ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସତ୍ୟ ଓ ତଥ୍ୟସିଦ୍ଧ ଭାରତୀୟ ସଂସ୍କୃତି

ଭୁବନେଶ୍ୱର: ଭାରତ ଏକ ପ୍ରାଚୀନ ରାଷ୍ଟ୍ର । ସାଂସ୍କୃତିକ ଦୃଷ୍ଟିରୁ ଏହା ଦୁନିଆର ପ୍ରଥମ ରାଷ୍ଟ୍ର । ଋକ୍‌ ବେଦ ହେଉଛି ବିଶ୍ୱ ମାନବତାର ପ୍ରାଚୀନତମ ଆକ୍ଷରିକ ତଥା ଶାବ୍ଦିକ ପ୍ରମାଣ । ମହାଭାରତ ଏବଂ ରାମାୟଣ ଦୁନିଆର ପ୍ରତିଷ୍ଠିତ ମହାକାବ୍ୟ । ଦର୍ଶନ, ବିଜ୍ଞାନ ଏବଂ ଗଣିତରେ ମଧ୍ୟ ଭାରତର ଉଲ୍ଲେଖନୀୟ ଯୋଗଦାନ ରହିଛି । ବିଭିନ୍ନ ଖନନ ପ୍ରାପ୍ତ ପ୍ରମାଣକୁ ଆଧାର କରି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ପ୍ରାଚୀନ ଭାରତୀୟ ସଭ୍ୟତା ଏବଂ ସଂସ୍କୃତିକୁ ଯଥାର୍ଥ ସିଦ୍ଧ କରୁଛି । ଏହା ସତ୍ତେ୍ୱ ତଥାକଥିତ ଉଦାରବାଦୀ ଗୋଷ୍ଠୀ ଏଠାକାର ପ୍ରାଚୀନ ଜ୍ଞାନ ଗ୍ରନ୍ଥଗୁଡ଼ିକୁ କାଳ୍ପନିକ ବୋଲି ଅଭିହିତ କରୁଛନ୍ତି । ଏହି ସନ୍ଦର୍ଭରେ ସର୍ବଶେଷ ସୂଚନା ମଧ୍ୟ ଅତ୍ୟନ୍ତ ଉତ୍ସାହପ୍ରଦ । ବାଗପତର ବରନାୱାରୁ ଆବିଷ୍କୃତ ମହାଭାରତ ସମୟର ଲାଖ/ଯତୁ ଗୃହ ବିଷୟରେ ନିକଟରେ ନ୍ୟାୟାଳୟ ଟିପ୍‌ପଣୀ ଦେଇଥିଲେ । 

୧୯୫୩ରେ ଖନନ ସମୟରେ ଏଠାରୁ ପ୍ରାୟ ୪୫୦୦ ବର୍ଷର ପୁରୁଣା ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱ ରଖୁଥିବା ସାମଗ୍ରୀ ମିଳିଥିଲା । ୧୯୭୦ରେ ଉତ୍ତରପ୍ରଦେଶ ରାଜ୍ୟ ୱାକଫ୍‌ ବୋର୍ଡ ଏହାକୁ ଏକ ସମାଧିସ୍ଥଳ ତଥା କବରସ୍ଥାନ ବୋଲି କହିଥିଲା । ଅପରପକ୍ଷେ ଏହା ହେଉଛି ପାଣ୍ଡବଙ୍କର ଲାଖଗୃହ ବୋଲି ହିନ୍ଦୁ ପକ୍ଷ ଦାବି ରଖିଥିଲା । ଏଠାରେ ହିଁ ପାଣ୍ଡବମାନଙ୍କୁ ଜାଳି ହତ୍ୟା କରିବା ପାଇଁ ଦୁର୍ଯ୍ୟୋଧନ ଯୋଜନା କରିଥିଲେ । ଷଡ଼ଯନ୍ତ୍ର ରଚିଥିଲେ । ଲାଖଗୃହ ସହିତ ସଂଯୁକ୍ତ ଏକ ସୁଡ଼ଙ୍ଗ ମଧ୍ୟ ଠାବ ହୋଇଛି । ପାଣ୍ଡବମାନେ ନିଜ ଜୀବନ ରକ୍ଷା ପାଇଁ ଏହି ସୁଡ଼ଙ୍ଗ ପଥ ଦେଇ ପଳାୟନ କରିଥିଲେ । ଏଠାରୁ ପ୍ରାଚୀନ ବାସନକୁସନ ଏବଂ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ମିଳିଛି । ବର୍ତ୍ତମାନ ମହାଭାରତ ସମୟର ଏକ ବିଶିଷ୍ଟ ସ୍ଥାନ ରୂପେ ଏହା ମାନ୍ୟତା ପାଇଛି । ହିନ୍ଦୁ ଆରାଧନା ସ୍ଥଳୀ ଏବଂ ସମ୍ପତ୍ତି ଉପରେ ଭିତ୍ତିହୀନ ଦାବି କରିବା ୱାକଫ୍‌ ବୋର୍ଡର ଏକ ଚିରାଚରିତ ଅଭ୍ୟାସ । ଯାହାର ଇତିହାସ ଦେଶରେ ଇସଲାମର ଆଗମନ ଠାରୁ ବହୁ ପୁରାତନ, ସେହି ସ୍ଥାନଗୁଡ଼ିକ ଉପରେ ଏହି ବୋର୍ଡ ଦାବି କରିବା ନିହାତି ହାସ୍ୟାସ୍ପଦ କଥା । ସେଥିପାଇଁ ସେନା ଏବଂ ରେଳବାଇର ସମ୍ପତ୍ତି ପରେ ୱାକଫ୍‌ ବୋର୍ଡ ପାଖରେ ଦେଶର ସବୁଠାରୁ ଅଧିକ ଭୂ-ସମ୍ପତ୍ତି ରହିଛି। ଏହି ବୋର୍ଡ ପ୍ରାୟ ୧୦ଲକ୍ଷ ଏକର ଜମିର ମାଲିକ ।

ଭାରତୀୟ ସଂସ୍କୃତି ଏବଂ ସଭ୍ୟତା ବିଶ୍ୱ ପ୍ରସିଦ୍ଧ । କିନ୍ତୁ ଆତ୍ମଘୋଷିତ ଉଦାରବାଦୀମାନେ ଋକ୍‌ ବେଦକୁ ମେଷପାଳକର ଗୀତ ବୋଲି କହିଥାନ୍ତି । ବହୁ ପୂର୍ବରୁ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ବୋଲି ଘୋଷଣା କରିଛି । ବିଶ୍ୱ ଐତିହ୍ୟ ତାଲିକାରେ ବର୍ତ୍ତମାନ ୪୨ ଭାରତୀୟ ସମ୍ପତ୍ତି ରହିଛି । ଏହି ତାଲିକାରେ ପୁନର୍ବାର ୪୧ ଭାରତୀୟ ସମ୍ପତ୍ତିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ସରକାର ଅନୁରୋଧ କରିଛନ୍ତି । ମଧ୍ୟଯୁଗରେ ବୈଦେଶିକ ଆକ୍ରମଣକାରୀମାନେ ଲକ୍ଷାଧିକ ଭାରତୀୟ ମନ୍ଦିରକୁ କେବଳ ଧ୍ୱଂସ ନୁହେଁ, ବରଂ ଲୁଣ୍ଠନ ମଧ୍ୟ କରିଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାଚୀନ ସଭ୍ୟତାର ଅବଶେଷ ମିଳୁଛି । ୨୦୧୮ରେ ସଂସ୍କୃତି ମନ୍ତ୍ରଣାଳୟ ସହ ଜଡ଼ିତ ସିନ୍ଧୁ ସଭ୍ୟତାର ଅଧ୍ୟୟନ ସମିତି ହରିୟାଣାର ଭୀରାନା ଏବଂ ରାଖୀଗଢୀ ଖନନ ଅଧ୍ୟୟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲା । କାର୍ବନ ଡେଟିଂ ଅନୁଯାୟୀ ଏହାକୁ ଖ୍ରୀଷ୍ଟପୂର୍ବ ୭୦୦୦-୬୦୦୦ ବର୍ଷର ସଭ୍ୟତା ବୋଲି ଆକଳନ କରାଯାଇଛି । ବୈଦିକ କାଳର ସଭ୍ୟତା ସହିତ ଏହି ଅବଧିର ଏକାଧିକ ସାମଞ୍ଜସ୍ୟ ରହିଛି । କାର୍ବନ ଡେଟିଂ ବିଶ୍ଳେଷଣକୁ ପ୍ରାଚୀନ ସମୟ ସହିତ ସଂଯୋଗ କରି ଅଧ୍ୟୟନ ତଥା ଗବେଷଣା ହେବା ଉଚିତ । ଋକ୍‌ ବେଦ ଏବଂ ହରପ୍‌ପା ସଭ୍ୟତା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । କିନ୍ତୁ କିଛି ଲୋକ ହରପ୍‌ପାକୁ ପ୍ରାଚୀନ ଏବଂ ବୈଦିକ ସଭ୍ୟତାକୁ ପରବର୍ତ୍ତୀ ସଭ୍ୟତା ଭାବରେ ବିବେଚନା କରନ୍ତି । ସେମାନଙ୍କ ଏପରି ଯୁକ୍ତି ଦୁଃଖଦାୟକ । ସେମାନେ ହରପ୍‌ପାକୁ ନଗର ଏବଂ ଋକ୍‌ ବୈଦିକ ଯୁଗକୁ ଗ୍ରାମୀଣ ସଭ୍ୟତା ଭାବରେ ବର୍ଣ୍ଣନା କରନ୍ତି । କିନ୍ତୁ ଋକ୍‌ ବେଦରେ ନଗର ସଭ୍ୟତା ବିଷୟରେ ଅନେକ କଥା ଉଲ୍ଲେଖ ଅଛି । ଏଠାରେ ନଗର ପାଇଁ ‘ପୁର' ଏବଂ ନଗର ମୁଖ୍ୟଙ୍କ ପାଇଁ ‘ପୌର' ଶବ୍ଦ ବ୍ୟବହାର ହୋଇଛି । ଏସବୁ ତଥ୍ୟ ତଥାକଥିତ ଉଦାରବାଦୀମାନଙ୍କ ଯୁକ୍ତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ସେମାନେ ସୁମେରୀୟ ସଭ୍ୟତାକୁ ହରପ୍‌ପା ସଭ୍ୟତା ଠାରୁ ପ୍ରାଚୀନତମ ବୋଲି କହନ୍ତି । ହରପ୍‌ପାକୁ ସୁମେରୀୟ ସଭ୍ୟତାର ଛାୟା ଭାବରେ ବିବେଚନା କରନ୍ତି । ସରସ୍ୱତୀ ନଦୀକୁ ଭୌଗାଳିକ ପ୍ରମାଣ ଭାବରେ ଦେଖନ୍ତି ନାହିଁ । ଋକ୍‌ ବୈଦିକ ଯୁଗରେ ସରସ୍ୱତୀ ନଦୀ ଜଳପୂର୍ଣ୍ଣ ଥିଲା । ଏହି ତଥ୍ୟ ହରପ୍‌ପା ଠାରୁ ବହୁ ପୁରାତନ । ସୁମେରୀୟ ସଭ୍ୟତା ମଧ୍ୟ ବୈଦିକ ଯୁଗର ପରବର୍ତ୍ତୀ ସଭ୍ୟତା । ଋକ୍‌ ବେଦକୁ ବାଦ୍‌ ଦେଇ ବିଶ୍ୱର କୌଣସି ସଭ୍ୟତା ଏବଂ ସଂସ୍କୃତି ବିଷୟରେ ଅଧ୍ୟୟନ କରାଯାଇ ପାରିବନାହିଁ । ଋକ୍‌ ବେଦରେ ବରୁଣଙ୍କ ଘର ସହସ୍ର ସ୍ତମ୍ଭ ଭାବେ ବର୍ଣ୍ଣିତ । ଋକ୍‌ ବେଦ, ରାମାୟଣ, ମହାଭାରତରେ ସଭାଗୃହ ବିଷୟରେ ଉଲ୍ଲେଖ ଅଛି । ସଭାଗୃହରେ ବୈଠକ ବସୁଥିଲା । ଅଯୋଧ୍ୟା, ମଥୁରା, କାଶୀ, ପାଟଳିପୁତ୍ର, ଉଜ୍ଜୟିନୀ ଆଦି ବିଶ୍ୱପ୍ରସିଦ୍ଧ ପ୍ରାଚୀନ ସହର ଥିଲା ।

ଭାରତକୁ ପରାଜିତ ସିଦ୍ଧ କରିବା ପାଇଁ ସାମ୍ରାଜ୍ୟବାଦୀ ଶକ୍ତି ସର୍ବଦା ମୂଳ ନିବାସୀ ଆର୍ଯ୍ୟମାନଙ୍କୁ ବୈଦେଶିକ ଆକ୍ରମଣକାରୀ ବୋଲି ଅଭିହିତ କରୁଛନ୍ତି । ସେମାନଙ୍କର ଯୁକ୍ତି- ଆମେ ବିଦେଶୀ, ତେଣୁ ଏଥିରେ କିଛି ନୂତନତ୍ୱ ନାହିଁ । ଏହା ପୂର୍ବରୁ ଏଠାରେ ଇସଲାମ ଶାସନ ଥିଲା । ଇସଲାମ ପୂର୍ବରୁ ଏଠାରେ ବିଦେଶୀ ଆର୍ଯ୍ୟମାନେ ଆକ୍ରମଣକାରୀ ଥିଲେ । ବର୍ତ୍ତମାନ ଏହି ଧାରଣା ଦୂର ହୋଇଛି । ଯେଉଁଥିପାଇଁ ସେମାନେ ଲଜ୍ଜିତ ମଧ୍ୟ ହୋଇଛନ୍ତି । ସେମାନେ ଆର୍ଯ୍ୟଙ୍କୁ ବିଦେଶୀ ଆକ୍ରମଣକାରୀ କହନ୍ତି ନାହିଁ, କିନ୍ତୁ ବିଦେଶୀ ବୋଲି କହିଥାନ୍ତି । ପ୍ରତ୍ନତତ୍ତ୍ୱ ବିଭାଗକୁ ରାଖୀଗଢୀ ଓ ସିନୌଲିରୁ ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ ସମୟର ତମ୍ବା ଏବଂ ମୂର୍ତ୍ତିରେ ସଜ୍ଜିତ ରଥ ମିଳିଛି । ସେହି ସମୟର ଅସ୍ତ୍ରଶସ୍ତ୍ର ଏବଂ ଅଳଙ୍କାର ମଧ୍ୟ ମିଳିଛି । ବୈଦିକ କାଳରୁ ଆରମ୍ଭ କରି ରାମାୟଣ ଏବଂ ମହାଭାରତୀୟ ଯୁଗ ପର୍ଯ୍ୟନ୍ତ ରଥ ଏକ ସମ୍ମାନଜନକ ଯାନ ଥିଲା । ପାଣ୍ଡୁରଙ୍ଗ ଭାମନ କାଣେ "ଧର୍ମଶାସ୍ତ୍ରର ଇତିହାସ’ରେ ବର୍ଣ୍ଣନା କରିଛନ୍ତି ଯେ, ବୈଦିକ ସଂହିତାର ଅବଧି ଖ୍ରୀଷ୍ଟପୂର୍ବ ୪୦୦୦-୧୦୦୦ ପର୍ଯ୍ୟନ୍ତ ଥିଲା । ଋକ୍‌ ବେଦର କେତେକ ଅଂଶ ୫୦୦୦ ବର୍ଷରୁ ଅଧିକ ପୁରୁଣା । ଋକ୍‌ ବେଦର ରଚନା ପୂର୍ବରୁ ଭାରତୀୟମାନେ ରଥରେ ଚଢ଼ି ଯାତାୟାତ କରୁଥିଲେ । ରଥଗୁଡ଼ିକୁ ଘୋଡ଼ା ଟାଣୁଥିଲେ । ଘୋଡ଼ାଗୁଡ଼ିକ ଭାରତୀୟ ଥିଲେ । ସିନ୍ଧୁ ଏବଂ ସରସ୍ୱତୀ ଉପତ୍ୟକାର ଘୋଡ଼ା ମୂଲ୍ୟବାନ ଥିଲା । ଏକଥା ମ୍ୟାକଡୋନେଲ ଏବଂ କୌଥ ‘ବୈଦିକ ସୂଚକାଙ୍କ'ରେ କହିଛନ୍ତି । ଋକ୍‌ ବେଦରେ ଇନ୍ଦ୍ରଙ୍କୁ ଅଶ୍ୱପତି କୁହାଯାଇଛି । ଘୋଡ଼ା ଏବଂ ରଥଗୁଡ଼ିକ ସମୃଦ୍ଧିର ପ୍ରତୀକ ଥିଲା । ଉପନିଷଦରେ ଇନ୍ଦ୍ରିୟଗୁଡ଼ିକ ଘୋଡ଼ା ବୋଲି ବର୍ଣ୍ଣିତ ହୋଇଛି । ସୂର୍ଯ୍ୟଦେବଙ୍କୁ ରଥାରୂଢ଼ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । କାଳ ଦେବତା ମଧ୍ୟ ରଥ ଉପରେ ଗତି କରନ୍ତି । ଅଥର୍ବ ବେଦର କାଳସୂକ୍ତରେ କେବଳ ଜ୍ଞାନୀ ବ୍ୟକ୍ତି ହିଁ କାଳରଥ ଉପରେ ବସନ୍ତି । ସୁମେରୀୟ ସଭ୍ୟତାରେ ମଧ୍ୟ ରଥ ଥିଲା, କିନ୍ତୁ ସେମାନଙ୍କର ଚକଗୁଡ଼ିକରେ ଅର ନଥିଲା । ବାଗପତରେ ଖନନରୁ ୨୦୦୦ବର୍ଷ ତଳର ପୁରୁଣା ରଥ ମିଳିଛି । ଏହା ପ୍ରାଚୀନ ବୈଦିକ ସଭ୍ୟତାର ନିଦର୍ଶନ । ଏହିଭଳି ବହୁ ପ୍ରମାଣ ରହିଛି ।

ରାଖିଗଢୀରେ ଖନନରୁ ମିଳିଥିବା ୫୦୦୦ବର୍ଷ ତଳର ପୁରୁଣା ନର କଙ୍କାଳକୁ ନେଇ କିଛି ବର୍ଷ ତଳେ ହୋଇଥିବା ଡିଏନଏ ପରୀକ୍ଷାରୁ ଚକିତ କଲା ଭଳି ତଥ୍ୟ ମିଳିଥିଲା । ଡେକାନ ମହାବିଦ୍ୟାଳୟ ପୁଣେର କୁଳପତି ବସନ୍ତ ସିନ୍ଦେ ଏବଂ ବୀରବଲ ସାହାଣୀ ପ୍ରୟୋଗଶାଳାର ମୁଖ୍ୟ ନୀରଜଙ୍କ ନେତୃତ୍ୱରେ ହୋଇଥିବା ଡିଏନଏ ପରୀକ୍ଷଣ ଅନୁଯାୟୀ ଶବ ସଂସ୍କାରର ଶୈଳୀ ଋକ୍‌ ବେଦୀୟ ସମାଜ ସହ ମେଳ ଖାଉଛି । କଙ୍କାଳ ପରୀକ୍ଷଣରୁ ଉଚ୍ଚତର ସ୍ୱାସ୍ଥ୍ୟ ଏବଂ ବୈଦିକ କାଳର ଜ୍ଞାନ ପ୍ରଣାଳୀ ପ୍ରାପ୍ତ ହୋଇଛି । ଆର୍ଯ୍ୟମାନେ ଭାରତର ମୂଳ ବାସିନ୍ଦା ଥିଲେ ବୋଲି ଏଭଳି ଅଧ୍ୟୟନ ତଥା ଗବେଷଣା ପ୍ରମାଣ ସିଦ୍ଧ କରିଥାଏ । ଡକ୍ଟର ଭଗବାନ ସିଂ ଏବଂ ଡକ୍ଟର ରାମବିଳାସ ଶର୍ମାଙ୍କ ପରି ବିଦ୍ୱାନମାନେ ଅନେକ ଯୁକ୍ତି ରଖି ଆର୍ଯ୍ୟମାନଙ୍କୁ ଭାରତର ମୂଳ ବାସିନ୍ଦା ଭାବରେ ବର୍ଣ୍ଣନା କରିଛନ୍ତି । କିନ୍ତୁ ଭାରତୀୟ ସଂସ୍କୃତିକୁ ଅବମାନନା କରୁଥିବା ଉପାଦାନଗୁଡିକ ନିଜ ପୂର୍ବଜ ଆର୍ଯ୍ୟମାନଙ୍କୁ ବିଦେଶୀ ବୋଲି କହୁଛନ୍ତି । ଆର୍ଯ୍ୟଙ୍କ ଆକ୍ରମଣ କିମ୍ବା ଅନ୍ୟ କୌଣସି ସ୍ଥାନରୁ ସେମାନେ ଏଠାକୁ ଆସିଥିବାର କୌଣସି ପ୍ରମାଣ ନାହିଁ । କୌଣସି ଗ୍ରନ୍ଥରେ ମଧ୍ୟ ଏହା ଉଲ୍ଲେଖ ନାହିଁ । ସେହିଭଳି ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମଧ୍ୟ କାଳ୍ପନିକ ନୁହଁନ୍ତି । ଅଯୋଧ୍ୟା, ମଥୁରା ଏବଂ କାଶୀ ମଧ୍ୟ ପ୍ରକୃତ ସତ୍ୟ । ଭାରତୀୟମାନେ ନିଜ ସାଂସ୍କୃତିକ ବିଶ୍ୱାସ ଏବଂ ପରମ୍ପରା, ଆସ୍ଥା ବିଶ୍ୱାସ ବିଷୟରେ ସଚେତନ ରହିଛନ୍ତି । ବୈଜ୍ଞାନିକ ବିଶ୍ଳେଷଣ ଆମ ସଭ୍ୟତା ଏବଂ ସଂସ୍କୃତିକୁ ସଠିକ୍‌ ପ୍ରମାଣିତ କରିଛି । ରାଷ୍ଟ୍ରୀୟ ଜୀବନର ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସୁଥିବା ସୂଚନା ଭାରତୀୟଙ୍କ ସ୍ୱାଭିମାନ ବୃଦ୍ଧି କରୁଛି । ସମୟର ଆହ୍ୱାନ ନିଜ ଇତିହାସକୁ ନେଇ ଗର୍ବ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.