ନୂଆଦିଲ୍ଲୀ,୨।୯: ଯଦି ଆପଣ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର। ମେଟା ନିଜର ଦୁଇଟି ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ୍କୁ ଶୁଳ୍କ ଆଧାରିତ କରିବାର ନିଷ୍ପତ୍ତି ନେଇଛି। ଅର୍ଥାତ ଫେସବୁକ୍ ଓ ଇନଷ୍ଟାଗ୍ରାମ୍କୁ ବ୍ୟବହାର କରିବା ପାଇଁ ନିଜର ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ରିପୋର୍ଟ ଅନୁସାରେ, ମେଟା ଏହି ନିଷ୍ପତ୍ତି ବର୍ତ୍ତମାନ ୟୁରୋପ ପାଇଁ ନେଇଛି। ରିପୋର୍ଟ ଅନୁସାରେ, ଦାବି କରାଯାଉଛି ଯେ, ୟୁରୋପିଆନ୍ ୟୁନିୟନ ପକ୍ଷରୁ ବିଜ୍ଞାପନ ଓ ପ୍ରାଇଭେସୀକୁ ନେଇ ଲଗାତାର ସୃଷ୍ଟି ହେଉଥିବା ଚାପ ଭିତରେ ମେଟା ଏହି ନିଷ୍ପତ୍ତି ନେଇଛି। କମ୍ପାନୀ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ର ପେଡ୍ ଭର୍ସନ ଭାରତରେ ମଧ୍ୟ ଲଞ୍ଚ କରିପାରେ, ତେବେ ଏ ବିଷୟରେ ଏବେ ସ୍ପଷ୍ଟ ସୂଚନା ନାହିଁ।
କୁହାଯାଉଛି ଯେ, ୟୁରୋପିଆନ୍ ୟୁନିୟନର ୟୁଜର୍ସଙ୍କ ପାଇଁ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ର ଦୁଇଟି ସର୍ଭିସ ରହିବେ, ଯେଉଁଥିରେ ଗୋଟିଏ ପେଡ୍ ରହିବ ଓ ଅନ୍ୟଟି ଫ୍ରି ରହିବ। ଯେଉଁ ୟୁଜର୍ସ ଫେସବୁକ୍ ଓ ଇନଷ୍ଟାଗ୍ରାମର ପେଡ୍ ସର୍ଭିସକୁ ନେବେ ତାଙ୍କୁ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ରେ ବିଜ୍ଞାପନ ଦେଖାଯିବନି। ଫ୍ରି ଭର୍ସନ ପୂର୍ବଭଳି ବିଜ୍ଞାପନ ସହିତ କାମ କରିବ। ମେଟା ଏପର୍ଯ୍ୟନ୍ତ ନିଜର ଏହି ନିଷ୍ପତ୍ତି ଉପରେ କୌଣସି ଔପଚାରିକ ଘୋଷଣା କରିନାହିଁ।
ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି ଯେ, ପେଡ୍ ଭର୍ସନ ପାଇଁ ୟୁଜରଙ୍କୁ କେତେ ଟଙ୍କା ଦେବାକୁ ପଡିବ। ଏହାଛଡା ଏକ ପେଡ୍ ସର୍ଭିସ ଅନୁସାରେ, ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଦୁଇଟିକୁ ବ୍ୟବହାର କରିହେବ କିମ୍ବା ପୁଣିଥରେ ଦୁଇଟି ପାଇଁ ଅଲଗା ଅଲଗା ପ୍ଲା ନେବାକୁ ହେବ। ମେଟା ୨୦୧୯ରୁ ହିଁ ୟୁରୋପିଆନ୍ ୟୁନିଅନ୍ର ଯାଞ୍ଚର ସାମନା କରୁଛି। କମ୍ପାନୀ ଦୀର୍ଘ ସମୟ ହେବ ୟୁଜର୍ସଙ୍କ ଡାଟାକୁ ଏହାର ଅନୁମତି ବିନା ଏକାଠି କରିବାର ଅଭିଯୋଗ ରହିଛି।