ଫୁଲବାଣୀ,୧୫/୧୧ : ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସ୍ଵତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ କେ. ନୂଆଗାଁ ଥାନା ଅଞ୍ଚଳର ଆଶୀଷ କୁମାର ନାୟକ ।
ସୂଚନା ଅନୁଯାୟୀ, ଗତ ୨୦୨୦ ଜାନୁଆରୀ ୧୨ତାରିଖ ସକାଳେ ନାବାଳିକା ଜଣକ ବଜାର ଯାଇଥିଲା। ସେ ଏକୁଟିଆ ଥିବା ସୁଯୋଗ ନେଇ ଅଭିଯୁକ୍ତ ଆଶୀଷ ବଳପୂର୍ବକ ତାଙ୍କୁ ଅପହରଣ କରି ନେଇଥିଲା। ପରେ ପୀଡିତାକୁ ବିବାହ କରିଥିବା କଥା ପ୍ରଚାର କରିଥିଲା l କୌଣସି ସୂତ୍ରରୁ ପୀଡିତା ପରିବାର ଲୋକ ଏ ନେଇ ଖବର ପାଇବା ପରେ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ l ଅଭିଯୁକ୍ତ ପିଡିତାକୁ ବିବାହ ନ କଲେ ଜୀବନରେ ମାରିଦେବି ଏବଂ ପରିବାରକୁ ଛାରଖାର କରିଦେବି ବୋଲି ମଧ୍ଯ ଧମକ ଦେଇଥିବା ଅଭିଯୋଗ କରିଥିଲେ ପରିବାର। ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା।
ଏହି ମାମଲାର ଶୁଣାଣୀ କରି ପୋକସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l ସରକାରଙ୍କ ପକ୍ଷରୁ ମାମଲାକୁ ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।