ଭୁବନେଶ୍ୱର: ଏଇ ଖରାଦିନର ମୋର ଅଙ୍ଗେନିଭା କଥାଟି ମୁଁ ନକହି ରହିପାରୁନି । କାହିଁ କେତେଦିନରୁ ଏକରକମରେ ଚାଲି ଆସୁଥିବା ଆମ ଘରର ଦିନଯାକର କାମଦାମ ଅନ୍ୟମାନଙ୍କ ପାଇଁ ଆଦର୍ଶ ନହେଲେ ହେଁ ହୁଏତ ଏକ ବ୍ୟବସ୍ଥିତ ଜୀବନଚର୍ଯ୍ୟା ଭିତରେ ଆସିପାରେ ବୋଲି ମୋର ଦୃଢ଼ ବିଶ୍ୱାସ । ପ୍ରାୟ ସବୁ ଘର ଲୋକଙ୍କ ସକାଳୁ ସକାଳୁ ଉଠିବା, ଗାଧୁଆ ହେଉ କି ଜଳଖିଆ ପର୍ବ, ମଧ୍ୟାହ୍ନ ବା ରାତ୍ରିଭୋଜନ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ମଧ୍ୟରେ ସରିବା, ରାତି ସାଢ଼େଦଶଟା ବେଳକୁ ମୋ ଛଡ଼ା ବାକିମାନଙ୍କ ଶରୀର ଯେତେ ଖଟିଆ ଉପରେ ଲୋଟି ସାରିଥିବା, ଏଇଟା ହିଁ ଆଜି ଯୁଗର ଏକ ଆଦର୍ଶ ଦୈନନ୍ଦିନ ଜୀବନର ଚିଠା, ଏଥିରେ କୌଣସି ସନ୍ଦେହ ନହେଲେ ଭଲ ।
ହଁ, ମୁଁ କହୁଥିଲି ଖରାଦିନ ଛୁଟି କଥା । ଅଠର କି ଊଣେଇଶି ବର୍ଷ ବୟସର ପହିଲି ଯୌବନର ଶିଡ଼ି ଚଢୁଥିବା ବାଳକର ଜୀବନର ପରିଧିକୁ ଆସି ତା’ ଦିନଯାକର କାର୍ଯ୍ୟକାଳାପକୁ ଅତି ପାଖରୁ ମାପଚୁପ କରିବାର ଏକ ନିଆରା ଅନୁଭୂତି ମୋର ହେଲା ପ୍ରାୟ ଚାରି ସପ୍ତାହ ଧରି । ପିଲାଟି ସାଙ୍ଗରେ ରହିଲି, ତା’ ଖାଇବା-ପିଇବା, ଶୋଇବା-ଉଠିବା ସବୁକୁ ନିରେଖି ଦେଖିଲି ଗୋଟି ଗୋଟି କରି । ଦିନ ଯେତେ ଯେତେ ଗଡୁଥାଏ ମୋର ନୂଆ ନୂଆ ରଙ୍ଗଢଙ୍ଗ ଗୁଡ଼ା ଦେଖିବା ବଢ଼ି ବଢ଼ି ଚାଲିଥାଏ, ତା’ ସାଥିରେ ତାଳଦେଇ ଧାଉଁଥାଏ ମୋ ଆବାକାବା ହେବା ପଣିଆଟି । କି ପ୍ରକାର ଜୀବନଚର୍ଯ୍ୟା ସତରେ, ଖାଇବା-ପିଇବା, ଶୋଇବା-ଉଠିବାର ସମୟ ତ ଛାଡ଼ । ଏପଟେ ରାତି ଚାରିଟା ଯାଏଁ ଆଉ ସେପଟେ ଦିନଟାଯାକ ମୋବାଇଲରେ ବାନ୍ଧିହେବା, ଏଗାରଟା-ବାରଟା ବେଳକୁ ଉଠିବା, ଘର ଖାଦ୍ୟକୁ ବିଷ ମଣିବା, ବାହାରୁ ଅର୍ଡର କରି ଖାଇବା, ଆଇସକ୍ରିମ୍ କି କୋଲ୍ଡ ଡ୍ରିଙ୍କସ୍ କି ଜୁସ୍ ଅତ୍ୟାବଶ୍ୟକ ହୋଇପଡ଼ିବା, କୋଠରିଟି ଭିତରୁ ଜମାରୁ ପଦାକୁ ନବାହାରିବା ।
ମତେ ଖାଲି ଦେଖି ଦେଖି ଅଣନିଶ୍ୱାସୀ ପରିକା ଲାଗୁଥାଏ । ହେତୁ ହେଉଥାଏ ମୋ ଆଦ୍ୟ ଯୌବନ କଥା । ନାଲିମାଟି ଭରା ଟାଙ୍ଗର ଭୂଇଁ ଉପରେ କ୍ରିକେଟ ଖେଳ, କେଉଁ କାଳର କଳା ବିଟ୍ ବିଟ୍ ସାଇକେଲଟିଏ ଧରି କାହିଁ କୁଆଡ଼େ ଧାଇଁବା । କ୍ଲବ ପଡ଼ିଆର ଗଣେଶ ପୂଜା, କି ଅପେରା କି ମୀନାବଜାର ସବୁଠି ନିଜକୁ ହଜାଇ ଦେବା । ସେଦିନର ସାଙ୍ଗସାଥୀଙ୍କ ମୁହଁ ଯେତେ, ବାଇସ୍କୋପ ପରି ଗୋଟି ଗୋଟି କରି ଭାସି ଆସୁଥାଏ ମୋ ମନର ଆଇନାରେ । ସତରେ! ଏମିତି କେଉଁ ଏକ ଆବଦ୍ଧ କୋଠରିର ନିରୋଳା କୋଣରେ ଖୁନ୍ଦି ହୋଇନଥିଲା ଜୀବନଗୋଟି ସେତେବେଳକୁ, ମୋ ଭିତରୁ କିଏ ଯେମିତି ଆତୁର ହୋଇ କହି ଦେଉଥାଏ । ଏହିପରି ଏକ ଲଗାମ ଛଡ଼ା ଜୀବନର ଛାୟାରୁ ହିଁ ଜନ୍ମ ନିଏ ଚେତନାର ଭିନ୍ନ ଏକ ଦିଗ । ଏକ ସାଧାରଣ ମଣିଷ ପାଇଁ ଏହା ‘ଜୀବନର ଘଡ଼ି’ ହୋଇଥିବା ବେଳେ ଜଣେ ଜୀବବିଜ୍ଞାନୀ ସକାଶେ ‘ସର୍କେଡିୟନ୍ ରିଦମ୍' ହୋଇଥାଏ । ଯେଉଁ ତଥ୍ୟ ଉପରେ କି ଗବେଷଣା ପାଇଁ ଜେ. ହଲ୍, ଏମ୍. ରୋସବାସ୍ ଏବଂ ମାଇକେଲ ୟଙ୍ଗ୍ଙ୍କୁ ମିଳିସାରିଛି ‘ଫିଜିଓଲୋଜି ଓ ମେଡିସିନ୍' ବିଭାଗର ନୋବେଲ ପୁରସ୍କାର ଗଲା ୨୦୧୭ ମସିହାରେ ।
ଜୀବମାନଙ୍କ ଶରୀର କୋଷ ବୋଲି ଅତି ଛୋଟ ଛୋଟ ଏକକରେ ତିଆରି । ପୁଣି ଏକରକମର ଅନେକ କୋଷ ମିଶି ଏକ ଅଙ୍ଗ ତିଆରି କରୁଥିବା ବେଳେ, ଅଙ୍ଗସମୂହ ପରସ୍ପର ସହ ସମନ୍ୱୟ ରଖି ଆମ ଭଳିଆ ଉନ୍ନତ ଜୀବମାନଙ୍କର ଶରୀର ଗଠନ କରିଥାନ୍ତି । ଶରୀର କୋଷଗୁଡ଼ିକର କାମ କରିବାର ତାଳର ଡୋରଟି ଲାଖି ରହିଥାଏ ଅହର୍ନିଶି ଧାଉଁଥିବା ଏହି ଜୀବନ ଘଡ଼ିର ଟିକ୍ ଟିକ୍ ସହ କହିଲେ ଠିକ୍ ହେବ ବୋଲି ମୋର ମନେହୁଏ । ଜୀବନର ଲୟ କୁହାଯାଉଥିବା ଏ ଜୀବନର ଘଡ଼ିଟି ତାହେଲେ କ'ଣ? ସାଧାରଣ ହିସାବରେ ବୁଝିବାକୁ ହେଲେ ଏହା ହେଉଛି ଜୀବମାନଙ୍କ ଶରୀର ମଧ୍ୟରେ ୨୪ଘଣ୍ଟା ଭିତରେ ହେଉଥିବା ଶାରୀରିକ, ମାନସିକ ଏବଂ ବ୍ୟାବହାରିକ ପରିବର୍ତ୍ତନ । ଆଲୋକ ଏବଂ ଅନ୍ଧାରର ପ୍ରଭାବ ଏହା ଉପରେ ବିଶେଷ ରୂପେ ଅନୁଭୂତ ହେଉଥିଲେ ହେଁ, ଅନ୍ୟ କଥା ଯେତେ ଯଥା- ଖାଦ୍ୟପେୟ, ବିଭିନ୍ନ ପ୍ରକାର ଚାପ, ଶାରୀରିକ ଗତିବିଧି ତଥା ସାମାଜିକ ବାତାବରଣ ଆଦିର ପ୍ରଭାବ ମଧ୍ୟ ଏହାକୁ ବହୁ ପରିମାଣରେ ପ୍ରଭାବିତ କରିଥାନ୍ତି । ଏକଥା ମଧ୍ୟ ଗବେଷଣାରୁ ସ୍ପଷ୍ଟ ଯେ, ସିଏ ପ୍ରାଣୀ ହେଉ କି ଉଦ୍ଭିଦ ଅବା ହୋଇଥାଉ ଅଣୁଜୀବ, ଅଧିକାଂଶ ସଜୀବ ବସ୍ତୁର ଜୀବନ ଏହିପରି ଲୟରେ ବନ୍ଧା । ହେଲେ ଆଲୋଚନାର ପରିସରକୁ ମନୁଷ୍ୟ ମଧ୍ୟରେ ସୀମିତ ରଖି ଏବେ ଅଳ୍ପ ଟିକିଏ ଜାଣିନେବା ଆମ ସଭିଙ୍କ ଜୀବନ ଡଙ୍ଗାକୁ ବାହିନେବାରେ ଏଭଳିଆ ଲୟର ଦାୟିତ୍ୱ କେତେ ବୋଲି? ୨୦୨୦ ମସିହାରେ ‘ଟ୍ରାନ୍ସନେସନାଲ ସାଇକିଏଟ୍ରି' ନାମକ ପତ୍ରିକାରେ ୱିଲିଆମ ୱାକର୍ ଓ ସାଥୀଙ୍କ ଦ୍ୱାରା ପ୍ରକାଶିତ ପ୍ରବନ୍ଧଟି କହେ ଯେ, ମାନବର ମସ୍ତିଷ୍କ ମଧ୍ୟରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଜୈବ-ଅଣୁଗୁଡିକ ଏହି ୨୪ଘଣ୍ଟିଆ ଲୟର ମୂଳ ଉତ୍ସ, ଯାହାକି ଆଲୋକ ଏବଂ ଅନ୍ଧାରର ଚକ୍ର ଉପରେ ପର୍ଯ୍ୟବସିତ । ମସ୍ତିଷ୍କର ପ୍ରାୟ କେନ୍ଦ୍ର ଭାଗରେ ସୁଷମ୍ନାକାଣ୍ଡର ଠିକ୍ ଉପରକୁ ଥିବା ଅଂଶଟିର ନାମ ହେଉଛି ‘ହାଇପୋଥାଲାମସ୍' । ଏହି ଛୋଟିଆ ଅଂଶଟି ମୁଖିଆ ସାଜି ସ୍ନାୟୁତନ୍ତ୍ର ମାଧ୍ୟମରେ ଶରୀରର ସବୁ ଅଙ୍ଗର ଲୟକୁ ସୁଚାରୁ ରୂପେ ସଂଚାଳିତ କରିଥାଏ । ସେହିପରି ଭିନ୍ନ ଏକ ପ୍ରତିଷ୍ଠିତ ଜର୍ଣ୍ଣାଲ ‘ଜିନୋମ୍ ମେଡିସିନ୍'ରେ ୨୦୧୯ ମସିହାରେ ରିଜୋ-ଫେରୈରା ଏବଂ ତାକାହାସୀଙ୍କ ଲେଖାଟିରୁ ଜଣାଯାଏ ଯେ ଜୀବନର ଏହି ଘଡ଼ିଟି ନିହାତି ଅପରିହାର୍ଯ୍ୟ³ କାରଣ ଏହା ଆମ ନିଦ୍ରାଚକ୍ର, ଶରୀର ମଧ୍ୟସ୍ଥ ରାସାୟନିକ ପ୍ରକ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରିତ କରିବାର ଦୁରୂହ ଦାୟିତ୍ୱଟି ବହନ କରେ । ଏଥିସହ ଏହି ଲେଖା ଖଣ୍ଡିକରେ ଦିହେଁ ନିକଟ ଅତୀତରେ ଏହା ଉପରେ ହେଇଥିବା ଗବେଷଣାରୁ ଜଣାପଡ଼ିଥିବା କଥାଗୁଡ଼ିକ, ଯେପରିକି ହୃଦୟତନ୍ତ୍ର ଏବଂ ସ୍ନାୟୁତନ୍ତ୍ର, ଖାଦ୍ୟନଳୀ ମଧ୍ୟର ଅଣୁଜୀବ, କର୍କଟ ରୋଗ, ବୟସ ବୃଦ୍ଧି ଉପରେ ଏହାର ପ୍ରଭାବ ତଥା ଏହାର ଜିନ୍-ସଂଶ୍ଳିଷ୍ଟ ଦିଗ ଆଦି ଉପରେ ମଧ୍ୟ ଅନେକ ଉପାଦେୟ କଥା ବଖାଣିବାର ପ୍ରୟାସ କରିଛନ୍ତି । ଠିକ୍ ସେହିପରି, ଅହମଦ ଏବଂ ସାଥୀ ଗବେଷକଗଣ ଏହି ଲୟର ବିଚ୍ୟୁତି ସହିତ ବହୁଳ ଭାବରେ ଭୁଲି ହେଇଯାଉଥିବା ରୋଗ ବା ଆଲଝାଇମର ରୋଗର ଗଭୀର ସମ୍ପର୍କ ରହିଥିବା ବିଷୟକୁ ‘ଏଜିଙ୍ଗ୍ ମେଡିସିନ୍' ନାମକ ପତ୍ରିକାରେ ପ୍ରକାଶିତ ତାଙ୍କ ଲେଖାଟିରେ ତଥ୍ୟ ପ୍ରମାଣ ସହ ପେସ୍ କରିଛନ୍ତି । ହେଲେ ଏକଥା ସତ୍ୟ ଯେ, ଶରୀରର ଅନେକ ଜିନିଷ ପରସ୍ପର ସହ ସଂଯୋଗ ରଖି ଜୀବନର ଘଡ଼ିଟିକୁ ଠିକ୍ରୂପେ ଚାଲିବାରେ ସାହାଯ୍ୟ କରିଥାନ୍ତି । ଏହି ଜିନିଷମାନଙ୍କ ମଧ୍ୟରେ ମୁଁ ପୂର୍ବରୁ କହିଥିବା କୋଷ, ମେଲାଟୋନିନ୍ ବା କୋର୍ଟିସଲ୍ ବା ଭେସୋପ୍ରେସିନ୍ ଆଦି ହରମୋନ ତଥା ଦେହର ତାପମାତ୍ରା ଆଦି ମୁଖ୍ୟ କାରକ ଭାବରେ ଗଣା ହୁଅନ୍ତି ।
ଏଠାରେ କହିବା ଉଚିତ ଯେ, ଶିଶୁମାନଙ୍କ କ୍ଷେତ୍ରରେ ଏ କଥାଟିର ସମ୍ବେଦନଶୀଳତା ଢେର୍ ବେଶୀ । ଜନ୍ମିତ ଶିଶୁଠେଇଁ ଜୀବନର ଘଡ଼ିଟି ଲୟବିହୀନ ହୋଇଥାଏ ଅନ୍ତତଃ କିଛି ମାସ ପର୍ଯ୍ୟନ୍ତ । ଏଣୁ ସେମାନଙ୍କର ଶୋଇବା ପ୍ରଣାଳୀଟି ବଡ଼ ବିଚିତ୍ର ହୋଇଥାଏ, କୌଣସି ଏକ ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ପାଳନ ନକରି । ଜନ୍ମର ଦୁଇରୁ ନଅମାସ ପରେ ଯାଇ ତାଙ୍କ ହର୍ମୋନଗୁଡ଼ା କ୍ଷରିତ ହେବାରେ ଲାଗେ, ଏଥିସହ ଆରମ୍ଭ ହୋଇଯାଏ ଜୀବନ ଘଣ୍ଟାର କାମ । ଟିକିଏ ବଡ଼ ହେଲାବେଳକୁ ନିଦ୍ରାଚକ୍ର ଏକ ନିୟନ୍ତ୍ରିତ ଧାରାକୁ ଆସି ଶିଶୁ ଅବସ୍ଥାରେ ନଅରୁ ଦଶଘଣ୍ଟାର ନିଦ ଦରକାର ହୋଇଥାଏ ବୋଲି ଡାକ୍ତରୀ ପାଠ କହେ । ଏହିପରି ଚାଲେ ପ୍ରାୟ ବାର, ତେର ବର୍ଷ ପର୍ଯ୍ୟନ୍ତ, ଏହି ସମୟରେ ଧୀରେ ଧୀରେ ଜୀବନର ଲୟରେ ପରିବର୍ତ୍ତନ ଆସେ । ରାତି ନଅଟା ବେଳକୁ ଝୁମ୍ପି ପଡୁଥିବା ଶିଶୁଟି ଦଶଟା କି ଏଗାରଟା ଯାଏ ସତେଜ ରହିବାକୁ ଆରମ୍ଭ କରେ । କାରଣ ତା’ ଶରୀରର ମେଲାଟୋନିନ୍ ସେତେବେଳଯାଏଁ ନିଦ କରିବାର ସ୍ତରକୁ ଆସିନଥାଏ । ମଝିମଝିକିଆ ଏହି ବୟସରେ ଜୀବନର ଘଡ଼ିଟି ପରିବେଶ ସହ ତାଳଦେଇ ଚାଲିବାକୁ ଚେଷ୍ଟାକରେ ଅହରହ । ଏଣୁ ଆଦ୍ୟ ଯୌବନରେ ଏକ ବ୍ୟବସ୍ଥିତ ଜୀବନଶୈଳୀ ଅପରିହାର୍ଯ୍ୟ ହୋଇପଡ଼େ ଏକ ସୁସ୍ଥ ଓ ସୁଦୀର୍ଘ ଜୀବନ ପାଇଁ । ସୁସ୍ଥ ବୟସ୍କ ଲୋକଙ୍କ କ୍ଷେତ୍ରରେ କିନ୍ତୁ ସବୁଠି ସ୍ଥିରତା ଆସେ ଏବଂ ଛଅ ସାତ ଘଣ୍ଟାର ନିଦ ଦରକାର ହୋଇଥାଏ ନିଜକୁ ସତେଜ ରଖିବା ପାଇଁ । ବୟସ ବଢ଼ିବା ସହିତ ଏହି ଲୟରେ ପୁଣି ପରିବର୍ତ୍ତନ ହୋଇ ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ଦେଖାଯାଏ ତଥା ଶରୀର ବିଶେଷରେ କିଛି କିଛି ବ୍ୟତିକ୍ରମ ପରିଲକ୍ଷିତ ହେବାକୁ ସାଧାରଣ ବୋଲି ଧରି ନିଆଯାଏ ।
ଏବେ ଟିକିଏ ଜାଣିବା ଠିକ୍ ଠିକ୍ ଧାଉଁଥିବା ଜୀବନର ଲୟଟି ତା’ ଧାରଣା ଉପରୁ ତଳକୁ ଗଡ଼ିଯାଏ କାହିଁକି ବୋଲି? ଏହି ଜୈବ-ରାସାୟନିକ ପ୍ରକ୍ରିୟାକୁ ବିଗାଡ଼ିଦେବାର ସାମର୍ଥ୍ୟ ରଖୁଥିବା କାରକଗୁଡ଼ିକୁ ବୟସଜନିତ, ପରିବେଶଗତ ବା ପେସାଗତ, ବଂଶଗତ, ରୋଗ ସମ୍ପର୍କିତ ଏବଂ ଜୀବନଶୈଳୀଭିତ୍ତିକ ଭଳି ପାଞ୍ଚଟି ଶ୍ରେଣୀରେ ଭାଗ କରାଯାଇପାରେ । ବୟସକୁ ନେଇ ହେଉଥିବା ବିଚ୍ୟୁତି ବିଷୟରେ ତ ଜାଣିସାରିଲେଣି । ଦିନ-ରାତି ସିଫ୍ଟରେ ବଦଳି କାମ କରୁଥିବା ଲୋକଙ୍କଠାରେ ପେସାଗତ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । ଏଥିରେ ଉଡ଼ାଜାହାଜ ଶିଳ୍ପ ସହ ଜଡ଼ିତ କର୍ମଚାରୀ, ପୃଥିବୀର ଏକ ମୁଣ୍ଡରୁ ଆରେକକୁ ବାରମ୍ବାର ଧାଉଁଥିବା ଲୋକେ, ଡାକ୍ତରୀ ବା ଆଇଟି ପେସାରେ ଥିବା ବ୍ୟକ୍ତି ଆଦି ବିଶେଷତଃ ପ୍ରଭାବିତ ହୋଇଥାନ୍ତି । ବଂଶଗତ ଗୁଣକୁ ନେଇ କୁହାଯାଇପାରେ ଯେ ‘ପର୍' ଓ ‘କ୍ଲକ୍' ଭଳି କିଛି ‘ସର୍କେଡିୟନ୍ କ୍ଲକ୍ ଜିନ୍'ରେ ପରିବର୍ତ୍ତନ ଏପରି ବ୍ୟତିକ୍ରମ ସୃଷ୍ଟି କରିଥାଏ ବୋଲି ମଧ୍ୟ ଜଣାପଡିଲାଣି । ଅଟିଜମ୍, ହଚିନ୍ସନ୍ସ ଡିଜିଜ୍, ଦୃଷ୍ଟିଶକ୍ତି ସହ ସଂପୃକ୍ତ କେତେକ ରୋଗ, ବ୍ରେନ୍ ଟ୍ୟୁମର ବା ଷ୍ଟ୍ରୋକ, ବାଇପୋଲାର ଡିଜର୍ଡର ଭଳି ମାନସିକ ରୋଗ, ଆଲ୍ଝାଇମର୍ ଓ ପାର୍କିନ୍ସନ୍ସ ରୋଗ ଆଦିରେ ଦେହ ଭିତର ଘଣ୍ଟାଟିର ତାଳ ଏପଟ ସେପଟ ହୋଇପାରେ । ହେଲେ, ସବୁଠୁ ଅଧିକ ପ୍ରଭାବ ବିସ୍ତାର କରୁଥିବା ଏକକଟି ହେଉଛି ‘ଅବ୍ୟବସ୍ଥିତ ଜୀବନଶୈଳୀ' । ଏକଥା ଭାବିଲା ମାତ୍ରକେ ମନେପଡୁଥିଲା ସେ ବାଳକର କଥା । ରାତିରେ ନିୟମିତ ଡେରି ପର୍ଯ୍ୟନ୍ତ ଚେଇଁବା, ରାତ୍ରିକାଳରେ ଆଖିକୁ ଟି.ଭି. ପରଦା, ସ୍ମାର୍ଟ ଫୋନ୍ ଆଦିର ଅପ୍ରାକୃତିକ ଆଲୋକରେ ଉଦ୍ଭାସିତ କରିବା, ଦିନବେଳା ପ୍ରାକୃତିକ ଆଲୋକଠାରୁ ଦୂରରେ ରହିବା, ଦିନ ଏଗାରଟା ଯାଏ ଶୋଇ ରହିବା, ଏମିତି ସୁନିଦ୍ରାକୁ ଦୂରେଇ ଦେବାର ତାର ଅଭ୍ୟାସ ଯେତେକ ଚାଲି ଆସୁଥିଲେ ମୋ ଚିନ୍ତାର ବଳୟକୁ, ତାର କିଣା-ଛଣା ପ୍ରୀତି ଓ ବାରମ୍ବାର କଫି ପିଇବା ଗୁଣକୁ ସାଙ୍ଗରେ ଧରି ।
ସ୍ୱୀକାର କରିବାକୁ ହେବ ଯେ, ସୁଷମ ଖାଦ୍ୟର ବି ଘଟ-ଘଡ଼ିଟିକୁ ଠିକ୍ ବାଟରେ ବାଗେଇ ନେବାରେ ପ୍ରଚ୍ଛନ୍ନ ହାତ ରହିଥାଏ । ମୁଁ ଆଗରୁ କହିଥିବା ବାଳକର କଥା ଭାତହାଣ୍ଡିର ଗୋଟାଏ ଭାତ ମାତ୍ର । ଆଜିକାଲିର ଆଧୁନିକ ଜୀବନଶୈଳୀର କରାଳ ଗ୍ରାସରେ ଶୈଶବରୁ ବୃଦ୍ଧଯାଏଁ ଏମିତି କବଳିତ ଯେ ତାଙ୍କ ଜୀବନ ଘଣ୍ଟାର କଣ୍ଟା ଦୁଇଟି ତେଢ଼ା ବଙ୍କା ହେଇ ଧାଇଁ କୌଣସିମତେ ପବନଟିକୁ ଢୋକି-ଫୁଙ୍କି ଚାଲିଛନ୍ତି ଅନବରତ । ଇରାନ ଜର୍ଣ୍ଣାଲ ଅଫ୍ ପବ୍ଲିକ ହେଲ୍ଥରେ ୨୦୧୮ ମସିହାରେ ପ୍ରକାଶିତ ଫାରୁଦ୍ ଏବଂ ଆର୍ୟାନଙ୍କ ‘ସର୍କେଡିୟନ୍ ରିଦମ୍'କୁ ନେଇ ବିସ୍ତୃତ ଆଲୋଚନା ମଧ୍ୟ ଆଉ ଟିକିଏ ସ୍ପଷ୍ଟ କରିଦିଏ ଯେ ଏହା ଜୀବନଶୈଳୀ, ବଂଶାନୁକ୍ରମ, ମହାଜାଗତିକ ଏବଂ ଜାଗତିକ କାରକମାନଙ୍କ ଦ୍ୱାରା ପ୍ରଭାବିତ ହେଇଥାଏ ବୋଲି । ପରନ୍ତୁ, ଏକଥା ମଧ୍ୟ ସତ୍ୟ ଯେ, ପରିବେଶଗତ ବା ବଂଶଗତ କାରକମାନଙ୍କ ଉପରେ ମାନବର ବିଶେଷ ନିୟନ୍ତ୍ରଣ ନଥିଲେ ହେଁ, ଏକ ବ୍ୟବସ୍ଥିତ ଜୀବନଶୈଳୀର ଚାବିକାଠିରେ ଏହି ଲୟକୁ ବାଟ ହୁଡ଼ିବାରୁ ନିଶ୍ଚିତରେ ବିରତ କରାଯାଇପାରେ ବୋଲି ବୁଝିଥିବା ଲୋକେ ବିଶ୍ୱାସ କରନ୍ତି ।