ନୂଆଦିଲ୍ଲୀ: ତାମିଲନାଡୁର ୟେଙ୍ଗୁରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜପଥ ପାର୍ଶ୍ବରେ ଅଟକି ରହିଥିବା ଟ୍ରକକୁ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା । ଏହି ସମୟ ମଧ୍ୟରେ କାରରେ ଯାତ୍ରା କରୁଥିବା ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ଆଜି (ବୁଧବାର) ସକାଳ ୪ ଟା ସମୟରେ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
VIDEO | Six members of a family killed after a minivan crashed into a truck on Salem-Coimbatore National Highway in Tamil Nadu earlier today. More details awaited. pic.twitter.com/UlbmX3BCNR
— Press Trust of India (@PTI_News) September 6, 2023
ସୂଚନା ମୁତାବକ ତାମିଲନାଡୁର ୟେଙ୍ଗୁରରୁ ଗୋଟିଏ ପରିବାରର ୮ ଜଣ ସଦସ୍ୟ ଏହି କାରରେ ପେରୁଙ୍ଘୁରାଇ ଅଭିମୁଖେ ଯାତ୍ରା କରୁଥିଲେ । ସକାଳ ୪ ଟାରେ ସେଲେମ-ଏରୋଡେ ରାଜପଥରେ କାରଟି ଦ୍ରୁତ ଗତିରେ ଥିଲା । ଏହି ସମୟରେ ଏହା ରାଜପଥ ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ମୃତକଙ୍କ ମଧ୍ୟରେ ଏକ ବର୍ଷର ଶିଶୁ ସମେତ ବାପା-ମା ମଧ୍ୟ ଅଛନ୍ତି ।
ଏହି ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେପଟେ ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।