ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପାଣ୍ଡିଆନ କହିଲେ ମନର କଥା, ଜନସେବା ପାଇଁ ରାଜନୀତିକୁ ଆସିଲି...

Published By : Prameya | February 9, 2024 10:29 AM

ଭୁବନେଶ୍ୱର,୦୯/୦୨: ଲୋକଙ୍କ ସେବା କରିବାକୁ ବାରମ୍ବାର କହିଲା ଅନ୍ତରାତ୍ମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଜିଲେ ମୁଖ୍ୟ ପ୍ରେରଣା। ଜନସେବା ପାଇଁ ରାଜନୀତିକୁ ଆସିବାକୁ ଉତ୍ସାହ ଦେଲେ । ବିନା ବାଧାରେ ଲୋକଙ୍କ ପାଖକୁ ଯିବାକୁ ପ୍ରଶାସନିକ ପଦ ଛାଡ଼ିଲି । ବିଜେଡିରେ ଯୋଗ ଦେଲି । ରାଜନୀତିକୁ ଆସିଲି ।  ଜାତୀୟ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାରରେ ଏହା କହିଛନ୍ତି ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସାକ୍ଷାତକାରରେ ପ୍ରଶାସକରୁ ବିଜେଡି ନେତା ହେବାର ଯାତ୍ରା ଓ ଅନୁଭୂତିକୁ ବଖାଣିଛନ୍ତି କାର୍ତ୍ତିକ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ରୂପାନ୍ତରଣ ସମ୍ପର୍କରେ ମନର କଥା କହିଛନ୍ତି ଶ୍ରୀ ପାଣ୍ଡିଆନ୍‌ ।

କାର୍ତ୍ତିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ନିଷ୍ଠାରୁ ଓଡ଼ିଶା ଆଜି ବିକାଶ ରାସ୍ତାରେ ଦୌଡ଼ୁଛି । ୨୦୦୦ ମସିହାରେ ଖାଦ୍ୟଶସ୍ୟରେ ରାଜ୍ୟ ଥିଲା ନିଅଣ୍ଟିଆ । ମାତ୍ର ଓଡ଼ିଶା ଆଜି ପାଲଟିଛି ଖାଦ୍ୟ ବଳକା ରାଜ୍ୟ । ନବୀନଙ୍କର ଏଜେଣ୍ଡା ହେଉଛି ବିକାଶ ଓ ଲୋକଙ୍କ ପାଇଁ କାମ । ବିକାଶ ପାଇଁ ଲୋକ ତାଙ୍କୁ ଭରସା କରୁଛନ୍ତି । ଆଶୀର୍ବାଦ ଦେଉଛନ୍ତି । ସବୁ ନିର୍ବାଚନରେ ବିଜେଡିର ଭୋଟ ହାର ବଢୁଛି । ସିଟ୍‌ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ।

ରାଜନୀତିକୁ କେମିତି ଆସିଲେ? ଏ ପ୍ରଶ୍ନର ଉତ୍ତରରେ ୫-ଟି ଅଧ୍ୟକ୍ଷ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଛି । କୋଭିଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିଲା  । ତେଣୁ ମୁଖ୍ୟମନ୍ତ୍ରୀ ନିଜ ଅଫିସକୁ ଲୋକଙ୍କ ପାଖକୁ ନେବାକୁ ଚାହିଁଲେ । ଯାହା ଦେଶରେ କୌଣସି ରାଜ୍ୟରେ ପ୍ରଥମ ଥର ହୋଇଥିଲା । ଆମେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀକୁ ଯାଇଥିଲୁ । ଏହି ସମୟରେ ହଜାର ହଜାର ଲୋକଙ୍କ ସହିତ ମିଶିଥିଲି । ସେ ସମୟରେ ହିଁ ରାଜନୀତିକୁ ଆସିବା କଥା ଭାବିଥିଲି । ପରବର୍ତ୍ତୀ ସମୟରେ ମୁଁ ରାଜନୀତିରେ ମିଶିବା କଥା କହିବାରୁ ସେ ବେଶ୍‌ ଖୁସି ହୋଇଥିଲେ । ଜନସେବା ପାଇଁ ଆଇଏଏସ୍‌ ପଦ ଛାଡ଼ିଲି । ମାତ୍ର ଏବେ ବି ମୋ ସହପାଠୀମାନେ ଏ ନିଷ୍ପତ୍ତିିକୁ ନେଇ ହସୁଛନ୍ତି । କାରଣ ମୋର ଏମିତି କିଛି ଯୋଜନା ହିଁ ନଥିଲା । ଏସବୁ ଆକସ୍ମିକ ।

ଆଇଏଏସ୍‌ ପଦ ଛାଡ଼ି ରାଜନୀତିକୁ ଡେଇଁବା ନିଷ୍ପତ୍ତିକୁ ପରିବାରରୁ କେମିତି ସମର୍ଥନ ମିଳିଥିଲା? ଏ ପ୍ରଶ୍ନର ଜବାବରେ ପାଣ୍ଡିଆନ୍‌ କହିଛନ୍ତି, ମୋତେ ଘରେ ସବୁ ସମୟରେ ସମସ୍ତେ ସହଯୋଗ କରନ୍ତି । ଏ ନିଷ୍ପତ୍ତିରେ ମା, ଭାଇ, ଭଉଣୀ ସମସ୍ତଙ୍କର ସମର୍ଥନ ଥିଲା । ମୁଁ ଜଣେ ପ୍ରଶାସକହେଲେ ମଧ୍ୟ ନିଜକୁ ଜଣେ ସକ୍ରିୟ ସାମାଜିକ କର୍ମୀ ଭାବେ । ତ୍ୱରିତ ନିଷ୍ପତ୍ତି ନିଏ । ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ମୋ କାର୍ଯ୍ୟକୁ ଅନୁଧ୍ୟାନ କଲେ ଆପଣ ତାହା ଜାଣି ପାରିବେ । ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବହୁ କର୍ମଚାରୀଙ୍କୁ ମୁଁ ୮ ମାସର କାର୍ଯ୍ୟକାଳ ଭିତରେ ସେମାନଙ୍କ ଝାଳବୁହା ଟଙ୍କା ଫେରାଇବାରେ ସକ୍ଷମ ହୋଇଥିଲି । ମୟୂରଭଞ୍ଜରେ ବର୍ଷକୁ ୭ଶହ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଇସ୍ୟୁ ହେଉଥିଲା । ମୋ ଅମଳରେ ଆମେ ବର୍ଷକୁ ୧୯ ହଜାର ସାର୍ଟିଫିକେଟ୍‌ ପ୍ରଦାନ କଲୁ ।

ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି, ୧୯୯୯ ମହାବାତ୍ୟା ଓଡ଼ିଶାକୁ ବିପର୍ଯ୍ୟସ୍ତ କରି ଦେଇଥିଲା । ଚ୍ୟାଲେଞ୍ଜ ନେଇ କାମ କରିବାକୁ ସେ ପଞ୍ଜାବ କ୍ୟାଡର ଛାଡ଼ି ଓଡିଶାକୁ ଆସିଥିଲେ । ସ୍ୱାଧୀନ ଭାବେ କାମ କରିବାକୁ ଏଠି ସୁଯୋଗ ମିଳିଲା । ୨୦୦୩ରେ କଳାହାଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନବୀନଙ୍କ ସହ ପ୍ରଥମ ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରଶଂସା କରିଥିଲେ ନବୀନ । ଆଜି କଳାହାଣ୍ଡିର ଚେହେରା ବଦଳିଛି । ମରୁଡ଼ି ଅଞ୍ଚଳର ରୂପାନ୍ତରଣ ପରେ ଶସ୍ୟଶ୍ୟାମଳା କଳାହାଣ୍ଡି ଏବେ ପାଇଛି ନୂଆ ପରିଚୟ ।

୫-ଟି ଅଧ୍ୟକ୍ଷ କହିଛନ୍ତି, ଭାଷା ଲୋକଙ୍କ ସହ ଯୋଡ଼ି ହେବାର ମାଧ୍ୟମ । ନବୀନଙ୍କ ଭାଷା ହେଉଛି ଲୋକଙ୍କ ଭାଷା । ସେ ହୃଦୟରୁ କୁହନ୍ତି, ସ୍ୱଚ୍ଛତାକୁ ଭଲ ପାଆନ୍ତି । ଯଦି ଆପଣ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ତେବେ ଭାଷା କେବେ ବାଧକ ସାଜିବନି । ଲୋକେ ଜାଣିବାକୁ ଚାହାନ୍ତି ଆପଣ କେତେ ସ୍ୱଚ୍ଛ, କେତେ ଉତ୍ସର୍ଗୀକୃତ? ନେତା ବହୁତ ଲୋକପ୍ରିୟ ହେଲେ କେହି ବିଦ୍ରୋହ କରିପାରିବେନି । ପ୍ୟାରୀମୋହନ ମହାପାତ୍ରଙ୍କ ଖରାପ ସମୟ ଥିଲା ବୋଲି ସେ ବିଦ୍ରୋହ କରିଥିଲେ । ତେବେ ନବୀନଙ୍କ ଲୋକପ୍ରିୟତା ଆଗରେ ଏହା ହାର ମାନିଲା । 

କେନ୍ଦ୍ର ବିଜେପି ଓ ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି କି? ଏହାର ଉତ୍ତରରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଭଲ ସଂପର୍କ ରହିଆସିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ସ୍ୱାର୍ଥ ଆଗ । ସେ କାମରେ ବିଶ୍ୱାସ କରନ୍ତି । ତେବେ ଚାଷୀ ବିଲ୍‌,ଏନ୍‌ଆରସି ବିଲ୍‌ରେ ବିଜେଡି କେନ୍ଦ୍ରକୁ ସମର୍ଥନ କରିନଥିଲା । ଫିକ୍ସିଂର ପ୍ରଶ୍ନ ହିଁ ଉଠୁନି । 

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ୫-ଟି ଅଧ୍ୟକ୍ଷ କହିଛନ୍ତି, ନିଜର ରାଜନୈତିକ କ୍ୟାରିୟରକୁ ବାଜିରେ ଲଗାଇ ଶ୍ରୀମନ୍ଦିର ପ୍ରକଳ୍ପ କାମ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । ମନ୍ଦିର ଚତୁଃପାଶ୍ୱର୍ରୁ ୭୫ ମିଟର ଖାଲି କରିବା ସଂପୂର୍ଣ୍ଣ ଅସମ୍ଭବ ମନେ ହେଉଥିଲା । ପରିକ୍ରମା ପ୍ରକଳ୍ପ ନେଇ ବହୁ ନକରାତ୍ମକ ପ୍ରଚାର ମଧ୍ୟ ହେଲା । ମାତ୍ର ମୁଖ୍ୟମନ୍ତ୍ରୀ ଯେ କୌଣସି ମୂଲ୍ୟ ବଦଳରେ ଏ ପ୍ରକଳ୍ପ ପାଇଁ ଆଗେଇ ଆସିଲେ । ଯାହାର ଫଳ ହେଉଛି ଆଜିର ଭବ୍ୟ ପରିକ୍ରମା । ରାଜ୍ୟରେ ଏବେ ଆଧ୍ୟାତ୍ମିକ ଶାସନ ଚାଲିଛି । ଅଫିସରଙ୍କ ଭଲ କାମକୁ ପ୍ରଶଂସା କରନ୍ତି ନବୀନ । ସ୍ୱଚ୍ଛ, ଭଲ କାମ କରିଥିଲେ ପଛରେ କାନ୍ଥ ଭଳି ଠିଆ ହୁଅନ୍ତି । 

 ଏହି ପଡ୍‌କାଷ୍ଟରେ ବୈଜୟନ୍ତ ପଣ୍ଡା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର କରୁଥିଲେ ବୋଲି ପାଣ୍ଡିଆନ କହିଛନ୍ତି । ସେ କହିଲେ, ବୈଜୟନ୍ତ ନବୀନଙ୍କ ସହ ମଧ୍ୟାହ୍ନ ଓ ରାତ୍ରିଭୋଜନରେ ଏକାଠି ହେଉଥିଲେ । କିନ୍ତୁ ପଛରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ପ୍ରଚାର କରି ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ବିକଳ୍ପ ନେତା ବାଛିବାର ସମୟ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ଆଘାତ ଦେଇଥିଲା । 

 ସେହିଭଳି ରାହୁଲ ଗାନ୍ଧିଙ୍କ ନ୍ୟାୟଯାତ୍ରା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କାର୍ତ୍ତିକ କହିଛନ୍ତି, ଏହି ଯାତ୍ରା ପାଇଁ ଓଡ଼ିଶାରେ ଯଦି କଂଗ୍ରେସକୁ କିଛି ଲାଭ ମିଳେ ତେବେ ଶୁଭଙ୍କର । କାରଣ ଭୋଟ ରାଜନୀତିରେ ତ୍ରିକୋଣୀୟ ଲଢ଼େଇ ସବୁବେଳେ ଭଲ । ଗଣତନ୍ତ୍ରରେ ଶାସକ-ବିରୋଧୀଙ୍କ ମଧ୍ୟରେ ଗଠନମୂଳକ ସମାଲୋଚନା ସହ ବିକାଶ ପାଇଁ ଏକାଠି କାମ କରିବା ମଧ୍ୟ ଜରୁରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.