ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୁଣା ଆଶାୟୀ ଚିତ୍‌ପଟାଙ୍ଗ, ‘ଆମଦାନୀ’ ନେତାଙ୍କୁ ପୁରସ୍କାର: ବିଜେଡିର ୭, ବିଜେପିର ୩ ପ୍ରାର୍ଥୀଙ୍କୁ ଏମ୍‌ପି ଟିକେଟ୍

ଭୁବନେଶ୍ୱର,୦୯/୦୪: ଶାସକ ବିଜେଡି ଓ ବିରୋଧୀ ବିଜେପି ‘ଦଳ ଡିଆଁ’ ନେତାଙ୍କ ପ୍ରେମରେ ବାଇଆ । ନିଜ ଦଳର ନେତାଙ୍କ ଉପରେ ଭରସା ପାଇଲାନି । ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ କୋଳେଇ ନେଇଛନ୍ତି । ‘ଆମଦାନୀ’ ନେତାଙ୍କୁ ପୁରସ୍କାରରେ ମିଳିଛି ଏମ୍‌ପି ଟିକଟ । ପୁରୁଣା ଆଶାୟୀମାନେ ମାରିଛନ୍ତି ଚିତ୍‌ପଟାଙ୍ଗ । ବିଜେଡି ଏଭଳି ନେତାଙ୍କୁ ୭ଟି ଏମପି ସିଟରେ ଭରସା କରି ଟିକଟ ଦେଇଛି । ବିଜେପି ୩ଟି ଏମପି ଆସନର ଟିକଟ ଧରାଇଛି ।

ବିଜେପିର ପୁରୁଣା ସିପାହୀ ଭୃଗୁ ବକ୍ସିପାତ୍ର ପଦ୍ମକୁ ‘ଶୁଭ ବିଦାୟ’ କରିବାର ୪ ଘଣ୍ଟା ମଧ୍ୟରେ ବିଜେଡି ଫୁଲଚନ୍ଦନ ଦେଇ ଦଳକୁ ସ୍ୱାଗତ କଲା। ଶଙ୍ଖ ଗାମୁଛା ବେକରେ ପଡ଼ିବାର ମାତ୍ର ଅଧଘଣ୍ଟାଏ ମଧ୍ୟରେ ଆସିଲା ବ୍ରେକିଂ ନ୍ୟୁଜ୍‌ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତା ଦଳର ସେ ହେଲେ ପ୍ରାର୍ଥୀ । ବିଜେଡି ସୁପ୍ରିମୋଙ୍କ ଏ ଗୋଟି ଚାଳନାରେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ କ୍ୟାମ୍ପର ଅଙ୍କ ଓଲଟପାଲଟ ହୋଇଗଲା । ଓ ତାଙ୍କ ସମର୍ଥକମାନଙ୍କୁ ବୁଦ୍ଧିବାଟ ଦିଶିଲାନି । ଦଳର ଉପସଭାପତି ପଦ ସହ ଇସ୍ତାହାର କମିଟିରେ ଥଇଥାନ ହୋଇ ପାଟିରେ ତାଲା ମାରିଲେ ଚନ୍ଦ୍ରଶେଖର ।

କଟକର ୬ ଥରର ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ସହ ଲମ୍ବା ସଂପର୍କ ତୁଟାଇ ବିଜେପିରେ ମିଶିଲେ । ବିଜେପି ତାଙ୍କୁ କଟକ ଏମପି ଟିକଟ ଧରାଇଛି ।  ଦଳରେ ସାମିଲ ହେଉ ହେଉ ଟିକଟ । ସତେ ଯେମିତି ବିଜେପି ଅପେକ୍ଷା କରି ରହିଥିଲା ଭର୍ତ୍ତୃହରିଙ୍କୁ । ଟିକଟ ଦୌଡ଼ରେ ଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବାଦ୍‌ ପଡ଼ିଲେ ।

କଂଗ୍ରେସର ପୁରୁଖା ନେତା ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜୁ ଜନତା ଦଳ ଆମଦାନୀ କଲା । ପୁରସ୍କାରରେ ଧରାଇଲା ବଲାଙ୍ଗୀର ଏମପି ସିଟ୍‌ ଟିକଟ । ଟିଟିଲାଗଡ଼ ଆସନର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ଟୁକୁନି ସାହୁ ଓ ସୁରେନ୍ଦ୍ର ଏବେ ଗୋଟିଏ ଗାଡ଼ିରେ ବୁଲି ଭୋଟଭିକ୍ଷା କରୁଛନ୍ତି ।

ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିକୁ ଆସି ଲାଭ ଉଠାଇଛନ୍ତି । ବିଜେପି ତାଙ୍କୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ କରିଛି । ବିଜେପିର ଏ ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ଭୃଗୁ ବକ୍ସିପାତ୍ର ବିଜେଡିରେ ଏଣ୍ଟ୍ରି କରି ଏମପି ଟିକଟ ହାତେଇଛନ୍ତି । ଏଥର ଲୋକସଭା ନିର୍ବାଚନରେ ପ୍ରଦୀପ-ଭୃଗୁ ମୁହାଁମୁହିଁ ହେବେ । ପୂର୍ବତନ କଳାହାଣ୍ଡି ବିଜେଡି ସାଂସଦ ଅର୍କ କେଶରୀ ଦେବଙ୍କ ପତ୍ନୀ ମାଳବିକା କେଶରୀ ଦେବ ପ୍ରାୟ ମାସେ ହେବ ବିଜେପିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ କଳାହାଣ୍ଡି ଏମପି ପ୍ରାର୍ଥୀ ଭାବେ ଟିକଟ ଦେଇଛି । ଦଳ ପାଇଁ କାମ କରିବା ସହ ତୃଣମୂଳସ୍ତରରୁ ସଂଗଠନକୁ ରଖିଥିବା ନେତା ବଳି ପଡ଼ିଛନ୍ତି ।

ବରଗଡ଼ରେ ଆକସ୍ମିକ ଭାବେ ମହିଳା କାର୍ଡ ଖେଳିଲା ବିଜେଡି । ଗୋଟିଏ ଗୁଳିରେ କଲା ଦୁଇଟି ଶିକାର । ଭଟଲି ଆସନରୁ ବିଜେପି ଟିକଟରୁ ବଂଚିତ ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ରଙ୍କୁ ଦଳ ଶିକାର କଲା । ତାଙ୍କ ପତ୍ନୀ ପରିଣୀତା ମିଶ୍ରଙ୍କୁ ଦେଲା ଶଙ୍ଖ ଟିକଟ । ପୂର୍ବତନ ସାଂସଦ ପ୍ରଭାସ ସିଂହ ଆଜି କ୍ଷୁବ୍‌ଧ ହୋଇ  ବିଜେଡିକୁ ବାଏ ବାଏ କରିଛନ୍ତି ।

ଭୁବନେଶ୍ୱର ସିଟ୍‌ ପାଇଁ ଶ୍ରୀମୟୀ ମିଶ୍ର ଥିଲେ ବିଜେଡିର ପ୍ରଥମ ପସନ୍ଦ । ଶ୍ରୀମୟୀ ପ୍ରାୟ ଦୁଇ ମାସ ତଳୁ ‘ଜନ ସଂପର୍କ’ ଅଭିଯାନରେ ବିଧାନସଭା କ୍ଷେତ୍ର ଖେଦି ଏକରକମ ‘ଭୋଟି ଭିକ୍ଷା’ ଆରମ୍ଭ କରି ଦେଇଥିଲେ । ହଠାତ୍‌ ସମୀକରଣ ଓଲଟିଗଲା । ଦଳ କଂଗ୍ରେସର ଭେଟେରାନ ଲିଡର ସୁର ରାଉତରାୟଙ୍କ ପାଇଲଟ ପୁଅ ମନ୍ମଥଙ୍କୁ ଯୋଦ୍ଧା ଭାବେ ଘୋଷଣା କଲା । ସ୍ତବ୍ଧ ହୋଇଗଲା ଶ୍ରୀମୟୀଙ୍କ ଶିବିର । ନା ସହିପାରୁଛନ୍ତି, ନା କହିପାରୁଛନ୍ତି । ପୂରାକୁ ପୂରା ନିରବ ।

କଂଗ୍ରେସର ପୂର୍ବତନ ସାଂସଦ ତଥା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଢ଼େଇ ବର୍ଷ ତଳେ ଯେଉଁ ଆଶାରେ ‘ହାତ’ ଛାଡ଼ି ଶଙ୍ଖ ଧରିଥିଲେ ତାହା ସଫଳ ହୋଇଛି । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରଦୀପଙ୍କ ଉପରେ ଭରସା କରିଛି । ଅନ୍ୟ ଆଶାୟୀ ହତାଶ ହେଲେ । ବିଜେଡିର ସାଂସଦ ତଥା ପୁରୁଣା ନେତା ରମେଶ ମାଝୀଙ୍କୁ ଝରିଗାଁ ବିଧାନସଭା ଆସନ ଦେଇ ଦଳ ଅସନ୍ତୋଷକୁ ଚାପିଲା । ରମେଶଙ୍କ ଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ମାଝୀ କିନ୍ତୁ ଶଙ୍ଖ ଟିକଟ ହରାଇଲେ ।

ସେହିଭଳି ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି  ବିଜେଡି ଶିବିରକୁ ଆସିଲେ । ବିଜେଡି ସୁପ୍ରିମୋ ତାଙ୍କୁ ଭରସା କରି କେନ୍ଦ୍ରାପଡ଼ା ଏମ୍‌ପି ସିଟ୍‌ର ଯୋଦ୍ଧା ଭାବେ ଅବତୀର୍ଣ୍ଣ କରାଇଛି । ବିଜେଡି ସାଂସଦ ଅନୁଭବ ମହାନ୍ତି ଶଙ୍ଖ ଟିକଟରୁ ବଂଚିତ ହେବା ପରେ ବିଜେପି କ୍ୟାମ୍ପକୁ ଏଣ୍ଟ୍ରି ମାରିଛନ୍ତି ।

ବିଜେପି ଛାଡ଼ି ବିଜେଡିକୁ ଦୁଇ ବର୍ଷ ତଳେ ଆସି ଶଙ୍ଖ ଫୁଙ୍କିଥିଲେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ । ବିଜେଡି ତାଙ୍କୁ କେନ୍ଦୁଝର ଏମ୍‌ପି ଭାବେ ମଇଦାନରେ ଛିଡ଼ା କରାଇଛି । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ହାତଛାଡ଼ି ଦେଇଛି ଦଳ । ବିଜେଡିର ଏକାଧିକ ଆଶାୟୀ ନିରାଶ ହେଲେ । ବାଜି ମାରିନେଇଛନ୍ତି ସିଦ୍ଧୁ । 

ବିଜେପିର ତୁଣ୍ଡ ବୋଲାଉଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଥାଟବାଟରେ ପାଛୋଟି ନେଇଛି ବିଜେଡି । ଚର୍ଚ୍ଚା ହେଉଛି ବାଲେଶ୍ୱର ଲୋକସଭା ଆସନରେ ଦଳ ମହିଳା କାର୍ଡ ଖେଳିବ । ଲେଖାଶ୍ରୀଙ୍କୁ ଦଳ ବାଲେଶ୍ୱର ଏମପି ପ୍ରାର୍ଥୀ କରିବ । ଯଦି ଏହା ହୁଏ, ଆଶାୟୀ ରବୀନ୍ଦ୍ର ଜେନା ହତାଶ ହେବେ । ବିଜେଡିିରେ ‘ଦଳ ଡିଆଁ’ଙ୍କ ପ୍ରାଦୁର୍ଭାବରେ ପୁରୁଣା ନେତା ଓ ଆଶାୟୀମାନେ ମଳିନ ପଡ଼ି ଯାଇଛନ୍ତି । ବିଜେପି ଓ କଂଗ୍ରେସ ତ୍ୟାଗ କରି ଶଙ୍ଖ ଧରିଥିବା ନେତାମାନଙ୍କୁ ଦଳ ଆଶାଠୁ ଅଧିକ ପୁରସ୍କୃତ କରିଛି ।ନିଜ ରଣକୌଶଳରେ ବେଶ୍‌ ସଫଳ ହେଲେ । ପଦ୍ମ ଦଳକୁ ଡିଆଁ ମାରିଲେ । ବାଜି ମାରିନେଲେ । ପୁରୁଣା ନେତାଙ୍କୁ କାଟି ଦଳୀୟ ଟିକେଟ ହାତେଇ ନେବାରେ ସଫଳ ମଧ୍ୟ ହେଲେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.