ନୂଆଦିଲ୍ଲୀ, ୩।୯: ଦେଶରେ ବଢ଼ୁଛି ସ୍ପାମ୍ କଲ୍ ଓ ମେସେଜ୍ ସମସ୍ୟା । ସ୍ପାମ୍ କଲ୍ରୁ ମିଳୁନି ମୁକ୍ତି । ଲୋକଙ୍କୁ ଠକିବାକୁ ସ୍କାମରଙ୍କ ନୂଆ ନୂଆ ପଦ୍ଧତି । ଏନେଇ ସର୍ଭେରେ ବଡ଼ ଖୁଲାସା । ପ୍ରତିଦିନ ସ୍ପାମ୍ କଲ୍ର ଶିକାର ହେଉଛନ୍ତି ୯୫% ଭାରତୀୟ । ଗତ ୬ ମାସରେ ବୃଦ୍ଧି ପାଇଛି ମାମଲା । ଟ୍ରାଇର ଉଦ୍ୟମ ବିଫଳ ।
ଦେଶରେ ଦିନକୁ ଦିନ ସ୍ପାମ୍ କଲ୍ ଏବଂ ମେସେଜ୍ ସମସ୍ୟା ବୃଦ୍ଧି ପାଉଛି । ଟ୍ରାଇର ଉଦ୍ୟମ ସତ୍ତ୍ୱେ ଏଭଳି ମାମଲା ହ୍ରାସ ପାଉନାହିଁ । ନିକଟରେ ପ୍ରକାଶିତ ଏକ ସର୍ଭେରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ଲୋକାଲ ସର୍କଲ୍ସର ସର୍ଭେ ଅନୁଯାୟୀ, ବର୍ତ୍ତମାନ ପ୍ରାୟ ୯୫% ଭାରତୀୟ ପ୍ରତିଦିନ ଅବାଞ୍ଛିତ କଲ୍ ଏବଂ ମେସେଜର ସମ୍ମୁଖୀନ ହେଉଛନ୍ତି । ତେବେ ଗତ ୬ ମାସ ମଧ୍ୟରେ ଏହି ମାମଲାଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏହା ବ୍ୟତୀତ ଫୋନରେ ଥିବା ଡିଏନଡି ଫିଚର ମଧ୍ୟ ଏହିପରି କଲ୍ ବନ୍ଦ କରିବାରେ ସହାୟକ ହେଉନାହିଁ ।
ଏହି ସର୍ଭେ ଅନୁଯାୟୀ, ୯୫% ଭାରତୀୟ ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ସ୍ପାମ୍ କଲ୍ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଠକିବା ପାଇଁ ସ୍କାମରମାନେ ବର୍ତ୍ତମାନ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି । ସର୍ବେକ୍ଷଣ ଅନୁଯାୟୀ, ୭୭% ମୋବାଇଲ୍ ବ୍ୟବହାରକାରୀ ପ୍ରତିଦିନ ଅତି କମ୍ରେ ତିନିଥର ଏହିପରି ସ୍କାମ୍ କଲ୍ ଗ୍ରହଣ କରୁଛନ୍ତି । ଏପରି କଲ୍ ବିଶେଷ କରି ହୋମ୍ ଲୋନ୍, କ୍ରେଡିଟ୍ କାର୍ଡ ସମେତ ଆର୍ଥିକ କ୍ଷେତ୍ରରୁ ଆସୁଛି । ସର୍ଭେରେ କୁହାଯାଇଛି ଯେ, ଗତ ୬ ମାସ ମଧ୍ୟରେ ଏଭଳି ମାମଲା ୫୪% ରୁ ୬୬%କୁ ବୃଦ୍ଧି ପାଇଛି । ଅନ୍ୟପଟେ ସ୍ମାର୍ଟଫୋନ୍ ଏବଂ ଟେଲିକମ୍ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହୃତ ଡିଏନଡି ଫିଚର ଅର୍ଥାତ୍ ଡୁ ନଟ୍ ଡିଷ୍ଟବ୍ ଫିଚର ମଧ୍ୟ ଆଉ କାମ କରୁନାହିଁ । ସ୍ପାମ୍ କଲ୍ ଏବଂ ମେସେଜ୍ ଦ୍ୱାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।