କଟକରୋଡ୍, ୧୯।୯: କଳ୍ପନା ଛକରେ ଅଣଓଡ଼ିଆ ଶ୍ରମିକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ବଡ଼ଗଡ଼ ଥାନା ପୁଲିସ ଏହି ମାମଲାରେ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, କଳ୍ପନା ଛକ ନିକଟ ଗୌତମନଗର ବସ୍ତିରେ ରହୁଥିବା ପି. ନରସିଂହା ରାଓ ଓରଫ ନରା ଓ କେ. ଦାସୁ ରାଓ ଓରଫ ଦସୁ । ଉଭୟେ ମାତ୍ର ୧୫୦୦ ଟଙ୍କା ଲୁଟ୍ ପାଇଁ ଶ୍ରମିକଜଣଙ୍କୁ ଏକ ସ୍କ୍ରୁ ଡ୍ରାଇଭର ଭୁସି ମାରି ଦେଇଥିଲେ । ଜୋନ୍-୪ ଏସିପି ଶୁଭନାରାୟଣ ମୁଦୁଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୧୨ ତାରିଖରେ ପଶ୍ଚିମବଙ୍ଗ ଜିଲା ମୁର୍ଶିଦାବାଦ୍ ଅଞ୍ଚଳର ଅବଦୁଲ କୁଦୁସ୍ (୨୫)ଙ୍କ ମୃତଦେହ ଗୌତମ ନଗର ବସ୍ତି ନିକଟସ୍ଥ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଶରୀରର ଏକାଧିକ ଜାଗାରେ କ୍ଷତ ଚିହ୍ନ ଥିଲା ।
ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା, ମୃତ କୁଦୁସ୍ ପୁରୀ ଜିଲା ପିପିଲି ଥାନା ଉତ୍ତରା ଛକ ନିକଟରେ ଥିବା ଏକ ନିର୍ମାଣ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୧୨ ତାରିଖ ସନ୍ଧ୍ୟା ୭ଟାରେ କୁଦୁସ୍ ବସ୍ ଯୋଗେ କୋଲକାତା ଯିବା ପାଇଁ କଳ୍ପନା ଛକ ଯାଇଥିଲେ । ତାଙ୍କ ଭାଇ ମହମଦ ରହିମ କଳ୍ପନା ଛକରେ କୁଦୁସଙ୍କୁ ଛାଡି଼ ଉତ୍ତରା ଫେରି ଯାଇଥିଲେ । ସେଠାରେ କୁଦୁସ୍ ଜୋତା ମରାମତି କରିବା ପରେ ଦୋକାନୀଙ୍କୁ ଟଙ୍କା ଦେଉଥିବା ଦେଖି ୨ ଅଭିଯୁକ୍ତ ତାଙ୍କୁ ଘେରି ଯାଇଥିଲେ । କୁଦୁସଙ୍କ ମନିପର୍ସରେ ଥିବା ୧୫ ଶହ ଟଙ୍କା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । କୁଦୁସ୍ ବିରୋଧ କରିବାରୁ ନରସିଂହା ଓ ଦସୁ ତାଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ । ଉଭୟେ ଜୋତା ମରାମତି ଦୋକାନରୁ ସ୍କ୍ରୁ ଡ୍ରାଇଭର ଆଣି କୁଦୁସ୍ଙ୍କ ପେଟ, ଛାତିରେ ଭୁସି ଦେଇଥିଲେ । କୁଦୁସ୍ ଚେତା ହରାଇବା ଦେଖି ସ୍ଥାନୀୟ ବ୍ୟବସାୟୀ ୨ଜଣଙ୍କୁ ବିରୋଧ କରିଥିଲେ । ନରସିଂହା ଓ ଦସୁ ସେମାନଙ୍କୁ ଧମକାଇବା ସହ ଚେତାଶୂନ୍ୟ ଅବସ୍ଥାରେ କୁଦୁସ୍ଙ୍କୁ ଘୋଷାଡି଼ ନେଇ କଳ୍ପନା ରେଲେୱ ଓଭରବ୍ରିଜ ନିକଟରେ ଫୋପାଡି଼ଥିଲେ । ମନିପର୍ସ ସହ ମୋବାଇଲ୍ ଫୋନ ଲୁଟି ଘଟଣାସ୍ଥଳରୁ ଛୁ ମାରିଥିଲେ । ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ଓ ପରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଲୁଟ୍ ପାଇଁ କୁଦୁସ୍ଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଦୋକାନୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ତଥ୍ୟ ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ିଥିଲା । ପୁଲିସ ଟିମ୍ ସେଠାକାର ସିସି କ୍ୟାମେରା ଫୁଟେଜ୍ ଯାଞ୍ଚରୁ ଏଥିରେ ନରସିଂହାର ସମ୍ପୃକ୍ତି ଥିବାଳ ଜାଣିବାକୁ ପାଇଥିଲା ।
ପୁଲିସ କହିଛି, ନରସିଂହା ଜଣେ କୁଖ୍ୟାତ ଅପରାଧୀ । ତା’ ନାଁରେ ଲକ୍ଷ୍ମୀସାଗର, କ୍ୟାପିଟାଲ ଓ ବଡ଼ଗଡ଼ ଥାନାରେ ଛିନ୍ତାଇ, ଡକାୟତି ଓ ମାର୍ପିଟ ଭଳି ୨୩ ସଙ୍ଗୀନ ମାମଲା ରହିଛି । ସେ ପୂର୍ବରୁ ଲୁଟ୍ପାଟ୍, ଛିନ୍ତାଇ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା । ଅନ୍ୟପକ୍ଷରେ ଅଭିଯୁକ୍ତ ଦସୁଙ୍କ ଅପରାଧିକ ଇତିହାସ ଉଣ୍ଡାଳୁଛି ପୁଲିସ । ଉଭୟେ ହତ୍ୟା କରିଥିବା ମାନିଛନ୍ତି । ଆଜି ୨ ଅଭିଯୁକ୍ତ ଘଟଣାସ୍ଥଳରେ ଡେମୋ ଦେଖାଇବା ସହ ହତ୍ୟାରେ ବ୍ୟବହୃତ ସ୍କ୍ରୁ ଡ୍ରାଇଭର ଫିଙ୍ଗିଥିବା ସ୍ଥାନ ପୁଲିସକୁ ଦେଖାଇଛନ୍ତି । ପୁଲିସ ଉକ୍ତ ସ୍କ୍ରୁ ଡ୍ରାଇଭରକୁ ପୁଲିସ ଜବତ କରିଛି ।