ଛତିଶଗଡର କୁନି ଝିଅକୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ଚିଠି ଲେଖି ଦେଲେ ଆର୍ଶୀବାଦ

ନୂଆଦିଲ୍ଲୀ,୪।୧୧ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ କୁନି ଝିଅ ପାଇଁ ଚିଠି ଲେଖିଛନ୍ତି। ସେ ଝିଅ ଆଉ କେହି ନୁହେଁ, ସେ ହେଲା ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ମୋଦିଙ୍କ ସ୍କେଚ୍ ତିଆରି କରିଥିବା କୁନିଝିଅ ଆକାଂକ୍ଷା। ପ୍ରଧାନମନ୍ତ୍ରୀ ମୋଦି ଆକାଂକ୍ଷାକୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଥିବା ଚିଠିରେ ଆକାଂକ୍ଷାକୁ କହିଛନ୍ତି, ମୋତେ ତୁମର ସ୍କେଚ୍ ମିଳିଲା। ପ୍ରଧାନମନ୍ତ୍ରୀ ଚିଠିରେ ଛତିଶଗଡର ଲୋକଙ୍କଠାରୁ ମିଳିଥିବା ଭଲ ପାଇବା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଛତିଶଗଡର ଲୋକ ଦେଶର ପ୍ରଗତି ପାଇଁ ଖୁବ୍ ଯୋଗଦାନ କରିଛନ୍ତି।
ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର କାଙ୍କୋରରେ ଏକ ରାଲି କରୁଥିଲେ। ରାଲିକୁ ସମ୍ବୋଧିତ କରିବା ବେଳେ ଜଣେ କୁନି ଝିଅ ତାଙ୍କର ସ୍କେଚ୍କୁ ନେଇ ଠିଆ ହୋଇଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନଜର ସେହି କୁନି ଝିଅଟି ଉପରେ ପଡିଥିଲା ତାକୁ ଖୁବ୍ ଗେହ୍ଲା କରିଥିଲେ ଓ କହିଥିଲେ ଏକ ଚିଠି ଲେଖିବେ। ଏହି ସମୟରେ କୁନି ଝିଅଟିର ପାଖରେ ଠିଆ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମୋଦି ସ୍କେଚ୍ ଆଣିବାକୁ କହିଥିଲେ। ସ୍କେଚ୍ରେ କୁନି ଝିଅଟିକୁ ଆଡ୍ରେସ୍ ଲେଖିବାକୁ କହିଥିଲେ। କୁନି ଝିଅଟିକୁ ଚିଠି ଲେଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ଦେଇଥିଲେ। ଶନିବାର ମୋଦି ଚିଠି ଲେଠକି ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଛତିଶଗଡରେ ନିର୍ବାଚନୀ ଗସ୍ତରେ ମୋଦି ଥିଲେ। ଏହି ସମୟରେ କୁନି ଝିଅଟିକୁ ସେ ପ୍ରତିଶ୍ରୁତି ଦେଇଥିଲେ ଚିଠି ଲେଖିବେ। ମୋଦିଙ୍କ ବ୍ୟତୀତ ଗତ କିଛି ଦିନରେ ନେତାମାନେ ଲଗାତାର ଛତିଶଗଡ ଗସ୍ତ କରୁଛନ୍ତି। ଏହି ସମୟରେ ବିଜେପି ସହିତ କଂଗ୍ରେସ ନେତା ମଧ୍ୟ ଛତିଶଗଡ ଗସ୍ତ କରୁଛନ୍ତି। ରାଜ୍ୟରେ ୭ ଓ ୧୭ ନଭେମ୍ବରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ୩ ଡିସେମ୍ବରରେ ୫ ରାଜ୍ୟ ସହିତ ଛତିଶଗଡ ନିର୍ବାଚନ ପରିମାଣ ମଧ୍ୟ ଜାରି କରାଯିବ।