କୋଲକାତା: ଇଂଲଣ୍ଡ ବନାମ ପାକିସ୍ତାନ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ ବିଶାଳ ରନ୍ ସ୍କୋର କରିଛି । ଯଦିଓ ବିଶ୍ବକପରୁ ବାହାର ହୋଇସାରିଛି ଇଂଲଣ୍ଡ ହେଲେ ଶେଷ ଲିଗ୍ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛି ଦଳ । ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ଇଂଲଣ୍ଡ ୩୩୭ ରନ୍ କରିଛି । ଇଂଲଣ୍ଡର ବେନ ଷ୍ଟୋକ୍ସ ସର୍ବାଧିକ ୮୪ ରନ୍ କରିଛନ୍ତି । ୭୬ ବଲରେ ୧୧ ଚୌକା ଏବଂ ୨ ଛକା ବଳରେ ସେ ଏହି ବିଶାଳ ସ୍କୋର କରିଛନ୍ତି ।
ତାଙ୍କ ପରେ ଜୋ ରୁଟ ଏବଂ ଜନି ବେୟରଷ୍ଟୋ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ରୁଟ ଏବଂ ବେୟରଷ୍ଟୋ ଯଥାକ୍ରମେ ୬୦ ଏବଂ ୫୯ ରନ୍ କରିଛନ୍ତି । ଅଧିନାୟକ ଜସ ବଟଲର ୨ ଛକା ଏବଂ ୨ ଚୌକା ସହ ୨୭ ରନ୍ କରିପାରିଛନ୍ତି । ସେହିଭଳି ଡେଭିଡ ମଲାନ ୩୧ ଏବଂ ହାରି ବୁକ୍ ୩୦ ରନ୍ କରିଛନ୍ତି ।
ଆଜିର ମ୍ୟାଚରେ ହାରିସ ରଉଫ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ଶାହୀନ ଆଫ୍ରିଦି ଏବଂ ମହମ୍ମଦ ଓ୍ବାସିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଇପ୍ତିଖାର ଅହମ୍ମଦ ଗୋଟିଏ ଓ୍ବିକେଟ ନିଜ ନାଁରେ କରିଛନ୍ତି । ଆଜିର ମ୍ୟାଚ୍ରେ ଟସ ଜିତି ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପାକିସ୍ତାନୀ ବୋଲର ଓ୍ବାସିମ ସର୍ବାଧିକ ୭୪ ରନ୍ ଦେଇ ୨ ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଶାହୀନ ଆଫ୍ରିଦି ୭୨ ରନ୍ ଦେଇଥିବା ବେଳେ ହାରିସ ରଉଫ ୬୪ ରନ୍ ଦେଇଛନ୍ତି ।
ତେବେ ଇଡେନ ଗାର୍ଡେନ ଖେଳାଯାଇଥିବା ଏହି ମୁକାବିଲାରେ ଟସ୍ ହାରିବା ସହ ସେମିଫାଇନାଲରୁ ବାଦ ପଡ଼ିଯାଇଛି ପାକିସ୍ତାନ । କାରଣ ସେମିଫାଇନାଲ ଯିବାକୁ ହେଲେ ପାକିସ୍ତାନ ପାଖରେ ଦୁଇଟି ସର୍ତ୍ତ ଥିଲା । ହେଲେ ଇଂଲଣ୍ଡ ଟିମ୍ର ଏହି ବିଶାଳ ସ୍କୋରକୁ ପାକିସ୍ତାନ ବହୁତ କମ୍ ବଲରେ ପିଛା କରି ବିଜୟୀ ହେବା ଅସମ୍ଭବ ।