ନୂଆଦିଲ୍ଲୀ,୨୦।୧୧: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ବର୍ତ୍ତମାନ ସନ୍ତୁଳିତ ଖାଦ୍ୟ ମିଳିପାରିବ। ପ୍ରଶାସନ ଏହି ପ୍ରସଙ୍ଗରେ ବଡ଼ ସଫଳତା ହାସଲ କରିଛି। ପ୍ରଶାସନ ଟନେଲ ଭିତରେ ୬ ଇଞ୍ଚ ଚଉଡା ପାଇପ୍ ପଠାଇଛି। ବହୁ ଚେଷ୍ଟା ପରେ ପାଇପ୍ ୬୦ ମିଟର ଦୂରରେ ଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିଛି। NHIDCL ନିର୍ଦ୍ଦେଶକ ଅନସୁ ମନୀଷ ଖାଲଖୋ କହିଛନ୍ତି, ଆମେ ଆମର ପ୍ରଥମ ସଫଳତା ହାସଲ କରିଛୁ, ଯେଉଁଥି ପାଇଁ ଆମେ ଗତ ନଅ ଦିନ ହେବ ଚେଷ୍ଟା କରୁଥିଲୁ ଏବଂ ଏହା ଆମର ପ୍ରଥମ ପ୍ରାଥମିକତା ଥିଲା। ଆମେ ଏକ ୬-ଇଞ୍ଚ୍ ପାଇପ୍ ସେଠାକୁ ନେଇପାରିଛୁ। ଏହା ମାଧ୍ୟମରେ ଆମେ ଶ୍ରମିକମାନଙ୍କ କଥା ମଧ୍ୟ ଶୁଣିପାରିବା। ତା ସହିତ ତାଙ୍କୁ ଖାଦ୍ୟ ଓ ଚିକିତ୍ସା ସାମଗ୍ରୀ ଯୋଗାଇ ପାରିବୁ।
ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ସୁଡଙ୍ଗରେ ଫଶିଥିବା ଶ୍ରମିକଙ୍କୁ ଖାଦ୍ୟ ପଠାଇବା କଷ୍ଟକର ଥିଲା, କିନ୍ତୁ ପ୍ରଶାସନ ୬ ଇଞ୍ଚର ପାଇପ୍ ପକାଇ ସଫଳତା ହାସଲ କରିଛି। ଏହା ଜରିଆରେ ଏବେ ଶ୍ରମିକଙ୍କୁ ଖାଦ୍ୟ ମିଳିପାରିବ। ଏପର୍ଯ୍ୟନ୍ତ ଶ୍ରମିକଙ୍କୁ ଡ୍ରାଏଫ୍ରୁଟସ୍ ଓ ହାଲକା ଖାଦ୍ୟ ଦିଆଯାଉଥିଲା। ଶ୍ରମିକଙ୍କୁ ମଲ୍ଟିଭିଟାମିନ୍, ଅବସାଦରୋଧି ଔଷଧ ଦିଆଯାଉଥିଲା, ଯାହାଫଳରେ ସେମାନେ ଟନେଲ ଭିତରେ ସୁରକ୍ଷିତ ରହିପାରିବେ। ଶ୍ରମିକଙ୍କୁ ଏସବୁ ଏକ ୪ ଇଞ୍ଜର ପାଇପ୍ ଦ୍ବାରା ଦିଆଯାଉଥିଲା। ଏହି ସଫଳତା ମିଳିବା ପରେ ଶ୍ରମିକଙ୍କୁ ତାଙ୍କ ଆବଶ୍ୟକତା ଅନୁସାରେ ଖାଦ୍ୟ ଦିଆଯାଇ ପାରିହେବ। ଏହି ପାଇପ୍ ଯୋଗେ ପ୍ଲାଷ୍ଟିକ୍ ବୋତଲରେ ଖାଦ୍ୟ ଦିଆଯିବ। ଏଥିରେ ଦାଲିଆ ଓ ଖେଚୁଡି ଦିଆଯିବ। ଡାକ୍ତରଙ୍କ ପରାମର୍ଶ ନେଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ଭଲ ରଖିବାକୁ ଖାଦ୍ୟ ଦିଆଯିବ।
ନ୍ୟାସନାଲ ହାଇଓ୍ବେଜ୍ ଓ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଡାଇରେକ୍ଟର ଅଶୁଂମନୀଷ ଖାଲଗୋ କହିଛନ୍ତି ଅଗର ମେସିନ୍ ୨୩ ମିଟରରେ ଅଟକି ଯାଇଛି। ଏବେ ସଫଳ ହେବୁ, କିନ୍ତୁ ଏବେ ପ୍ରଥମ କଥା ହେଉଛି ଶ୍ରମିକଙ୍କ ପର୍ଯ୍ୟନ୍ତ ଖାଦ୍ୟ ଏବଂ ପାନୀୟ ଯେପରି ପହଁଞ୍ଚାଇବୁ। ଉଲ୍ଲେଖନୀୟ ଯେ, ଏହି ଶ୍ରମିକମାନେ ଗତ ୯ ଦିନ ହେବ ଟନେଲ ଭିତରେ ଫଶି ରହିଛନ୍ତି। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ସବୁକିଛି ଫେଲ୍ ମାରୁଛି।