ଶିମଲା, ୨୩/୦୩: ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ପ୍ରୟାସ ଆରମ୍ଭ କରିଛି । ବିଧାନସଭାରେ ବିଜେପି ବହୁମତ ହାସଲ ନେଇ ଆପଣାଇଛନ୍ତି ରଣନୀତି । ଶନିବାର ୯ ଜଣ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି । ଯେଉଁଥିରେ କଂଗ୍ରେସର ୬ ବିଦ୍ରୋହୀ ବିଧାୟକଙ୍କ ସହ ୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି ।
କଂଗ୍ରେସର ୬ ଅଯୋଗ୍ୟ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜେନ୍ଦ୍ର ସିଂହ ରାଣା, ଚୈତନ୍ୟ ଶର୍ମା, ଦେବେନ୍ଦର ଭୁଟ୍ଟୋ ଓ ଇନ୍ଦର ଦତ୍ତ ଲଖନପାଲ ଶନିବାର ବିଜେପିରେ ସାମିଲ୍ ହୋଇଛନ୍ତି । ସେହିଭଳି ହିମାଚଳ ପ୍ରଦେଶର ସ୍ୱାଧୀନ ବିଧାୟକ ହୋଶିୟାର୍ ସିଂହ, କେଏଲ୍ ଠାକୁର ଓ ଆଶିଷ ଶର୍ମା ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ଯୋଗ ଦେଇଛନ୍ତି ।
୯ ବିଧାୟକ ବିଜେପିରେ ମିଶିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ୯ ହେଉଛି ଶୁଭ ଓ ଶକ୍ତିର ଅଙ୍କ । ଅନୁରାଗଙ୍କ ଏହି ବୟାନ ଉପରେ ନଜର ପକାଇଲେ ବିଜେପିର ରଣନୀତି ବାରି ହୋଇ ପଡ଼ୁଛି । ଏବେ ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ ୬୮ ବିଧାୟକ ଅଛନ୍ତି । ସେଥିରୁ ବାଚସ୍ପତିଙ୍କୁ ମିଶାଇ କଂଗ୍ରେସ ପାଖରେ ୩୪ ବିଦାୟକ ଅଛନ୍ତି ।
ଏଭଳି ସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ୯ ବିଧାୟକ ଉପନିର୍ବାଚନ ଜିତିଲେ ବିଜେପିର ବିଧାୟକଙ୍କ ସଂଖ୍ୟା ୨୫ରୁ ୩୪କୁ ବୃଦ୍ଧି ପାଇବ । ବିଜେପି ସୂତ୍ରର କହିବା କଥା, ବିଧାନସଭାର ଭୋଟିଂ ବେଳେ ବାଚସ୍ପତି ଭୋଟ୍ ଦିଅନ୍ତି ନାହିଁ । ତେଣୁ କଂଗ୍ରେସ ପାଖରେ ସଦସ୍ୟ ସଂଖ୍ୟା ୩୩ । ଆଉ ବିଜେପି ପାଖରେ ୩୪ ବିଧାୟକ । ଏହାଛଡ଼ା ଜୁନ୍ ଆସୁ ଆସୁ ଅନ୍ୟ କିଛି କଂଗ୍ରେସ ବିଧାୟକ ବିଜେପି ଆସିବେ ବୋଲି ଦଳର ବିଶ୍ୱାସ ରହିଛି ।
ବିଜେପିର ରଣନୀତି
ଅଯୋଗ୍ୟ ହୋଇଥିବା ୬ ବିଧାୟକଙ୍କ ବିଧାନସଭା କ୍ଷେତ୍ରରେ ଜୁନ୍ ୨ରେ ଉପନିର୍ବାଚନ ନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ବିଜେପିର ଆଶା ୩ ସ୍ୱାଧୀନ ବିଧାୟକଙ୍କ ବିଧାନସଭା ମଣ୍ଡଳୀରେ ନିର୍ବାଚନ ଲାଗି ମଧ୍ୟ ତାରିଖ ଶୀଘ୍ର ଘୋଷଣା ହେବ । ପ୍ରାୟତଃ କହିବାକୁ ଗଲେ ଲୋକସଭା ନିର୍ବାଚନ ସହ ବିଜେପି ହିମାଚଳ ପ୍ରଦେଶରେ ସରକାର ଗଢ଼ିବା ଲାଗି ଅପରେସନ୍ ଲୋଟସ୍ ଆରମ୍ଭ କରିପାରେ ।