ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏନ୍‌ଡିଏର ନେତା ନରେନ୍ଦ୍ର ମୋଦି, ଜୁନ୍ ୮ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ,୦୬/୦୬: ଲୋକସଭା ନିର୍ବାଚନ ଶେଷ ହେବା ପରେ ଏବେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ଏନ୍‌ଡିଏ ନେତାମାନର ପ୍ରଥମ ବୈଠକ ହୋଇଥିଲା । ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ମୋଦିଙ୍କୁ ଏନ୍‌ଡିଏ ନେତା ନିର୍ବାଚିତ କରାଯାଇଥିଲା । ବୈଠକରେ ଉପସ୍ଥିତ ଥିବା ଏନ୍‌ଡିଏ ନେତାମାନେ ସର୍ବସମ୍ମତିକ୍ରମେ ମୋଦିଙ୍କୁ ସେମାନଙ୍କ ନେତା ଭାବେ ଗ୍ରହଣ କରିଥିଲେ । ଏଥିସହ ବୈଠକରେ କେତେକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା ।

ବୈଠକରେ ୧୫ଟି ସହଯୋଗୀ ଦଳର ୨୧ ଜଣ ନେତା ସାମିଲ ହୋଇଥିଲେ । ବୈଠକରେ ଗୃହୀତ ପ୍ରସ୍ତାବରେ କୁହାଯାଇଥିଲା କି ୧୪୦ କୋଟି ଦେଶବାସୀ ଗତ ୧୦ ବର୍ଷ ହେଲା ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ସମର୍ଥନ କରିଆସିଛନ୍ତି । ଦୀର୍ଘ ୬୦ ବର୍ଷ ପରେ ଦେଶବାସୀ ଲଗାତାର ଭାବେ ତୃତୀୟଥର ପାଇଁ ପୂର୍ଣ୍ଣ ବହୁମତ ସହିତ ସଶକ୍ତ ନେତୃତ୍ୱକୁ ବାଛିଛନ୍ତି । ଏନ୍‌ଡିଏ ସରକାର ଭାରତର ସବୁ ଗରିବ, ମହିଳା, ଯୁବକ, କୃଷକ, ଶୋଷିତ, ବଞ୍ଚିତ ତଥା ପୀଡିତ ନାଗରିକଙ୍କ ସେବା କରିବା ଲାଗି ପ୍ରତିବଦ୍ଧ । ଭାରତର ଐତିହ୍ୟକୁ ସଂରକ୍ଷିତ ରଖି ଦେଶର ସର୍ବାଙ୍ଗୀନ ବିକାଶ ଲାଗି ଏନ୍‌ଡିଏ ସରକାର ଲୋକଙ୍କ ଜୀବନରେ ସୁଧାର ଆଣିବା ଦିଗରେ କାର୍ଯ୍ୟ କରିଚାଲିବେ । ସେହିଭଳି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ୭ ତାରିଖ (ଶୁକ୍ରବାର) ଅପରାହ୍ନ ୫ଟାରେ ଏନ୍‌ଡିଏ ସାଂସଦଙ୍କ ବୈଠକ ବସିବ । ବୈଠକ ପରେ ଏନ୍‌ଡିଏ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବେ । ମିଳିଥିବା ସୂଚନା ଅନୁସାରେ ଆସନ୍ତା ୮ ତାରିଖ (ଶନିବାର) ମୋଦି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ।

ଏନ୍‌ଡିଏ ବୈଠକରେ ସହଯୋଗୀ ଦଳମାନେ ମୋଦିଙ୍କ ନେତୃତ୍ୱାଧୀନ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ସମ୍ପର୍କରେ ସେମାନଙ୍କ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି । ତେବେ ମିଳିଥିବା ସୂଚନା ଅନୁସାରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବା ପୂର୍ବରୁ ଏନ୍‌ଡିଏ ସହଯୋଗୀ ଦଳର ନେତାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବାକୁ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ଦଳର ବରିଷ୍ଠ ନେତା ଅମିତ ଶାହ ଓ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ବରିଷ୍ଠ ନେତା ଅମିତ ଶାହ, ରାଜନାଥ ସିଂହ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନା ନେତା ଏକନାଥ ସିନ୍ଦେ, ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ, ଏଲ୍‌ଜେପି ନେତା ଚିରାଗ ପାଶ୍ୱାନ, ହାମ ନେତା ଜିତନ ରାମ ମାଁଝୀ, ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ, ଏନ୍‌ସିପି ନେତା ସୁନୀଲ ତଟକରେ ଓ ପ୍ରଫୁଲ ପଟେଲ, ଅପନା ଦଳ (ଏସ୍‌)ର ଅନୁପ୍ରିୟା ପଟେଲ, ଆରଏଲ୍‌ଡିର ଜୟନ୍ତ ଚୌଧୁରୀ, ୟୁପିପିଏଲ୍‌ର ପ୍ରମୋଦ ବୋରୋ, ଆସାମ ଗଣ ପରିଷଦର ଅତୁଲ ବୋରା, ଏସ୍‌କେଏମ୍‌ର ଇନ୍ଦ୍ରା ହେଙ୍ଗ ସୁବା, ଏଜେଏସ୍‌ୟୁର ସୁଦେଶ ମହତୋ, ଜେଡିୟୁର ରାଜୀବ ରଞ୍ଜନ ସିଂହ ଓ ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ମୋଦିଙ୍କ ମନ୍ତ୍ରିମଣ୍ଡଳର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସପ୍ତଦଶ ଲୋକସଭା ଭଙ୍ଗ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଜୁନ ୧୬ରେ ଶେଷ ହେବ । ତା ପୂର୍ବରୁ ନୂଆ ସରକାର ଗଠନ ହେବ । ଏଥିସହ ଏନ୍‌ଡିଏ ସରକାର ତୃତୀୟଥର ପାଇଁ କ୍ଷମତାସୀନ ହୋଇଥିବାରୁ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା । ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜର ଓ ନିଜ କ୍ୟାବିନେଟର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏଥିସହ ସପ୍ତଦଶ ଲୋକସଭା ଭଙ୍ଗ କରିବାକୁ ସୁପାରିସ କରିଥିଲେ । ରାଷ୍ଟ୍ରପତି ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ । ଏଥିସହ ସପ୍ତଦଶ ଲୋକସଭାକୁ ଭଙ୍ଗ କରିଥିଲେ ।

ଲୋକସଭା ନିର୍ବାଚନରେ ତୃତୀୟଥର ପାଇଁ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ଲୋକସଭାର ୫୪୩ ଆସନରୁ ଏନ୍‌ଡିଏ ୨୯୩ଟି ଆସନ ହାସଲ କରିଛି । ଯାହାକି ମ୍ୟାଜିକ ସଂଖ୍ୟା ୨୭୨ ଠାରୁ ଅଧିକ । ତେବେ ବିଜେପି ୨୪୦ରେ ସୀମିତ ରହିଯାଇଛି । ଯାହାଫଳରେ ସରକାର ଗଠନ କରିବା ଲାଗି ବିଜେପି ଅନ୍ୟ ସହଯୋଗୀ ଦଳମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାକୁ ପଡ଼ିବ । ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ଟିଡିପି ୧୬ ଆସନ ହାସଲ କରିଥିଲା ବେଳେ ଜେଡିୟୁ ୧୨, ଶିବସେନା ୭, ଏଲ୍‌ଜେପି ୫, ଜନସେନା ପାର୍ଟି ୨, ଜେଡିଏସ୍‌ ୨, ଆରଏଲ୍‌ଡି ୨ଟି ଓ ଅନ୍ୟାନ୍ୟ ଛୋଟ ଦଳ ୭ଟି ଆସନ ପାଇଛନ୍ତି । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟ ୨୩୪ ଆସନ ପାଇଛି । ମେଣ୍ଟ ଦଳ ଭାବେ କଂଗ୍ରେସ ସର୍ବାଧିକ ୯୯ ଆସନ ଲାଭ କରିଥିଲା ବେଳେ ସମାଜବାଦୀ ପାର୍ଟି ୩୭, ଟିଏମ୍‌ସି ୨୯, ଡିଏମ୍‌କେ ୨୨, ଶିବସେନା (ୟୁବିଟି) ୯, ଏନ୍‌ସିପି (ଶରଦ) ୮, ଆରଜେଡି ୪, ସିପିଏମ୍‌ ୪, ଜେଏମ୍‌ଏମ ୩, ଆଇୟୁଏମ୍‌ଏଲ ୩, ଆପ୍‌ ୩, ଭିସିକେ ୨, ସିପିଆଇ ୨, ସିପିଆଇ (ଏମ୍‌ଏଲ) ୨, ଜେକେଏନ୍‌ସି ୨ ଓ ଅନ୍ୟାନ୍ୟ ଛୋଟ ଦଳ ୫ଟି ଆସନ ପାଇଛନ୍ତି । ସେହିଭଳି ଏନ୍‌ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ୧୬ ଆସନରେ ବିଜୟଲାଭ କରିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.