବେଳେବେଳେ ପୁରୁଣା ମଲାଟ ଓ ଧୂଳିଆ ଜାଗାରେ ରହିବା ଫଳରେ ଅଣଦେଖା ହୋଇଯାଏ । ହେଲେ ମଲାଟ କି ଧୂଳି ସ୍ଥାୟୀ ନୁହଁନ୍ତି । ବହି ଭିତରେ ଥିବା ଜ୍ଞାନ, ତଥ୍ୟ ଓ ଶିକ୍ଷାର ସମ୍ଭାର ସର୍ବଦା ବିଦ୍ୟମାନ । ଯଦି କିଏ ଧୂଳିକୁ ଝାଡ଼ି ସେଇ ବହିକୁ ପଢ଼େ, ତେବେ ସେଇ ବହିର ଭାଗ୍ୟ ଭଲ ବୋଲି କହିବା ଅନୁଚିତ । ସେଇ ପାଠକଙ୍କର ଭାଗ୍ୟ ଭଲ ଯେ ସେ ସେଭଳି ଏକ ଗୁଣାତ୍ମକ ବହି ପଢ଼ିବାର ସୌଭାଗ୍ୟ ପ୍ରାପ୍ତ କରିଲେ । କିଛି ସେଇପରି ଥିଲା ସେଦିନର ବକ୍ତୃତା ପ୍ରତିଯୋଗିତା, ଯେଉଁଠି ଏକ ପ୍ରତିଭାଶାଳୀ ବକ୍ତାଙ୍କୁ ଶୁଣିବାର ସୁଯୋଗ ମିଳିପାରିନଥିଲା । ହେଲେ ପ୍ରତିଭା କେବେ ଲୁଚିରହେନା, କାରଣ ପଙ୍କରେ ବି ପଦ୍ମ ଫୁଟେ । ଆଜିକାଲିକା ଶିକ୍ଷା ବା ଶିକ୍ଷା ବ୍ୟବସ୍ଥାରେ ସମସ୍ତେ ପ୍ରାୟ ଶିକ୍ଷିତ । ହେଲେ ସେଇ ଶିକ୍ଷାକୁ କିଏ କେମିତି ବ୍ୟବହାର କରୁଛି ତାହା ସମାଜ ଓ ବ୍ୟକ୍ତିତ୍ୱ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସେଇ ଶିକ୍ଷା ଇଂରାଜୀରେ, ଓଡ଼ିଆରେ ବା ଯେକୌଣସି ଭାଷାରେ ହୋଇଥାଉନା କାହିଁକି ।