ଇସ୍ଲାମାବାଦ,୧୯।୯: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଠାରୁ ଋଣ ପାଇବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହୋଇଥିଲା ପାକିସ୍ତାନ । ଆଇଏମ୍ଏଫ୍ ନ ଶୁଣିବା ପରେ ଆମେରିକାଠାରୁ ଅନ୍ତର୍ଜାତୀୟ ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇଥିଲା । ସବୁଠାରେ ନିରାଶ ହେବାକୁ ପଡ଼ିଥିଲା । ଶେଷରେ ଆମେରିକା ସହ ଏକ ଭିତିରିଆ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ, ଆମେରିକାକୁ ପାକିସ୍ତାନ ଶସ୍ତାରେ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା । ଚଳିତବର୍ଷ ଅତି ଗୋପନ ଭାବେ ଏହି କାରବାର ହୋଇଥିଲା । ‘ଦ ଇଣ୍ଟରସେପ୍ଟ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି । ଆମେରିକା-ପାକିସ୍ତାନ ଚୁକ୍ତି ସହ ଜଡ଼ିତ ଦୁଇଜଣଙ୍କ ସୂଚନାକୁ ଆଧାର କରି ଦ ଇଣ୍ଟରସେପ୍ଟ ଏହି ରିପୋର୍ଟ ଦେଇଛି । ଏ ନେଇ ହସ୍ତଗତ ହୋଇଥିବା ଉଭୟ ଦେଶର କିଛି ସରକାରୀ କାଗଜପତ୍ରରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ ଆଇଏମ୍ଏଫ୍ ଋଣ ପାଇବା ପାଇଁ ପାକିସ୍ତାନ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା ।
ଆର୍ଥିକ ସଂକଟର ସାମ୍ନା କରୁଥିବା ପାକିସ୍ତାନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ କୌଣସି ଊଣା କରୁନାହିଁ । ଭୀଷଣ ଦୁରବସ୍ଥାରେ ବି ଏହା ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇ ଚାଲିଛି । ଦ ଇଣ୍ଟରସେପ୍ଟ ରିପୋର୍ଟ ମୁତାବକ ୟୁକ୍ରେନ୍ ଯୁଦ୍ଧ ପାଇଁ ଆମେରିକା ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଏହାକୁ ଆହୁରି ଅଧିକ ଆବଶ୍ୟକ ପଡ଼ିବାରୁ ଏହା ପାକିସ୍ତାନକୁ ଫାନ୍ଦରେ ପକାଇଥିଲା । ଆଇଏମ୍ଏଫ୍ ଋଣ ପାଇବାକୁ ହେଲେ ଅସ୍ତ୍ରଶସ୍ତ୍ର ଦେବାକୁ ପଡ଼ିବ ବୋଲି କହିଥିଲା । ପାକିସ୍ତାନ କିଛି ଉପାୟ ନ ପାଇ ରାଜି ହୋଇଯାଇଥିଲା । ଚଳିତବର୍ଷ ହିଁ ଏହା ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା, ଯାହାକୁ ୟୁକ୍ରେନ୍ ଚାଲାଣ କରାଯାଇଥିଲା । ଏପଟେ ପାକିସ୍ତାନକୁ ୩୦୦ କୋଟି ଡଲାର ଋଣ ଯୋଗାଇବାକୁ ଆଇଏମ୍ଏଫ୍ କାର୍ଯ୍ୟନିର୍ବାହୀ ପରିଷଦ ଜୁଲାଇରେ ଅନୁମୋଦନ ଦେଇଥିଲା ।
ଆଇଏମ୍ଏଫ୍ ଋଣ ପାଇବା ପାଇଁ ପାକିସ୍ତାନର ଏଭଳି ପଦକ୍ଷେପକୁ ଅନେକ ଲୋକ ବିରୋଧ କରିଥିଲେ । ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଥିଲା । ଆର୍ଥିକ କାରବାର ପଛରେ ଏଭଳି ହୀନ ରାଜନୈତିକ ଚକ୍ରାନ୍ତକୁ ଦେଶବାସୀ ନିନ୍ଦା କରିଥିଲେ । ୨୦୨୨ ଏପ୍ରିଲରେ ଆମେରିକା ପ୍ରରୋଚନାରେ ପଡ଼ି ପାକ୍ ସେନା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । କାରଣ ଆମେରିକା କଥାରେ ମୁଣ୍ଡ ନୁଆଁଇବାକୁ ଚାହୁଁ ନଥିଲେ ଇମ୍ରାନ୍ । ଏହାପରେ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଇମ୍ରାନ୍ଙ୍କ ଅପସାରଣ ପରେ ଯୁଦ୍ଧକୁ ନେଇ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ସମର୍ଥକ ପାଲଟିଥିଲା ଇସ୍ଲାମାବାଦ । ଫଳରେ ପାକିସ୍ତାନର ନୂଆ ଶାହବାଜ ସରକାରକୁ ଆଇଏମ୍ଏଫ୍ ଋଣ ମିଳିଥିଲା ।
ସେପଟେ ସାଧାରଣ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଦ ଇଣ୍ଟରସେପ୍ଟ ରିପୋର୍ଟ ଦର୍ଶାଇଛି ଯେ ବିଭିନ୍ନ ଭଳିର ମୌଳିକ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ପାକିସ୍ତାନ ଏକ ପେଣ୍ଠସ୍ଥଳ । ତେଣୁ ୟୁକ୍ରେନ୍ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ଲାଗି ଆମେରିକା ଏହା ଉପରେ ଆଖି ପକାଇଥିଲା । ପାକ୍ ସେନାର ଲିକ୍ ହୋଇଥିବା ଦସ୍ତାବିଜ ଅନୁସାରେ, ୨୦୨୨ ଗ୍ରୀଷ୍ମ ଓ ୨୦୨୩ ବସନ୍ତ ଋତୁ ମଧ୍ୟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରଶସ୍ତ୍ର କାରବାର ନେଇ ରାଜିନାମା ହୋଇଥିଲା । ଆମେରିକାର ଜଣେ ବ୍ରିଗେଡିୟର୍ ଜେନେରାଲଙ୍କ ଦସ୍ତଖତ ଥିବା ଏକ ଦସ୍ତାବିଜକୁ ମର୍ଟଗେଜ୍ ରେକର୍ଡ ଭାବେ ରଖାଯାଇଥିଲା ।