ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନବରଙ୍ଗପୁରରେ ବିଜେଡି ଖେଳିବ କି ମହିଳା କାର୍ଡ ?

ନବରଙ୍ଗପୁର,୦୭/୧୨: ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ଏଠାରେ ଏଥର ମହିଳା କାର୍ଡ ଖେଳିପାରେ ବିଜେଡି । ଜିଲ୍ଲାର ୪ଟି ଆସନରୁ ଗୋଟିଏ ପଡ଼ିପାରେ ମହିଳାଙ୍କ ଭାଗରେ । ତାହା ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ଲାଗୁ ହୋଇପାରେ ବୋଲି ଅଙ୍କ କଷୁଛନ୍ତି ରାଜନୈତିକ ସମୀକ୍ଷକ । ବିଧାୟକ ସଦାଶିବ ପ୍ରଧାନୀ ତାଙ୍କ ପତ୍ନୀଙ୍କୁ ଧରି ବିଭିନ୍ନ ସଭାସମିତି ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଅନ୍ୟପକ୍ଷରେ ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି । ଲୋକସମ୍ପର୍କ ବଢ଼ାଇବା ପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ।   

ଏହି ଆସନ ଲାଗି ଏବେ ସୁଦ୍ଧା ବିଜେଡି ବିଧାୟକ ସଦାଶିବଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କ ନାଁ ଆଶାୟୀ ତାଲିକାରେ ନାହିଁ । ଅଥଚ ୨ ଜଣ ମହିଳା ଆଶାୟୀ ତାଲିକାରେ ରହିଥିବା ସ୍ପଷ୍ଟ ହୋଇଛି । ସେମାନେ ହେଲେ ବିଧାୟକଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ଓ ମଞ୍ଜୁଳା । କୌଶଲ୍ୟାଙ୍କୁ ସାଥୀରେ ଧରି ପ୍ରତି ସଭାସମିତି ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ବିଧାୟକ । ଏମିତିକି ଗାଁଗଣ୍ଡାର ବିଭିନ୍ନ ଉତ୍ସବରେ କୌଶଲ୍ୟା ଲୋକଙ୍କୁ ଭେଟି ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । ଚର୍ଚ୍ଚା ହେଉଛି ଯେ, ଯଦି ସଦାଶିବ ବାଦ୍‌ ପଡ଼ନ୍ତି, ତାହେଲେ କୌଶଲ୍ୟାଙ୍କୁ ଟିକଟ ଦେଇପାରେ ବିଜେଡି । ଅନ୍ୟପକ୍ଷରେ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ମଞ୍ଜୁଳା ମାଝୀ ମଧ୍ୟ ଟିକଟ ଆଶାୟୀ ରହିଛନ୍ତି । ଜନସମ୍ପର୍କ ବଢ଼ାଇବା ଲାଗି ଏକାକୀ ଫୁଲ୍‌ ଦମ୍‌ରେ ଲାଗି ପଡ଼ିଛନ୍ତି । ତୃଣମୂଳସ୍ତରରେ ପହଞ୍ଚି ପ୍ରତି ଗାଁର ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଦଶାହ, ବିବାହ, ପର୍ବବପର୍ବାଣି ଏବଂ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେଉଛନ୍ତି । 

କୌଶଲ୍ୟାଙ୍କ ପରିଚୟ ସ୍ୱାମୀ ସଦାଶିବଙ୍କ ପରିବାରର ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ । ବିଧାୟକ ସଦାଶିବ ୯ ଥରର ନବରଙ୍ଗପୁର ସାଂସଦ ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ପରିବାରର । ଆଗରୁ ନାଲ୍‌କୋ ପ୍ରଶାସନିକ ଅଧିକାରୀ ଥିଲେ । ୨୦୧୯ରେ ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ତାଙ୍କୁ ଟିକଟ ଦେଇଥିଲା । ରାଜନୀତିରେ ନବାଗତ ହୋଇଥିଲେ ବି ନିଜ ପାରିବାରିକ ପୃଷ୍ଠଭୂମି ଏବଂ ଦଳୀୟ ସଂଗଠନ ତାଙ୍କୁ ଜିତାଇବାରେ ସହଯୋଗ କରିଥିଲା । 

ଅନ୍ୟପକ୍ଷରେ ମଞ୍ଜୁଳା ହେଉଛନ୍ତି ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ଝିଅ ଏବଂ ପୂର୍ବତନ ମନ୍ତ୍ରୀ ପରମା ପୂଜାରୀଙ୍କ ସାନ ଭଉଣୀ । ସେ ତାଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରିଥିଲେ । ୨୦୦୨ରେ ନବରଙ୍ଗପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ । ୨୦୦୭ରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ହୋଇଥିଲେ । ୨୦୧୭ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ତାଙ୍କୁ ଏସ୍‌ଡିସି ଉପାଧ୍ୟକ୍ଷା ପଦବି ଦେଇଥିଲା ବିଜେଡି । ଏବେ ନବରଙ୍ଗପୁର ମହିଳା ବିଜେଡିର ଜିଲ୍ଲା ସଭାନେତ୍ରୀ ରହିଛନ୍ତି । ଉଭୟ କୌଶଲ୍ୟା ଓ ମଞ୍ଜୁଳା ରାଜନୈତିକ ପରିବାରରୁ ଆସିଥିବା ବେଳେ କେହି କାହାଠୁ କମ୍‌ ନୁହନ୍ତି । କେବଳ ଦେଖିବାର କଥା, ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବିଜେପି କମ୍‌ବ୍ୟାକ୍‌ କରିବା ପରେ ବିଜେଡି ଏଠାରେ ତାହାର ରଣକୌଶଳରେ କି ପରିବର୍ତ୍ତନ କରୁଛି । ବିଧାୟକ ସଦାଶିବଙ୍କୁ ପୁଣି ଥରେ ଟିକଟ ଦେଉଛି ନା ମହିଳା କାର୍ଡ ଖେଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.