ଭୁବନେଶ୍ୱର ୦୬/୧୧: ଡିଜେ (ଡିସ୍କ ଜକି) ସାଉଣ୍ଡ ପୁଣି ଘାତକ ସାଜିଛି । ଦଶହରା ଭସାଣୀରେ ଡିଜେ ସାଉଣ୍ଡ ଶଦ୍ଦରେ ଦୁର୍ଘଟଣାର ଶିକାର ହୋଇଥିବା ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପୁରୁଣା ଭୁବନେଶ୍ୱର ରଥ ଦାଣ୍ଡ ସାହିର ବିଜୟରାମ ପଣ୍ଡା । ଏହି ଅଘଟଣ ପରେ ‘ଡିଜେ ସାଉଣ୍ଡ ବ୍ୟାନ୍’କୁ ନେଇ ପୁଣି ସ୍ୱର ତେଜିଛି । ‘ଆମ ସ୍ୱର’ ସଂଗଠନ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଘୋଷଣା କରିଛି ।
ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ଲୋକସମ୍ପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡାଙ୍କ ବାପା ହେଉଛନ୍ତି ବିଜୟରାମ । ସେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ଥିଲେ । ଗତ ୨୫ ତାରିଖରେ ପୁରୁଣା ଭୁବନେଶ୍ୱର ରାସ୍ତାରେ ଦଶହରା ଭସାଣୀ ଯାଉଥିଲା । ଏହାପୂର୍ବରୁ ପୂଜା ମଣ୍ଡପରେ ଛାତିଫଟା ସାଉଣ୍ଡ ବାଜୁଥିଲା । ଯାହାକି, ବିଜୟରାମଙ୍କ ହୃଦ୍ଘାତର କାରଣ ପାଲଟିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୧୧ ଦିନ ପରେ ବିଜୟରାମ ଆଖି ବୁଜିଛନ୍ତି ।
ସେପଟେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଡିଜେ ଅଘଟଣ ପ୍ରଥମ ନୁହେଁ । ଗତମାସ ୭ ତାରିଖରେ ଜଗତସିଂହପୁର ବାଲିକୁଦା ଥାନା ପରାହାଟ ଗାଁ ୭୧ ବର୍ଷୀୟ ବାମଦେବ ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ଗତ ଗଣେଶ ପୂଜା ଭସାଣୀରେ ଛାତିଫଟା ଡିଜେ ସାଉଣ୍ଡ ସହିନପାରି ସେ କଟକ ଏସିବିରେ ଚିକିତ୍ସାଧୀନ ଥିଲେ । ସେହି ଗାଁର କୁଞ୍ଜବିହାରୀ ପଣ୍ଡାଙ୍କ ପାଳିତ ଗର୍ଭଣୀ ଗାଈ ମଧ୍ୟ ଏହି ବିକଟାଳ ଶଦ୍ଦରେ ଅସୁସ୍ଥ ହୋଇ ଛଟପଟ ହୋଇଥିଲେ ।
ଗତ ଏପ୍ରିଲ ୬ରେ କଟକ ସାଲେପୁର ବରହିପୁର ଗାଁରେ ଚାଲିଥିବା ଚଇତି ପର୍ବ ପ୍ରସେସନରେ ୨୧ ବର୍ଷୀୟ ନରହରି ସେଠୀ ଡିଜେ ସାଉଣ୍ଡ ତାଳେ ତାଳେ ନାଚୁଥିବା ବେଳେ ଅଚାନକ ଟଳିପଡି଼ଥିଲେ । ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ବେଳକୁ ପ୍ରାଣବାୟୁ ଉଡିଯାଇଥିଲା । ୨୦୨୨ ଏପ୍ରିଲ୍ ୨୧ରେ ମାଲକାନଗିରିରେ ବିବାହ ପ୍ରସେସନରେ ଉଚ୍ଚଶଦ୍ଦ ଯୁକ୍ତ ଡିଜେ ସାଉଣ୍ଡ ସହି ନପାରି ବର ଅଙ୍କିତ୍ଙ୍କ ବାପା ମହେନ୍ଦ୍ର ରୋହିଲାଙ୍କ ଅକାଳ ମୃତ୍ୟୁ ଘଟିଥିଲା । ଏହା ବିରୋଧରେ କନ୍ୟାଘର ଲୋକ ପ୍ରେମ ବିବାହକୁ ଭାଙ୍ଗିବାକୁ ପଛାଇ ନଥିଲେ । ୨୦୨୧ ମସିହା ନଭେମ୍ବର ୨୪ରେ ବାଲେଶ୍ୱର ନୀଳଗିରି ଥାନା କାଣ୍ଡଗରାଡ଼ି ଗାଁରେ ଏକ ବିବାହ ପ୍ରସେସନର ଡିଜେ ସାଉଣ୍ଡ ଯୋଗୁ ରଣଜିତ୍ ପରିଡା଼ଙ୍କ କୁକୁଡା ଫାର୍ମରୁ ୬୩ଟି କୁକୁଡ଼ା ଠକ୍ଠାକ୍ ମରିଗଲେ ।
ବରିଷ୍ଠ ନାଗରିକ, ମହିଳା, ଭକ୍ତ, ସାଧୁମାନେ ଡିଜେ ବ୍ୟାନ୍ର ଦାବି ରଖିଛନ୍ତି । ଏଠି ପ୍ରଶ୍ନ ଉଠୁଛି, ମନୋରଞ୍ଜନ ଆଳରେ ଘାତକ ଡିଜେକୁ ଅନୁମତି କାହିଁକି ମିଳୁଛି? ବିଭିନ୍ନ ମହଲରେ ବିରୋଧର ସ୍ୱର ଉଠିବା ସତ୍ତେ୍ୱ ସରକାର କାହିଁକି ଡିଜେ ବ୍ୟାନ୍ କରୁନାହାନ୍ତି? ପୁଲିସ, ପ୍ରଶାସନ, ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ସଭିଏଁ କାହିଁକି ଚୁପ୍ ବସିଛନ୍ତି? ଆଉ କେତେ ଜଣ ମଲେ ସରକାର ଚେତିବେ?