ଉତ୍ତରକାଶୀ, ୨୯।୧୧: ‘ମୋତେ ଟନେଲ୍ ଭିତରକୁ ଯିବାକୁ ଡର ଲାଗେନାହିଁ । ଏଠାରେ ତ ୮୦୦ ମିମିର ପାଇପ୍ ରହିଛି, ଆମେ ୬୦୦ ମିମିର ପାଇପ୍ରେ ପଶି ବି ର୍ୟାଟ୍ ମାଇନିଂ କରିଥାଉ । ଏହା ଆମର ନିତିଦିନିଆ କାମ । ୧୦-୧୨ ବର୍ଷ ହେଲା ମୁଁ ଏହି କାମ କରୁଛି । ଦିଲ୍ଲୀ ଏବଂ ଅହମ୍ମଦାବାଦରେ କାମ କରିବାର ଅଭିଜ୍ଞତା ମୋ ପାଖରେ ଅଛି । ଆମେ ହିଲଟି ନାମକ ହ୍ୟାଣ୍ଡ ଡ୍ରିଲର ମେସିନ୍ ଆଣିଛୁ । ୮୦୦ ମିମିର ପାଇପ୍ ମଧ୍ୟରେ ପଶି ପ୍ରଥମେ ଆମେ ହ୍ୟାଣ୍ଡ ଡ୍ରିଲରରେ ଡ୍ରିଲ କରିବୁ । ପରେ ମାଟି ଖୋଳି ବାହାର କରିବୁ । ଖୁବ୍ ଶୀଘ୍ର ଅଭିଯାନ ସରିବ ବୋଲି ଆଶା ।’ ଉତ୍ତରକାଶୀ ସୁଡ଼ଙ୍ଗରେ ଫଶିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଟନେଲ ମଧ୍ୟକୁ ପଶିବା ପୂର୍ବରୁ ଗତକାଲି ଏହା କହିଥିଲେ ଝାନ୍ସୀର ବାସିନ୍ଦା ପରସାଦି ଲୋଧି । ‘ର୍ୟାଟ୍ ମାଇନର୍ସ’ ଟିମ୍ର ସଦସ୍ୟ ପରସାଦିଙ୍କର ଏହି ଆତ୍ମବିଶ୍ୱାସ ସତ ସାବ୍ୟସ୍ତ ହୋଇଛି । କେବଳ ୨୧ ଘଣ୍ଟାରେ ତାଙ୍କର ଟିମ୍ ହାତରେ ପ୍ରାୟ ୧୨ ମିଟର ଖୋଳିଛନ୍ତି । ଏଥିସହ ଉତ୍ତରାଖଣ୍ଡର ସିଲ୍କ୍ୟାରା-ଡଣ୍ଡାଲଗାଓଁ ଟନେଲରେ ୧୭ ଦିନ ହେଲା ଫସିଥିବା ଶ୍ରମିକଙ୍କ ପାଇଁ ସାଜିଛନ୍ତି ଦେବଦୂତ ।
ଶ୍ରମିକ ଏବଂ ଉଦ୍ଧାରକାରୀ ଟିମ୍ଙ୍କ ମଧ୍ୟରେ ୬୦ ମିଟର ଦୂରତା ଥିବାବେଳେ ନଭେମ୍ବର ୨୧ରେ ଆମେରିକୀୟ ଅଗର ମେସିନ୍ ଦ୍ୱାରା ଡ୍ରିଲିଂ ଆରମ୍ଭ ହୋଇଥିଲା । କିନ୍ତୁ ୨୫ ତାରିଖ ସକାଳେ ପ୍ରାୟ ୪୭ ମିଟର ଡ୍ରିଲିଂ ହେବା ପରେ ମେସିନ୍ ଖରାପ ହୋଇଥିଲା । ଏଥିସହ ୬ ଜଣିଆ ରାଟ୍ ମାଇନର୍ସ ଟିମ୍ଙ୍କୁ ମିଳିଥିଲା ଖନନର ଦାୟିତ୍ୱ । ଏହି ଟିମ୍ ଅପରେସନ୍ର ବାସ୍ତବ ହିରୋ ସାବ୍ୟସ୍ତ ହୋଇଛନ୍ତି । ଏ ସଂପର୍କରେ ଟିମ୍ର ଅନ୍ୟ ଜଣେ ସଦସ୍ୟ ଝାନ୍ସୀର ରାକେଶ ରାଜପୁତ କହିଥିଲେ, ଟ୍ରେଞ୍ଚଲେସ୍ କମ୍ପାନିରେ ମୁଁ ପାଇପ୍ ପୁଶିଂ କାମ କରେ । ମୋର କାମ ହେଉଛି ମାଟି ବାହାର କରିବା । ଫାଉଡା ସାହାଯ୍ୟରେ ମାଟିକୁ ଏକାଠି କରିବା ପରେ ମୁଁ ତାକୁ ଟ୍ରଲିରେ ଲଦିଥାଏ । ପରେ ଟ୍ରଲିକୁ ଅନ୍ୟମାନେ ଟାଣି ବାହାରକୁ ବାହାର କରନ୍ତି । ଯଦି ସବୁକିଛି ଠିକ୍ ଠାକ୍ ରହିଲା ତାହେଲେ ଆମେ ଖୁବ୍ ଶୀଘ୍ର ସଫଳତା ହାସଲ କରିବୁ । ଟିମ୍ର ଅନ୍ୟତମ ସଦସ୍ୟ ଝାନ୍ସୀର ବାସିନ୍ଦା ଭୁପେନ୍ଦ୍ର ରାଜପୁତ ମଧ୍ୟ ଶ୍ରମିକମାନେ ଶୀଘ୍ର ଉଦ୍ଧାର ହେବାକୁ ଆଶା ବ୍ୟକ୍ତ କରିଥିଲେ । ରାଟ୍ ମାଇନର୍ସ ଟିମ୍ର ସେହି ଆଶା ସତ୍ୟରେ ପରିଣତ ହୋଇଛି । ଉତ୍ତରାଖଣ୍ଡ ସରକାରଙ୍କ ନୋଡାଲ ଅଧିକାରୀ ନୀରଜ ଖୈରୱାଲ କହିଛନ୍ତି, ର୍ୟାଟ୍ ମାଇନିଂ ଟିମ୍ର ୩ ଜଣ ଏକସଙ୍ଗରେ କାମ କରିଥାନ୍ତି । ଜଣେ ହାତରେ ଡ୍ରିଲିଂ କରିଥାନ୍ତି, ଅନ୍ୟ ଜଣେ ମାଟି ବାହାର କରନ୍ତି । ତୃତୀୟ ବ୍ୟକ୍ତି ସେହି ମାଟିକୁ ଟ୍ରଲିରେ ରଖିଥାନ୍ତି । ଅନ୍ୟମାନେ ଟ୍ରଲିକୁ ବାହାରକୁ ଟାଣି ବାହାର କରନ୍ତି । ଏଠାରେ ଟନେଲରୁ ବାହାରୁଥିବା ମାଟିକୁ ସ୍ୱତନ୍ତ୍ର ପ୍ରକାର ଟ୍ରଲିରେ ବାହାର କରାଯାଇଛି । ତାକୁ ର୍ୟାଟ୍ ମାଇନର ଭୁପେନ୍ଦ୍ର ରାଜପୁତ ହିଁ ଡିଜାଇନ୍ କରିଛନ୍ତି ।