ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର, ୨୨/୩ :  ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭର୍ତ୍ତୃହରି । ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଭର୍ତ୍ତୃହରି । ସାଂସଦ ଭାବେ ମୁଁ ମୋ କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଇଛି । ବିଜେଡିରେ ସଂଶୋଧନର ଆବଶ୍ୟକତା ଅଛି । ଦଳ ଦୁର୍ନୀତି ବିରୋଧରେ ଗଠନ ହୋଇଥିଲା । ଏବେ ଦଳର ସଂଚାଳନ ଏବଂ ପରିଚାଳନାରେ ସଂଶୋଧନ ଆବଶ୍ୟକ । ସଂଶୋଧନ ପାଇଁ ମୁଁ ଚେଷ୍ଟା କରିଛି, କିନ୍ତୁ ସମ୍ଭବ ହେଲାନି। ମୋ ଅନୁଭବକୁ ପ୍ରକାଶ କରିବାର ସୁଯୋଗ ନାହିଁ। ଭାବ ପ୍ରକାଶ କଲେ ସମାଲୋଚନା ଅଧିକ ହେଉଛି । ୨ ବର୍ଷ ହେଲା ମୁଁ କୌଣସି ମତ ପ୍ରକାଶ କରୁନାହିଁ ବୋଲି ‌ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନା ଅନୁଯାୟୀ, ତାଙ୍କ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ପୋଲିସ୍ ଏସ୍ଆଇଙ୍କୁ ମାଡ଼ ମାରିବା ଅଭିଯୋଗରେ କଟକ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାଯାଇଛି । ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ଲାଗୁ କରାଯାଇଛି ।
୨୦୧୧ ଜାନୁଆରୀ ୨୩ତାରିଖରେ ଜଣେ ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ରୁଜୁ ମାମଲାରେ କୋର୍ଟରେ ଚାର୍ଜଫ୍ରେମ ହୋଇଛି । ଅଭିଯୋଗକାରୀ ଏସ୍‌ଆଇ ଜଣକ ହେଲେ ଅମିତାଭ ମହାପାତ୍ର । ସେତେବେଳେ ସେ ମଙ୍ଗଳାବାଗ ଥାନାରେ ଏସ୍‌ଆଇ ଥିବା ବେଳେ ଏବେ କମିସନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଅଛନ୍ତି ।

ସେହିଭଳି ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ବୋହୂ ସାକ୍ଷୀ ମହତାବ । ମଧ୍ୟପ୍ରଦେଶର ଭୋପାଳର ମହାଦେବ କମ୍ପ୍ଲେକ୍ସରେ ରହୁଥିବା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ସାଂସଦ ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଞ୍ଜନ ମହତାବ ଓ ଶାଶୁଙ୍କ ନାମରେ ଅଭିଯୋଗ ଆଣିଥିଲେ । ବୋହୂ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପା ବିବାହରେ ୨.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଆଉ ଶାଶୂଘର ପକ୍ଷରୁ ଅଧିକ ଯୌତୁକ ଆଣିବାକୁ ବୋହୂଙ୍କ ଉପରେ ଚାପ ପକାଯାଇଥିଲା । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଯଦିଓ କୋର୍ଟ ଏହି ଦମ୍ପତିଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ, ହେଲେ ଶାଶୂଘର ପକ୍ଷରୁ ତାଙ୍କୁ ରହିବାକୁ ଦିଆଯାଇନଥିଲା ।  

ପୂର୍ବରୁ ସବୁବେଳେ ବିଜେପି ନେତାଙ୍କ ସହ ଭର୍ତ୍ତୃହରିଙ୍କୁ ଦେଖିବାକୁ ମିଳୁଥିଲା । କିଛି ଦିନ ତଳେ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହେଉଥିଲା କି ସାଂସଦ ଭର୍ତ୍ତୃହରି ମହତାବ ବିଜେପି ଆଡ଼କୁ ଢଳି ପାରନ୍ତି । ସେହିଭଳି ୨୦୨୩ ଅକ୍ଟୋବର ମାସରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରିଥିଲେ ଭର୍ତ୍ତୃହରି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଓ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଚର୍ଚ୍ଚାରେ ଥିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ପ୍ରାୟ ୩୦ ମିନିଟ୍ ଧରି ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ ।  ଯଦିଓ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିଲା ବରଂ ଏକ ଅନ୍ତର୍ଜାତୀୟ ସମିଟରେ ଯୋଗଦେବା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବା ସେ କହିଥିଲେ । କିନ୍ତୁ ତାଙ୍କର ଏହି ସାକ୍ଷାତ ଓଡିଶା ରାଜନୀତିରେ ସେତେବେଳେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ସେହିଭଳି ପ୍ରଜାତନ୍ତ୍ରର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ । 

ଅନେକ ସମୟରେ ଭର୍ତ୍ତୃହରି କେନ୍ଦ୍ରର ନେତାଙ୍କୁ ଭେଟିବାର ନଜିର ରହିଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନେକ ଥର ଖୁଲମଖୁଲା ପ୍ରଶଂସା କରି ଚର୍ଚ୍ଚାରେ ରହିଥିଲେ । ସବୁଠାରୁ ବଡ କଥା ହେଲା ଗତ ୨୦୧୯ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ବିଜେଡିରୁ ଟିକେଟ୍ ପାଇଥିଲେ ଭର୍ତ୍ତୃହରି ମହତାବ । ହେଲେ ଗତ ୫ ବର୍ଷ ଭିତରେ ଦଳ ସହ ନ ଥିବା ପରି ମନେ ହେଉଥିଲେ ।  

ପ୍ରକାଶ ଯେ, ଭର୍ତ୍ତୃହରି ମହତାବ ୧୯୯୮ସାଧାରଣ ନିର୍ବାଚନରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ କଟକରୁ ନିର୍ବାଚିତ ହୋଇଥିଲେ । ୨୦୧୭ରେ ତାଙ୍କୁ ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୭ ଓ ୨୦୧୮ ରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । 

 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.