ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଆସୁଛି ୨୦୨୪ ନିର୍ବାଚନ: ଶ୍ରୀମନ୍ଦିର ପରିକ୍ରମାରୁ ଅନୁକୂଳ ହେବ ହାୱା, ନୂଆ ରୂପରେ ଝଲସିବ ହରିଶଙ୍କର, ସମଲେଇ ମନ୍ଦିର

ଭୁବନେଶ୍ୱର,୧୦/୧୨: ବିକାଶ ଯେଉଁଠି ଭୋଟ ସେଇଠି । ଭୋଟ ଯେତେବେଳେ ମୁଣ୍ଡ ଉପରେ, ବିକାଶ ଓ ପ୍ରକଳ୍ପର ବର୍ଷା ହେବା ଥୟ । ପାଖେଇ ଆସୁଛି ୨୦୨୪ ନିର୍ବାଚନ । ନୂଆବର୍ଷରୁ ରାଜ୍ୟରେ ପ୍ରକଳ୍ପ ବର୍ଷା କରିବେ ସରକାର । ପ୍ରକଳ୍ପ ଏମିତି ଯାହା ଲୋକଙ୍କ ହୃଦୟକୁ ଛୁଇଁବ । 

ଏହା ହିଁ ରାଜ୍ୟରେ ସରକାର ସପକ୍ଷ ହାୱାକୁ ବଳଶାଳୀ କରିବ । ସେ ହାୱାରେ ଉଡ଼ି ହଜିଯିବ ବିରୋଧୀଙ୍କ ସବୁ ରଣନୀତି ଆଉ ଅଭିଯୋଗ । ନିର୍ବାଚନ ପୂର୍ବରୁ ଯେତେ ପ୍ରକଳ୍ପ ବର୍ଷା ହେବ, ସେତେ ଭୋଟ ଅଜାଡ଼ି ହେବ ବିଜେଡି ସରକାର ସପକ୍ଷରେ । 

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ସମାରୋହ କରି ସାରା ଦେଶରେ ବିଜେପି ସପକ୍ଷରେ ହାୱା ସୃଷ୍ଟି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ଏ ନେଇ ସବୁ ରାଜ୍ୟରେ ବିଜେପି ଜୋରଦାର ପ୍ରସ୍ତୁତି, ଆୟୋଜନ ଚଳାଇଛି । 

ଠିକ୍‌ ସେତିକିବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ରାଜ୍ୟ ସରକାରଙ୍କ ମେଗା ଆୟୋଜନ । ଅଯୋଧ୍ୟା ରାମମନ୍ଦିରର ସପ୍ତାହେ ଆଗରୁ ଓଡ଼ିଶାରେ ଘରେ ଘରେ ଶୁଭିବ ଜୟ ଜଗନ୍ନାଥ ନାରା । 

ଜାନୁଆରୀ ୧୭ରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏହାକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବାକୁ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୧୨ରୁ ଅଙ୍କୁରାରୋପଣ ଓ ୧୫ରୁ ଚାରିଦ୍ୱାରରେ ଚାଲିବ ମହାଯଜ୍ଞ । ଚାରିପାଶ୍ୱର୍ ପରିକ୍ରମାରେ ସଂକୀର୍ତ୍ତନ ଭକ୍ତି ଭାବରେ ଭିଜାଇ ଦେବ । ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭେଟି ଦେବେ ।  କେବଳ ଶ୍ରୀମନ୍ଦିର ପରିକ୍ରମା ନୁହେଁ ପୁରୀ ସହର ପାଇବ ନୂଆ ରୂପ । ଭକ୍ତଙ୍କ ସୁବିଧା ପାଇଁ ଶ୍ରୀସେତୁ, ଧର୍ମଶାଳା, ପାର୍କିଂ ବ୍ୟବସ୍ଥାର ଲୋକାର୍ପଣ ହେବ । ୩ ବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରର ଚେହେରା ଓ ୨୦୨୪ର ଦୃଶ୍ୟପଟ୍ଟ ଭିତରେ ଦେଖିବାକୁ ବିରାଟ ପରିବର୍ତ୍ତନ । 

ପ୍ରାୟ ୮ଶହ କୋଟି ଟଙ୍କାର ମେଗା ପରିକ୍ରମା ପ୍ରକଳ୍ପରେ ଝଟକିବ ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନକୁ ଭବ୍ୟ ଢଙ୍ଗରେ ପାଳନ କରାଯିବ । ଓଡ଼ିଶାର କୋଣ ଅନୁକୋଣ ସହ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ ଶ୍ରୀକ୍ଷେତ୍ରକୁ । ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଏହି ପ୍ରକଳ୍ପ ନେଇ ରାଜ୍ୟରେ ନବୀନ ସରକାରଙ୍କ ସପକ୍ଷରେ ବିରାଟ ବାତାବରଣ ଆଣିବ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ବିଜେଡି ମଧ୍ୟ ପ୍ରସ୍ତୁତି ଚଳାଇଛି । ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଛାଇଯିବ ହୋର୍ଡିଂ । 

ଜୟ ଜଗନ୍ନାଥ ନାରା ପ୍ରତି ଓଡ଼ିଆଙ୍କ ଭାବାବେଗ ଓ ଅସ୍ମିତା ସହ ଯୋଡ଼ି ହେବ । ଏଭଳି ଭବ୍ୟ ପ୍ରକଳ୍ପ ଭେଟି ଦେଇ ନବୀନ ପ୍ରତି ଓଡ଼ିଆଙ୍କ ହୃଦୟରେ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିନେବେ । ଅନେକ ପ୍ରତିବନ୍ଧକକୁ ଡେଇଁ ଏ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରକଳ୍ପକୁ ଦ୍ରୁତ ଗତିରେ ଆଗେଇ ନେବାରେ ବଡ଼ ଭୂମିକା ତୁଲାଇଛନ୍ତି  ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ପଶ୍ଚିମ ଓଡ଼ିଶାରେ ବି ଆଉ ଏକ ଭବ୍ୟ ପ୍ରକଳ୍ପ ଭେଟି ଦେବେ ବିଜେଡି ସରକାର । ଜାନୁଆରୀ ଶେଷ ସପ୍ତାହବେଳକୁ ସମ୍ବଲପୁରରେ ମା’ସମଲେଇ ମନ୍ଦିର ଚାରିପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର  ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୨୫୦ କୋଟି ଟଙ୍କା ବ୍ୟୟରେ ଏହି ପୀଠକୁ ଏମିତି ରୂପ ଦିଆଯାଉଛି, ଦେଖିଲେ ଆଖି ଲାଖିଯିବ । ଏ ପ୍ରକଳ୍ପ ପଶ୍ଚିମ ଓଡ଼ିଶାରେ ନବୀନଙ୍କ ପ୍ରତି ଭଲ ପାଇବାକୁ ଆହୁରି ବଢ଼ାଇ ଦେବ । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ବିଜେପି ଗଡ଼ କରିଥିଲା । ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ମା’ ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପ ଭେଟି ଦେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନ ଜିଣିନେବେ ନବୀନ । 

ଜାନୁଆରୀ ପ୍ରଥମ ଭାଗରେ ବଲାଙ୍ଗିରର ପ୍ରସିଦ୍ଧ ହରିଶଙ୍କର ପୀଠର ଉନ୍ନତିକରଣ ପ୍ରକଳ୍ପର ଲୋକାର୍ପଣ ହେବ ବୋଲି ଜଣାପଡ଼ିଛି । ଏସବୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ବିରାଟ ସମାଗମ ହେବା ସମ୍ଭାବନା ଅଛି ।

ଏହି ପ୍ରକଳ୍ପକୁ ଆଧାର କରି ବିଜେଡି ମଧ୍ୟ ଭୋଟ ପାଇଁ ଲୋକଙ୍କ ପାଖକୁ ଯିବା ଯୋଜନାରେ ଅଛି । କେବଳ ଧାର୍ମିକ ପୀଠର ରୂପାନ୍ତରଣ ନୁହେଁ, ଭିତ୍ତିଭୂମି ଓ ଆଧୁନିକ ଓଡ଼ିଶାର ନିଅଁ ପଡ଼ିବ ଜାନୁଆରୀରେ ।

ନୂଆବର୍ଷରେ ବହୁପ୍ରତୀକ୍ଷିତ ମେଗା ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ଦେବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ ସହରରେ ମେଟ୍ରୋ ରେଳ ଗମନାଗମନ ମାଧ୍ୟମରେ ନୂଆ ଯୁଗ ଆଣିବ । ଯେଉଁ ପ୍ରକଳ୍ପ ଦିନେ ସାରା ଓଡ଼ିଶାବାସୀଙ୍କ ସ୍ୱପ୍ନ ଥିଲା, ସେ ସ୍ୱପ୍ନକୁ ସାକାର କରିବେ ନବୀନ । ୫୯୨୯ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପକୁ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରହିଛି । 

ଆଉ ଏକ ମେଗା ଓ ବହୁପ୍ରତୀକ୍ଷିତ ପ୍ରକଳ୍ପ ୨୦୨୪ରେ ଭେଟି ଦେବେ ନବୀନ । ୨୩ ବର୍ଷ ହେଲାଣି ବଲାଙ୍ଗିରବାସୀ ଯେଉଁ ଲୋୟର ସୁକତେଲ ପ୍ରକଳ୍ପକୁ ଅପେକ୍ଷା କରି ରହିଛନ୍ତି, ତା’ର ଲୋକାର୍ପଣ ହେବ ଆସନ୍ତା ମାସରେ । ମରୁଡ଼ି ପ୍ରବଣ ବଲାଙ୍ଗିର ଜିଲ୍ଲାର ଚାଷୀ ମୁହଁରେ ହସ ଆଣିବାକୁ ୨୦୦୧ ମସିହାରେ ଶିଳାନ୍ୟାସ ଦିଆଯାଇଛି । ପ୍ରକଳ୍ପ ବାଟରେ ଅନେକ ପ୍ରତିବନ୍ଧକ ଆସିଥିଲା ବିଭିନ୍ନ ସମୟରେ । ଶେଷରେ ୫-ଟି ଆଧାରରେ ଏ ପ୍ରକଳ୍ପ ତ୍ୱରିତ ଗତି ପାଇଲା । ପ୍ରାୟ ୩ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ବଲାଙ୍ଗୀର ଜିଲ୍ଲାରେ ଚାଷୀକୂଳକୁ ବଳ ଦେବ ।

 କେବଳ ଏତିକିରେ ସରିଯିବନି, ଅନେକ ଧାର୍ମିକ ଓ ଐତିହ୍ୟର ପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ସେଥିରୁ ଅଧିକାଂଶ ପ୍ରକଳ୍ପ ୨୦୨୪ ନିର୍ବାଚନ ପୂର୍ବରୁ ଲୋକାର୍ପଣ ହେବ । ବିକାଶମୂଳକ ଓ ଭିତ୍ତିଭୂମିଭିତ୍ତିକ ପ୍ରକଳ୍ପ ବି ଛିଡ଼ା ହେବ ନିର୍ବାଚନ ଆଗରୁ । ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଗାଁ ଗାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅନେକ ଉନ୍ନୟନମୂଳକ ଓ ଧାର୍ମିକ ପୀଠର ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଉଛି । ଏସବୁ ପ୍ରକଳ୍ପ ବିଜେଡି ପାଇଁ ଭୋଟ  ବର୍ଷା କରିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । 

ଆଗକୁ ରୂପାନ୍ତରିତ ଏବଂ ନବୀନ ଓଡ଼ିଶାର ହାୱା ପ୍ରବଳରୁ ପ୍ରବଳତର ହେବ ବୋଲି ଇସାରା ମିଳି ସାରିଲାଣି । ଓଡ଼ିଶାକୁ ବିକାଶ ପିରାମିଡ୍‌ର ଶିଖରରେ ପହଞ୍ଚାଇବା ଲାଗି ଏହି ଅହରହ ଉଦ୍ୟମ ହିଁ ବିଜେଡି ସରକାରଙ୍କ ପ୍ରମୁଖ ନିର୍ବାଚନୀ ଅୟୂଧ ସାଜିବ ବୋଲି କୁହାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.