ଇନ୍ଦ୍ରଭୂତି, ଲକ୍ଷ୍ମିକରା ତଥା ପଦ୍ମସମ୍ଭବଙ୍କ ସାଧନା ଓ ସିଦ୍ଧିର ପୀଠ ହେଉଛି ସୁବର୍ଣ୍ଣପୁର ବା ପ୍ରାଚୀନ ବୌଦ୍ଧତନ୍ତ୍ର ଶାସ୍ତ୍ର ବର୍ଣ୍ଣିତ ଲଙ୍କାପୁରୀ ଯାହା ଏକ ଐତିହାସିକ ସତ୍ୟ ଅଟେ । ସୋମବଂଶୀ ରାଜକୁମାର ସୋମେଶ୍ୱର ଦେବଙ୍କ ଦ୍ୱାରା ଉତ୍କୀର୍ଣ୍ଣ କେଲଗାଁ ତାମ୍ରପଟ୍ଟାରୁ ଜଣାଯାଏ, ଆଧୁନିକ ସୁବର୍ଣ୍ଣପୁର ଅଞ୍ଚଳକୁ ଦଶମ/ଏକାଦଶ ଶତାଦ୍ଦୀ ଯାଏଁ ପଶ୍ଚିମ ଲଙ୍କା ଭାବେ ଅଭିହିତ କରାଯାଉଥିଲା । ମହଦା ତାମ୍ରପଟ୍ଟାରୁ ଜଣାଯାଏ, ଏହା ଚିତ୍ରୋତ୍ପଳା (ମହାନଦୀ) କୂଳରୁ ପ୍ରାପ୍ତ ଏବଂ ପାଶ୍ୱର୍ବର୍ତ୍ତୀ (ଲଙ୍କାବର୍ତ୍ତିକ ସାନିଧ୍ୟ) ଅଞ୍ଚଳରେ ଅବସ୍ଥିତ । (କୋଡିଅର କେଟଲଗ, ପୃ-୪୨-୪୫) ।
କଥିତ ଅଛି ସମ୍ବଳକର ରାଜା ଇନ୍ଦ୍ରଭୂତି ପ୍ରାରମ୍ଭରୁ ଅନ୍ଧ ଥିଲେ । ଏକମାତ୍ର ପୁତ୍ରର ମୃତ୍ୟୁଜନିତ ଦୁଃଖ ତଥା ରାଜ୍ୟରେ ଦୁର୍ଭିକ୍ଷ ଓ ମହାମାରୀର ପ୍ରାଦୁର୍ଭାବ ସମସ୍ତ ରାଜା ଓ ପ୍ରଜାଙ୍କୁ ମ୍ରିୟମାଣ କରିରଖିଥିଲା । ଭଗବାନ ବୁଦ୍ଧଙ୍କୁ କାତର ପ୍ରାର୍ଥନା କରିଥିଲେ, ଯାହାଦ୍ୱାରା ଅଯୋନିସମ୍ଭୂତ ପଦ୍ମସମ୍ଭବଙ୍କୁ ଇନ୍ଦ୍ରଭୂତି ଯୋଗବଳରେ ପାଇ ପୁତ୍ରବତ୍ ପାଳନ କରିଥିଲେ । ଯିଏ ସମୟକ୍ରମେ ଦ୍ୱିତୀୟ ବୁଦ୍ଧ ଭାବରେ ପରିଚିତ ହେଲେ । ପଦ୍ମସମ୍ଭବଙ୍କ ସଂପର୍କରେ ଆସି ଇନ୍ଦ୍ରଭୂତି ତାଙ୍କର ଦୃଷ୍ଟିଶକ୍ତି ଫେରିପାଇଥିଲେ । ଏବର୍ଷର ବୁଦ୍ଧ ଜୟନ୍ତୀ ଅବସରରେ କଳିଙ୍ଗ ବୁଦ୍ଧ ବିହାରର ବାର୍ଷିକ ଜର୍ଣ୍ଣାଲ "କଳିଙ୍ଗ'ରେ ପଦ୍ମସମ୍ଭବ ଯେ ଓଡ଼ିଶାର ବୋଲି ସାତ ଧାଡ଼ିର ଏକ ତିବ୍ଦତୀୟ ପ୍ରାର୍ଥନା ମାଧ୍ୟମରେ ସାଣ୍ଡିଲ୍ୟ କମିଟି ସାବ୍ୟସ୍ତ କରିଛନ୍ତି । ସମ୍ବଲପୁର ହେଉଛି ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଓ ବିଶିଷ୍ଟ ଜ୍ୟାତିର୍ବିଦ ଦୋଳଗାବିନ୍ଦ ପଣ୍ଡାଙ୍କର ସମ୍ଭାବ୍ୟ ଜାତକ ଅନୁସାରେ ୭୧୭ ମସିହା, ଆଷାଢ଼ ଶୁକ୍ଳ ଦଶମୀ (ବାହୁଡ଼ା ଯାତ୍ରା) ଇଂରେଜୀ ଜୁନ ୨୭ ତାରିଖ ହେଉଛି ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ତାରିଖ ଓ ତିଥି । ପଦ୍ମସମ୍ଭବ ତିବ୍ଦତରେ ତନ୍ତ୍ରଯାନର ପ୍ରଚାର ପ୍ରସାର କରି ଲାମା ଧର୍ମ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ଲାମାମାନେ ନିୟମିତ ଭାବରେ ତିବ୍ଦତରୁ ଆସି ସୁବର୍ଣ୍ଣପୁରରେ ପଦ୍ମସମ୍ଭବ ଓ ତାଙ୍କର ସାଧନା ଓ ସିଦ୍ଧିପୀଠ ଲଙ୍କେଶ୍ୱରୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଲଙ୍କାର ଈଷ୍ଟଦେବୀ ଲଙ୍କେଶ୍ୱରୀ ଆଜି ମଧ୍ୟ ମହାନଦୀ ଗର୍ଭରେ ଲଙ୍କାବର୍ତ୍ତକ ଠାରେ ପୂଜା ପାଉଛନ୍ତି ।
ଗୌତମ ବୁଦ୍ଧଙ୍କ ଭଳି ପଦ୍ମସମ୍ଭବଙ୍କର ଯୌବନ କାଳରେ ବୈରାଗ୍ୟ ଜାତ ହୋଇଥିଲା । ଅନେକ ସମୟରେ ସେ ଧ୍ୟାନମଗ୍ନ ରହୁଥିଲେ । ରାଜା ଇନ୍ଦ୍ରଭୂତି ବିଚଳିତ ହୋଇ ପାତ୍ରମନ୍ତ୍ରୀଙ୍କୁ ଏକ ଗୁଣବତୀ ଓ ରୂପବତୀ କନ୍ୟା ଅନ୍ୱେଷଣ ପାଇଁ ଆଦେଶ ଦେଲେ । ଲଙ୍କାର ସର୍ବଗୁଣସମ୍ପନ୍ନା ବସଧାରା ଯିଏକି ସମ୍ବଲକ (ସମ୍ବଲପୁର) ନିକଟସ୍ଥ ଏକ ରାଜ୍ୟ, ଯାହାର ଆଧୁନିକ ନାମ ସୁବର୍ଣ୍ଣପୁରର ରାଜକୁମାରୀ ଥିଲେ । ତାଙ୍କର ପିତା ଚନ୍ଦ୍ରକୁମାର ସିଂହଳର ରାଜକୁମାର ସହ ବସଧାରାଙ୍କ ନିର୍ବନ୍ଧ କରିସାରିଥିବାରୁ ରାଜା ଇନ୍ଦ୍ରଭୂତିଙ୍କ ପ୍ରସ୍ତାବରେ ରାଜି ହୋଇନଥିଲେ । କିନ୍ତୁ ଇନ୍ଦ୍ରଭୂତି ତନ୍ତ୍ରବଳରେ ବସଧାରା ଓ ତାଙ୍କର ସହଚରୀମାନଙ୍କୁ ନିଜ ରାଜପ୍ରାସାଦକୁ ଆଣି ପଦ୍ମସମ୍ଭବଙ୍କ ସହ ବିବାହ କରାଇଥିଲେ ।
ବିବାହର ପାଞ୍ଚବର୍ଷ ପରେ ପଦ୍ମସମ୍ଭବ ଅନୁଭବ କଲେ ଯେ ସାଂସାରିକ ସୁଖଭୋଗରେ ମାନବ ଜାତିର କଲ୍ୟାଣ ଅସମ୍ଭବ ଅଟେ । ସେ ଏକଥା ରାଜା ଇନ୍ଦ୍ରଭୂତିଙ୍କୁ ଜଣାଇଲେ । ଗୃହତ୍ୟାଗର ଅନୁମତି ମାଗିଲେ । ନହେଲେ ଆତ୍ମହତ୍ୟା କରିବାକୁ ଡରାଇଲେ । ଇନ୍ଦ୍ରଭୂତି ନମାନିବାରୁ ମରିବାକୁ ଯାଉଥିବା ଗୋଟିଏ ବାଳକକୁ ପଥରଟିଏ ମାରି ତାହାକୁ ମୁକ୍ତି ପ୍ରଦାନ କଲେ । ଏହା ଥିଲା ଅତୀବ ସମ୍ବେଦନଶୀଳ ଘଟଣା । ଏଣୁ ଇନ୍ଦ୍ରଭୂତି ପଦ୍ମସମ୍ଭବଙ୍କୁ ଅନ୍ତରୀଣ ବନ୍ଦୀ କରି ରାଜପ୍ରାସାଦରେ ରଖିଲେ । ପଦ୍ମସମ୍ଭବ ଅନିତ୍ୟ ରାଜକୀୟ ଭୋଗବିଳାସ ସଂପର୍କରେ କହି ନିଜର ମୁକ୍ତିପାଇଁ ଇନ୍ଦ୍ରଭୂତିଙ୍କୁ ପ୍ରାର୍ଥନା କଲେ । ଇନ୍ଦ୍ରଭୂତିଙ୍କ ଆଶୀର୍ବାଦ ପାଇ ରାଜପ୍ରାସାଦ ଛାଡ଼ି ଚିଲିଗ୍ରୋଭ ସମାଧିସ୍ଥଳରେ ପଦ୍ମସମ୍ଭବ ଆଶ୍ରୟ ନେଲେ । ପଦ୍ମସମ୍ଭବ ସେଠାରେ ଶବ ସାଧନା କଲେ ଓ ଦୀର୍ଘ ପାଞ୍ଚବର୍ଷ ଶ୍ମଶାନିକ ଯୋଗସାଧନା କରି ସମାଧିସ୍ଥଳର ଆତ୍ମାମାନଙ୍କୁ ଜାଗ୍ରତ କରି ନିଜର ଆଜ୍ଞାବହ ଭୃତ୍ୟ ପରି ବ୍ୟବହାର କଲେ । ସେ ଅତ୍ୟନ୍ତ ମେଧାବୀ ଥିଲେ । ଦେବ ଦାନବ ବିଦ୍ୟାରେ ପାରଙ୍ଗମ ଥିଲେ । ସର୍ବମୋଟ୍ ୩୬୦ଟି ଭାଷାରେ ଦକ୍ଷତା ଅର୍ଜନ କରିଥିଲେ । ବାରାଣାସୀର ସନ୍ଥ ଅର୍ଜୁନଙ୍କ ଠାରୁ ଜ୍ୟୋତିଷବିଦ୍ୟା, ଜୀବ କୁମାରଙ୍କ ଠାରୁ ଆୟୁର୍ବେଦ, ଡାକ୍ତର ସୋନିୟାନଙ୍କ ଠାରୁ ଔଷଧ ତିଆରି, ବିଶ୍ୱକର୍ମା ନାମକ ଜଣେ ଶିଳ୍ପୀଙ୍କ ଠାରୁ ଶିଳ୍ପକଳା ଓ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଜ୍ଞାନୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ।
ପଦ୍ମସମ୍ଭବ ବର୍ମାର ଏକ ଗୁମ୍ଫାରେ ବାସ କରୁଥିବା ରାଜକୁମାର ଶ୍ରୀସିଂହଙ୍କ ଠାରୁ ମୁକ୍ତିର ବିଦ୍ୟା ଲାଭ କରିଥିବାର ନିଜେ ସ୍ୱୀକାର କରିଛନ୍ତି ଏବଂ ସେ ଉଡ୍ଡିୟାନର ବୋଲି ଉଲ୍ଲେଖ କରିଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତ୍ରିପିଟକ କିମ୍ବା ଗୁହ୍ୟ ମନ୍ତ୍ରଯୋଗ ଦ୍ୱାରା ସେ ମୁକ୍ତିଲାଭ କରିନାହାଁନ୍ତି । ଏହି ସମୟରେ ପଦ୍ମସମ୍ଭବ ଯାଦୁ, ପୂର୍ବଜନ୍ମ, ଦୀର୍ଘଜୀବନ, ରୋଗ ନିରାକରଣ, ବିଷକ୍ରିୟା ଉପଶମନ, ଜଳ ଉପରେ ତଥା ଆକାଶରେ ଗମନ ଆଦି ଅନେକ ବିଦ୍ୟାର ଅଧିକାରୀ ହୋଇପାରିଥିଲେ । ପୃଥିବୀର ସମସ୍ତ ଅନିଷ୍ଟକାରୀ ଶକ୍ତିକୁ ବିନାଶ କରିବାକୁ ପଦ୍ମସମ୍ଭବ ମନ୍ତ୍ରଶକ୍ତିର ସଫଳ ପ୍ରୟୋଗ କରିଥିଲେ ।
ଏତିକିବେଳେ ପଦ୍ମସମ୍ଭବ ଏକ ଆଧ୍ୟାତ୍ମିକ ସଙ୍ଗିନୀର ଆବଶ୍ୟକତା ଅନୁଭବ କଲେ । ସହୋର ନାମକ ଦେଶ (ଆଧୁନିକ କେନ୍ଦୁଝର)କୁ ଯାଇ ରାଜା ଅର୍ଶଧାରା ଓ ରାଣୀଙ୍କ ମିଳନ ସମୟରେ ପଦ୍ମସମ୍ଭବ ରାଣୀଙ୍କ ଗର୍ଭରେ ପ୍ରବେଶ କଲେ । ପରବର୍ତ୍ତୀ ସମୟରେ ରାଣୀ ବିଶିଷ୍ଟ ଏକ କନ୍ୟା ସନ୍ତାନ ଜନ୍ମଦେଲେ ଯିଏ ଏକ ସନ୍ନ୍ୟାସିନୀର ଜୀବନ ପାଇଁ ମନବଳାଇଲେ, ଯାହାଙ୍କ ନାଁ ମନ୍ଦରଭା ଥିଲା । ରାଜା ଅର୍ଶଧାରା ମନ୍ଦରଭାଙ୍କୁ ପଦ୍ମସମ୍ଭବକୁ ଅର୍ପଣ କରିବା ସହ ରାଜ୍ୟଭାର ମଧ୍ୟ ଅର୍ପଣ କଲେ ।
ପଦ୍ମସମ୍ଭବ ଉଡ୍ଡିୟାନରେ ବୌଦ୍ଧଧର୍ମ ପ୍ରଚାର କରିବାକୁ ବାହାରିଲେ । ଯେଉଁ ମନ୍ତ୍ରୀଙ୍କ ପୁତ୍ରକୁ ସେ ହତ୍ୟା କରିଥିଲେ ସିଏ ପଦ୍ମସମ୍ଭବଙ୍କୁ ଚିହ୍ନିପାରି ତାଙ୍କୁ ଜିଅନ୍ତା ଜାଳିଦେବାକୁ ପ୍ରୟାସ କରିଥିଲେ । କିନ୍ତୁ ପଦ୍ମସମ୍ଭବ ଅଗ୍ନିକୁ ଏକ ହ୍ରଦରେ ପରିଣତ କରି ପଦ୍ମପତ୍ରରେ ମନ୍ଦରଭା ସହ ବସିଥିବାର ଦେଖାଗଲା । ଏହା ଦେଖି ରାଜା ଇନ୍ଦ୍ରଭୂତି ଓ ପାରିଷଦବର୍ଗ ପଦ୍ମସମ୍ଭବଙ୍କୁ ରାଜପ୍ରାସାଦକୁ ଡାକିନେଲେ ଯେଉଁଠି ସେ ତେରବର୍ଷ ଆଧ୍ୟାତ୍ମିକ ଗୁରୁ ହୋଇ ରହିଲେ ।
ଆଧ୍ୟାତ୍ମିକ କ୍ଷେତ୍ରରେ ବାକି ରହିଯାଇଥିବା କାର୍ଯ୍ୟକୁ ପୂରା କରିବାକୁ ମନ୍ଦରଭା ସହ ସେ ନେପାଳ ଯାତ୍ରା କଲେ, ଯେଉଁଠାରେ ମାରତିକ ଗୁମ୍ଫାରେ ଅବଲୋକିତେଶ୍ୱର ବାସ କରୁଥିଲେ । ସେଠାରେ ତିନିମାସ ସାତଦିନ ଗଭୀର ପ୍ରାର୍ଥନା କଲେ, ଯାହା ଅମିତାୟୁସ ବୋଲି କୁହାଯାଏ । କଳ୍ପର ଅନ୍ତଯାଏଁ ଜନ୍ମମୃତ୍ୟୁରୁ ମୁକ୍ତ ହୋଇଯିବାର ଆଶୀର୍ବାଦ ପ୍ରାପ୍ତ କରି ଅଦୃଶ୍ୟ ହୋଇଯିବାର ଶକ୍ତି ମଧ୍ୟ ପ୍ରାପ୍ତ କଲେ ।
ପଦ୍ମସମ୍ଭବ ଏବଂ ମନ୍ଦରଭା କୋଶଳ ଦେଶକୁ ଆସି ଲଫଟିସିଷ୍ଟ ପର୍ବତମାଳାର ଏକ ଗୁମ୍ଫାରେ ବାରବର୍ଷ ଯୋଗସାଧନା କଲେ । ତା’ପରେ ପାଟଳିପୁତ୍ର ଯାଇ ସମ୍ରାଟ ଅଶୋକଙ୍କୁ ଯୋଗବିଦ୍ୟା ବଳରେ ପରାସ୍ତ କରି ତାଙ୍କୁ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରାଇବାକୁ ସମର୍ଥ ହୋଇଥିଲେ । ପଦ୍ମସମ୍ଭବ ଉଡ୍ଡିୟାନରେ ଆବିର୍ଭାବ ହୋଇ ବଜ୍ରଯାନ ବୌଦ୍ଧ ତନ୍ତ୍ରଯୋଗ ଭୁଟାନ, ନେପାଳ, ତିବ୍ଦତ ତଥା ପଡ଼ୋଶୀ ଦେଶମାନଙ୍କରେ ପ୍ରଚାର କରିଥିଲେ । ଏହା ଅଷ୍ଟମ ଶତାବ୍ଦୀର କଥା ଯାହା ବୌଦ୍ଧ ଶାସ୍ତ୍ରମାନଙ୍କରେ ଲିପିବଦ୍ଧ ହୋଇଛି ।
ସୁବର୍ଣ୍ଣପୁରର ଗବେଷକ, ଐତିହାସିକ ଗୋରେଖନାଥ ସାହୁ ଏବଂ ସ୍ୱର୍ଗତ ପଣ୍ଡିତ ଦାମୋଦର ହୋତାଙ୍କ ଦ୍ୱାରା ରଚିତ ପୁସ୍ତକ "ଅଦ୍ୱୟ ସିଦ୍ଧି', ଯାହା ଅଦ୍ୱୟସିଦ୍ଧି, ଜ୍ଞାନସିଦ୍ଧି ଓ ପ୍ରଜେ୍ଞାପାୟ ବିନିଶ୍ଚୟ ସିଦ୍ଧିର ସମାହାର ତଥା ଡ. ବିମଲେନ୍ଦୁ ମହାନ୍ତିଙ୍କ ଦ୍ୱାରା ସଂପାଦିତ ପୁସ୍ତକ "ପଦ୍ମସମ୍ଭବ ଅଫ ଉଡ୍ଡିଆନ'ରେ ପଦ୍ମସମ୍ଭବ ବା ଗୁରୁ ରିଙ୍ଗପୋଚେଙ୍କର ସୁବର୍ଣ୍ଣପୁର ସହ ସଂପର୍କ ବିଷୟରେ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି ।