ନୀଳଗିରି, ୦୨/୧୨ : ବାଲେଶ୍ଵର ଜିଲ୍ଲା ବାମପଦା ଅଞ୍ଚଳରେ ଥିବା ଗୋଶାଳାରୁ ଚୋରି ହୋଇଥିବା ଗୋରୁ ନୀଳଗିରି କାହାଳିଆ ଅଞ୍ଚଳରୁ ଉଦ୍ଧାର ହୋଇଛି। ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ରାଜପଥ ଦେଇ ଗୋରୁ ଚାଲାଣ ହୋଇ ବାହାର ରାଜ୍ୟକୁ ଯାଉଛି। ଚଢ଼ାଉ ବେଳେ ଗୋରୁ ଜବତ ହୋଇ ଶିଳ୍ପାଞ୍ଚଳ ଥାନା ଅଧିନ ବାମପଦା ଅଞ୍ଚଳରେ ଥିବା ମା ଭାରତୀ ଗୋଶାଳାରେ ରହିଥାନ୍ତି। ଗୋଶାଳାରେ ଗୋରୁଙ୍କୁ ଚିକିତ୍ସା କରିବା ସହିତ ସେମାନଙ୍କର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ହେଲେ ଏହି ସ୍ଥାନରେ ଥିବା ହଜାର ହଜାର ଗୋରୁଙ୍କ ଉପରେ ଏବେ ଗୋରୁ ମାଫିଆ, ଦଲାଲ ଓ ଚୋରଙ୍କର ଲୋଲୁପ ଦୃଷ୍ଟି ପଡିଛି। ଗତକାଲି ମଧ୍ୟରାତ୍ରରେ ଗୋରୁଙ୍କୁ ବନ୍ଧା ଯାଇଥିବା ପଘା କାଟି କିଛି ଦୁର୍ବୃତ୍ତ ୧୩ ଟି ଗୋରୁଙ୍କୁ ଚୋରି କରି ନେଇଥିଲେ। ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ସକାଳେ ଆସି ଗୋରୁ ନଥିବାର କର୍ମଚାରୀଙ୍କ ଠାରୁ ଜାଣିବାକୁ ପାଇଥିଲେ। ଗୋରୁଙ୍କୁ ବନ୍ଧା ହୋଇଥିବା ଦଉଡିକୁ କଟା ଯାଇଥିବା ଦେଖିବାକୁ ପାଇଥିଲେ। କିଛିଦିନ ପୂର୍ବରୁ ସେହି ଅଞ୍ଚଳର ଯୁବକ ତାଙ୍କୁ ଧମକ ଚମକ ଦେଇଥିବା ବେଳେ ସେମାନେ ଏହି କାର୍ଯ୍ୟ କରିଥାଇ ପାରନ୍ତି ବୋଲି ସେ ଅନୁମାନ କରି ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ପରେ ଶିଳ୍ପାଞ୍ଚଳ ଥାନାରେ ଏକ ଅଭିଯୋଗ କରିଥିଲେ।
ତେବେ ଗୋରୁଗୁଡିକ ନୀଳଗିରି ଥାନା ଅଧିନ କାହାଳିଆ ଗ୍ରାମର ଗଜିଆ ବାରିକଙ୍କ ବାଡ଼ିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଏଗୁଡ଼ିକୁ ବହାରକୁ ଚାଲାଣ କରାଯାଇଥାନ୍ତା ବୋଲି ଜଣାପଡିଛି। ପୋଲିସ ସହାୟତାରେ ଗୋରୁ ଗୁଡିକ ଉଦ୍ଧାର କରାଯାଇଛି। ତେବେ ପୋଲିସ ବାବୁଲି ବାରିକ ନାମକ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ତାଙ୍କୁ ସୁରକ୍ଷା ଦେବାକୁ କିଛି ଥାନାରେ ଡେରା ପକାଇଥିବା ଜଣାପଡିଛି। ପୋଲିସ ଘଟଣା ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।