କଣାସ,୧୩/୦୯: କୁକୁଡ଼ା ଚାଷୀଙ୍କ ପାଇଁ ବଢିଲା ଟେନ୍ସନ୍ । କେମିତି କରିବେ ବ୍ୟବସାୟ । ତିନି ମାସ ପାଇଁ କୁକୁଡ଼ା ଚାଷ ଉପରେ କଟକଣା ଲଗାଇଲେ ପ୍ରାଣୀ ସମ୍ପଦ ବିଭାଗ ଏବଂ ପୁରୀ ପ୍ରଶାସନ । ବାର୍ଡ ଫ୍ଲୁ ପାଇଁ କୁକୁଡ଼ା ଚାଷ ଉପରେ ବାରଣ କରାଯାଇଥିବା ବେଳେ ପିପିଲି ବ୍ଲକର ୫୫ଟି କୁକୁଡ଼ା ଫାର୍ମ, ଡେଲାଙ୍ଗ ବ୍ଲକର ୬୪ଟି ଫାର୍ମ ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମ ସିଲ୍ କରିବା ସହ ବିଶୋଧନ କରିଛି ପ୍ରାଣୀ ସମ୍ପଦ ବିଭାଗ । ଏହାରି ଭିତରେ କୁକୁଡ଼ା ଫାର୍ମ ପାଇଁ ଲୋନ୍ ନେଇଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି ।
ସୂଚନା ମୁତାବକ, ବିଗତ ଦିନରେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳରେ ବ୍ୟାପିଥିଲା ବାର୍ଡ ଫ୍ଲୁ । ଏହି କାରଣରୁ ଅନେକ ଫାର୍ମରେ କୁକୁଡ଼ା ମରା ଅଭିଯାନ ମଧ୍ୟ କରିଥିଲା ପୁରୀ ପ୍ରଶାସନ । ଏଭଳି ସ୍ଥିତିରେ ପିପିଲି ବ୍ଲକର ୮୬୧ ଟି କୁକୁଡ଼ା ଫାର୍ମରୁ ୫୫ଟି ଫାର୍ମ, ଡେଲାଙ୍ଗ ବ୍ଲକର ୩୪୪ଟି ଫାର୍ମରୁ ୬୪ଟି ଫାର୍ମ ଓ ସତ୍ୟବାଦୀରେ ୨୨ ଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭିଷଣ ମାତ୍ରାରେ ବ୍ୟାପିଥିଲା । ଏହି କାରଣରୁ ଉକ୍ତ ଫାର୍ମ ଗୁଡ଼ିକୁ ବିଶୋଧନ କରି ସିଲ୍ କରିଥିଲା ପ୍ରାଣୀ ସମ୍ପଦ ବିଭାଗ ଏବଂ ପୁରୀ ପ୍ରଶାସନ । ଏହି ଫାର୍ମରେ ଥିବା କୌଣସି କୁକୁଡ଼ା ଚିଆଁ ୧-୧୦ କିଲୋମିଟର ବ୍ୟାସାର୍ଦ୍ଧରୁ ବାହାରକୁ ନଛାଡ଼ିବା ପାଇଁ କୁକୁଡ଼ା ଚାଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ । ଏହା ସହ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳରେ ୩ମାସ ପାଇଁ କୁକୁଡ଼ା ଚାଷ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ୍ ଲଗାଇଛି ପୁରୀ ପ୍ରଶାସନ ।
ଅନ୍ୟପଟେ କ୍ଷତି ପୂରଣରୁ ବଞ୍ଚିତ ଥିବା ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଏବଂ ନିମାପଡ଼ାର ହଜାର ହଜାର କୁକୁଡ଼ା ଚାଷୀ ଜିଲ୍ଲାପାଳଙ୍କୁ ଲିଖିତ ସୂଚନା ଦେଇଛନ୍ତି । ଯଦି ଏହି ସାତ ଦିନରେ କ୍ଷତି ପୂରଣ କଥା ନ ବୁଝାଯାଏ, ତେବେ ରାଜରାସ୍ତା ଅବରୋଧ କରିବା ସହିତ ଅକ୍ଷଚକ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।