ଭୁବନେଶ୍ୱର, ୦୩/୦୯ : ଭଦ୍ରକ ବିଜୟନଗରମ୍ ତୃତୀୟ ରେଳ ଲାଇନ ତିଆରି ହେବ। ସେଥିପାଇଁ ନିର୍ଗୁଣ୍ଡି ଓ ବାରଙ୍ଗ ରେଳ ସେକ୍ସନ ମଧ୍ୟରେ ମହାନଦୀ, ବିରୁପା, କାଠଯୋଡ଼ି, କୁଆଖାଇ ନଦୀ ଉପରେ ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ସେତୁ ନିର୍ମାଣ ଆରମ୍ଭ ହେବାକୁ ଯାଉଛି । ନିର୍ଗୁଣ୍ଡି ଓ ବାରଙ୍ଗ ମଧ୍ୟରେ ୨୨ କିଲୋମିଟରରେ ୪ଟି ଗୁରୁତ୍ୱପୂର୍ଣ୍ଣ ନଦୀ ସେତୁ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଥିଲାଗି ଇପିସି ଟେଣ୍ଡରର ଆନୁମାନିକ ମୂଲ୍ୟ ୯୯୬.୬୦ କୋଟି ରଖାଯାଇଛି । ବିଶେଷ କରି ମହାନଦୀ ଉପରେ ତୃତୀୟ ରେଳ ସେତୁ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତଟ ରେଳପଥର ଜଣେ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ପ୍ରଥମ ମହାନଦୀ ରେଳ ସେତୁ ୧୮୯୯ରେ ସମାପ୍ତ ହୋଇଥିଲା । ଏହାର ଇଞ୍ଜିନିୟରିଂ ଚମତ୍କାର ଥିଲା । ପ୍ରତ୍ୟେକ ୩୦ ମିଟରରେ ୬୪ ସ୍ପାନ୍ ରହିଥିଲା । ୧୯୦୧ରେ ଇନଷ୍ଟିଚ୍ୟୁସନ୍ ଅଫ୍ ସିଭିଲ୍ ଇଞ୍ଜିନିୟରିଂରୁ ସ୍ୱର୍ଣ୍ଣ ପଦକ ପାଇଥିବା ଜଣେ ଇଞ୍ଜିନିୟର ୱିଲିୟମ୍ ବେକେଟଙ୍କ ତତ୍ତ୍ୱାବଧାନରେ ଡିଜାଇନ୍ ହୋଇଥିବା ଏହି ସେତୁ, ଭାରତର ରେଳ ଇତିହାସରେ ଏକ ଉଦାହରଣ । ତେବେ ୨୦୦୮ରେ କାର୍ଯ୍ୟକ୍ଷମ ହୋଇଥିବା ଦ୍ୱିତୀୟ ମହାନଦୀ ରେଳ ସେତୁ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା । ୨.୧ କିଲୋମିଟର ଦୈର୍ଘ୍ୟ ଏହି ସେତୁ ଘଣ୍ଟା ପ୍ରତି ୧୬୦ କିଲାମିଟର ବେଗରେ ଯାତ୍ରା କରୁଥିବା ଟ୍ରେନଗୁଡ଼ିକର ଚଳାଚଳ ପାଇଁ ଡିଜାଇନ୍ କରାଯାଇଛି । ଏହା ମଧ୍ୟ ଭୂକମ୍ପ କାର୍ଯ୍ୟକଳାପକୁ ପ୍ରତିହତ କରିପାରିବ ବୋଲି ଅଧିକାରୀ କହିଛନ୍ତି । ନୂତନ ମହାନଦୀ ରେଳ ସେତୁ ସହିତ ବିରୁପା, କାଠଯୋଡି ଏବଂ କୁଆଖାଇ ନଦୀ ଉପରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଲ ଗୁଡିକ ତୃତୀୟ ଲାଇନ ପ୍ରକଳ୍ପର ଅଂଶ ଭାବେ ନିର୍ମାଣ ହେବ ।