ବାରିପଦା/ରାଇରଙ୍ଗପୁର,୧୯/୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ତାରିଖରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି । ଗସ୍ତକୁ ମଝିରେ ମାତ୍ର ଦିନଟିଏ ବାକିଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବଡ଼କଥା ଚଳିତ ଗସ୍ତରେ ରାଷ୍ଟ୍ରପତି ଜନ୍ମମାଟିରେ ୪୦ ମିନିଟ୍ ଧରି ଟ୍ରେନ୍ ଯାତ୍ରା କରିବେ ।
୨୦ ତାରିଖରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାରିପଦାରେ ପହଞ୍ଚି ସହିଦ ସ୍ମୃତିଭବନରେ ହେବାକୁ ଥିବା ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗଦେବେ । ପରେ କୁଳିଅଣାସ୍ଥିତ ଏକଲବ୍ୟ ବିଦ୍ୟାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚି ସଡ଼କ ପଥରେ ଆସି ରାଇରଙ୍ଗପୁର ଘରେ ରାତ୍ରିଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି ସଡ଼କ ପଥରେ ବାଦାମପାହାଡ଼ ରେଳଷ୍ଟେସନକୁ ଯିବେ । ସେଠାରେ ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଏବଂ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବେ । ଏଥିସହ ବାଦାମପାହାଡ଼ ଅମୃତ ଷ୍ଟେସନର ଭୂମିପୂଜା କରିବେ । ଭର୍ଚୁଆଲ ମୋଡ଼ରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ତଥା ସ୍ୱତନ୍ତ୍ର ଡାକଟିକଟ୍ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।
ସେହିଦିନ ପୂର୍ବାହ୍ଣ ୧୦ଟା ୪୫ରେ ବାଦାମପାହାଡ଼ ରେଳଷ୍ଟେସନରୁ ଟ୍ରେନ୍ରେ ରାଷ୍ଟ୍ରପତି ମୁର୍ମୁ ରାଇରଙ୍ଗପୁର ଫେରିବେ । ୩୨ କିମି ଏହି ଟ୍ରେନ୍ ଯାତ୍ରା ପାଇଁ ୪୦ ମିନିଟ୍ ସମୟ ନିର୍ଦ୍ଧାରଣ ହୋଇଛି । ତାଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରେଳଯାତ୍ରା କରିବେ । ପୂର୍ବାହ୍ଣ ୧୧ଟା ୨୫ରେ ରାଷ୍ଟ୍ରପତି ରାଇରଙ୍ଗପୁର ରେଳଷ୍ଟେସନରେ ପହଞ୍ଚିବେ । ସେଠାରୁ ଦାଣ୍ଡବୋଷ ହେଲିପ୍ୟାଡକୁ ଯାଇ ଏମ୍-୧୭ ହେଲିକପ୍ଟରରେ ସମ୍ବଲପୁର ଯାତ୍ରା କରିବେ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଯାତ୍ରା କରିବେ । ବୁର୍ଲାରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ । ୨୨ ତାରିଖରେ ସଡ଼କପଥରେ ବୁର୍ଲାରୁ ସମ୍ବଲପୁର ମିନି ଷ୍ଟାଡିୟମରେ ପହଞ୍ଚିବେ । ସକାଳେ ୯ଟାରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୁର୍ଲା ପ୍ରତ୍ୟାବର୍ତ୍ତନ କରିବେ । ପୂର୍ବାହ୍ଣ ସାଢ଼େ ୧୦ଟାରେ ବୁର୍ଲାରୁ ଝାରସୁଗୁଡ଼ା ବିମାନବନ୍ଦରକୁ ହେଲିକପ୍ଟରରେ ଯାଇ ସେଠାରୁ ବେଙ୍ଗାଲୁରୁ ଗସ୍ତ କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାରିପଦା ପୁଲିସ ପଡ଼ିଆରେ ୩ଟି ହେଲିପ୍ୟାଡ ନିର୍ମାଣ ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ୩୩ଟି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି । ରାଷ୍ଟ୍ରପତିଙ୍କ ପୂର୍ବଗସ୍ତ କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭ୍ରାଟ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାର ଯେପରି ପୁନରାବୃତ୍ତି ନଘଟେ, ସେଥିଲାଗି ବିଜୁଳି ବ୍ୟାକ୍ ଅପ୍ ବ୍ୟବସ୍ଥା କରାଯାଇଥିବା ଟିପିଏନ୍ଓଡିଏଲ୍ର ଅଧିକ୍ଷଣ ଯନ୍ତ୍ରୀ ହରିଶ ଚନ୍ଦ୍ର ପଣ୍ଡା କହିଛନ୍ତି ।