କର୍ଣ୍ଣାଟକ ୦୯/୦୮: କର୍ଣ୍ଣାଟକ ବଲାରୀ ଜିଲ୍ଲାର କୁରୁଗୋଡୁରେ ଥିବା ପ୍ରସିଦ୍ଧ ଡୋଡ୍ଡା ବାସବେଶ୍ୱର ମନ୍ଦିରର ଗର୍ଭଗୃହରେ ନିକଟରେ ଜଣେ ପୂଜାରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କର ଫଟୋ ରଖି ପୂଜା କରିଥିଲେ । ଏହାକୁ ନେଇ ବିବାଦ ବଢ଼ିବାରୁ ରାଜ୍ୟ ସରକାର ତୁରନ୍ତ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଏହାପରେ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି ।
ଘଟଣାଟି ଅମାବାସ୍ୟା ଦିନ ଘଟିଥିଲା । ପୂଜାରୀ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରର ଗର୍ଭଗୃହରେ ମୁଖ୍ୟ ଦେବତାଙ୍କ ସାମ୍ନାରେ ଦର୍ଶନଙ୍କର ବିଭିନ୍ନ ମୁଦ୍ରାର ଫଟୋ ରଖିଥିଲେ । ସେଠାରେ ସେ ସ୍ୱତନ୍ତ୍ର ପୂଜା ବି କରିଥିଲେ । ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଆପତ୍ତି କରିଥିଲେ । ସୋମବାର ସୋସିଆଲ୍ ମିଡିଆରେ ସେ ସଂପର୍କିତ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଥିଲା । ଏହାପରେ ବିବାଦ ବଢ଼ିଥିଲା । କିଛି ଲୋକ ଦେବୋତ୍ତର ବିଭାଗ ଅଧୀନରେ ଆସୁଥିବା ଏହି ମନ୍ଦିରରେ ଜଣେ ହତ୍ୟା ଅଭିଯୁକ୍ତଙ୍କ ଫଟୋ ରଖି ପୂଜା କରାଯିବା ଉଚିତ୍ କି ବୋଲି ପ୍ରଶ୍ନ କରିଥିଲେ । ପୂଜାରୀଙ୍କର ଏଭଳି ପଦକ୍ଷେପ ଦ୍ୱାରା ମନ୍ଦିରର ପବିତ୍ରତା ନଷ୍ଟ ହେବାସହିତ ଶ୍ରଦ୍ଧାଳୁଙ୍କ ଭାବନା ପ୍ରଭାବିତ ହୋଇଥିବା ସେମାନେ ଦର୍ଶାଇଥିଲେ । ଏହାପରେ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ଘଟଣାର ତଦନ୍ତ ଲାଗି ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି, ଚିତ୍ରଦୁର୍ଗ ଜିଲ୍ଲାର ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବେ ଜେଲ୍ରେ ଅଛନ୍ତି । ଜୁନ୍ ୧୧ରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ହେବା ସତ୍ତେ୍ୱ ପ୍ରଶଂସକମାନଙ୍କର ତାଙ୍କ ପ୍ରତି ଭଲପାଇବା କମିନାହିଁ । ସେମାନେ ତାଙ୍କୁ ବିଭିନ୍ନ ମାଧ୍ୟମରେ ସମର୍ଥନ ଜଣାଇ ଆସୁଛନ୍ତି । କିଛି ଲୋକ ସେମାନଙ୍କ ପିଲାଙ୍କୁ କଏଦୀ ବେଶ କରାଇ ତାର ଭିଡିଓକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି । ଆଉ କିଛି ଲୋକ ଦର୍ଶନଙ୍କ କଏଦୀ ନମ୍ବରକୁ ନିଜ ବାଇକ୍ରେ ଲଗାଉଛନ୍ତି । କିଛି ପ୍ରଶଂସକ ତାଙ୍କ ସମର୍ଥନରେ ଟାଟୁ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।