ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଲେଜ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ; ମାର୍ଚ୍ଚ ୫ରୁ ମ୍ୟାଜିକ୍‌ କାର୍ଡ ପଞ୍ଜୀକରଣ, ଅଗଷ୍ଟ ୧୫ରୁ ବଣ୍ଟନ

ଖୋର୍ଦ୍ଧା/ବେଗୁନିଆ, ୨୮।୨: ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ । ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ଏହା ସ୍ମାର୍ଟ କାର୍ଡ ଭାବେ ବ୍ୟବହାର ହେବ । ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ନେଇ ଏହି କାର୍ଡ ସହାୟକ ହେବ । ଏହି ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ ସମୃଦ୍ଧିର ପାସ୍‌ପୋର୍ଟ ପାଲଟିବ । ଏହା କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମଙ୍ଗଳବାର ଦିନିକିଆ ଗସ୍ତରେ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍‌ ଖୋର୍ଦ୍ଧା ଏବଂ ବେଗୁନିଆରେ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ କରିଛନ୍ତି । ପ୍ରଥମେ ଶ୍ରୀ ପାଣ୍ଡିଆନ ବେଗୁନିଆ ମିନି ଷ୍ଟାଡିୟମରେ ଏବଂ ପରେ ଖୋର୍ଦ୍ଧା ପୌରାଞ୍ଚଳର ହାବେଳି ପଡ଼ିଆଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଠାରେ ଶ୍ରୀ ପାଣ୍ଡିଆନ ଜିଲ୍ଲାବ୍ୟାପୀ ୩୦ କଲେଜର ୧୬ ହଜାର ୬୧୩ ଛାତ୍ରଛାତ୍ରୀଙ୍କୁ ପ୍ରାୟ ୧୬.୧୩ କୋଟି ଟଙ୍କାର ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରିଥିଲେ । 

ଏହି ଅବସରରେ ‘ନବୀନ ମ୍ୟାଜିକ୍‌ କାର୍ଡ’ ସଂପର୍କରେ ଶ୍ରୀ ପାଣ୍ଡିଆନ କହିଲେ, ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଏହି କାର୍ଡ ଅପଗ୍ରେଡ୍‌ ହେବ । ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍‌ ସ୍ତର ଯାଏ ଅପଗ୍ରେଡ୍‌ କରିହେବ । ଶିକ୍ଷାର୍ଥୀଙ୍କ ଉପସ୍ଥାନ, ଶୃଙ୍ଖଳା ମନୋଭାବ, ଶିକ୍ଷାଗତ ସଫଳତା, ସୃଜନଶୀଳତା, କ୍ରୀଡ଼ା ସଫଳତା, ସାମାଜିକ ଏବଂ ବୃତ୍ତିଗତ ଅବଦାନ ଭଳି ଏଥିରେ ବିଭିନ୍ନ ମାପଦଣ୍ଡ ରହିଛି । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କଲେ ନିଜ ମ୍ୟାଜିକ୍‌ର ଆପେ ଅପଗ୍ରେଡସନ୍‌ ହୋଇଯିବ । ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ସହ ଦକ୍ଷତା ବିକାଶରେ ଏହା ସହାୟକ ହେବ । ପିଲାମାନଙ୍କ ସୃଜନଶୀଳତା, ସାମାଜିକ ଓ ଗୋଷ୍ଠୀଗତ କାର୍ଯ୍ୟକ୍ରମରେ ସହଭାଗିତାକୁ ଏହି କାର୍ଡ ଜରିଆରେ ମୂଲ୍ୟାୟନ କରାଯିବ । ଛାତ୍ରଛାତ୍ରୀଙ୍କୁ ସମ୍ମାନ ଓ ଉତ୍ସାହ ମିଳିବ । ପାଣ୍ଡିଆନ କହିଲେ, ଏହି କାର୍ଡରେ ଛାତ୍ରଛାତ୍ରୀ ବସ୍‌, ଟ୍ରେନ୍‌ ଏବଂ ବିମାନରେ ଯାତ୍ରା କରିବା ସମୟରେ ରିହାତି ପାଇବେ । ଏଥିସହ ମାଗଣା ୱାଇଫାଇ, ଅନ୍‌ଲାଇନ୍‌ କୋର୍ସ, ଫୋନ୍‌, ଡାଟା ରିଚାର୍ଜ, ଇ-ଲାଇବ୍ରେରୀ, ଦକ୍ଷତା ବିକାଶ ପାଠ୍ୟକ୍ରମ, କୋଚିଂ ଭଳି ବିଭିନ୍ନ ଏକାଡେମିକ୍‌ କ୍ଷେତ୍ରରେ ସହାୟକ ହେବ । 

କ୍ୟାରିୟର କାଉନସେଲିଂ, ଭାଷା ପାଠ୍ୟକ୍ରମ (ଓଡ଼ିଆ ଏବଂ ଇଂରାଜୀ ଅନ୍ତର୍ଭୁକ୍ତ ରହିଛି), ସ୍ୱେଚ୍ଛାସେବୀ କ୍ଷେତ୍ରରେ ସହାୟକ ହେବ । ଏପରିକି ପିଲାମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସମୟରେ ଏହି କାର୍ଡ ଦେଖାଇ ଷ୍ଟାଡିୟମ୍‌କୁ ପ୍ରବେଶ କରିବେ । ପର୍ଯ୍ୟଟନ ସ୍ଥଳ, ସଂଗ୍ରହାଳୟ ବୁଲିପାରିବେ । ଜର୍ଣ୍ଣାଲ୍‌ ଏବଂ ସେମିନାର୍‌ ସମୟରେ ଭାଗ ନେଇପାରିବେ । ଏହି କାର୍ଡ ନିଯୁକ୍ତି ପାଇଁ ବଡ଼ ସୁଯୋଗ ଆଣିବ । ଲିଙ୍କଡ୍‌ଇନ୍‌ ଭଳି ନିଯୁକ୍ତି ପ୍ରଦାନକାରୀ ଅନ୍‌ଲାଇନ୍‌ ସଂସ୍ଥା ଦ୍ୱାରା ଶିକ୍ଷାର୍ଥୀମାନେ ସିଧାସଳଖ ଶିଳ୍ପାନୁଷ୍ଠାନ ସହ ଯୋଗାଯୋଗ କରିପାରିବେ ।  ପିଲାଙ୍କୁ ନୂଆ ଉଦ୍ୟୋଗ କରିବାକୁ ଏହା ପ୍ରୋତ୍ସାହିତ କରିବ । ସ୍ୱୟମ୍‌ ଯୋଜନାରେ ଯୁବ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନରେ ସହାୟକ ହେବ । ଏହି କାର୍ଡ ପଞ୍ଜିକରଣ ପାଇଁ ମାର୍ଚ୍ଚ ୫ରେ ଏକ ପୋର୍ଟାଲ୍‌ ଲୋକାର୍ପିତ କରାଯିବ । ଅଗଷ୍ଟ ୧୫ରୁଏହି କାର୍ଡ ବଣ୍ଟନ କରାଯିବ । କାର୍ତ୍ତିକ କହିଲେ, ଆୟକର ଦେଉଥିବା ଅଭିଭାବକ, ସରକାରୀ ସ୍ଥାୟୀ କର୍ମଚାରୀଙ୍କ ପିଲାଙ୍କୁ ବାଦ୍‌ ଦେଇ ଅବଶିଷ୍ଟ ସବୁବର୍ଗ ପିଲାଙ୍କ ଜମାଖାତାକୁ ସିଧାସଳଖ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶୁଭ ମନାସି ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ପୂରଣରେ ରାଜ୍ୟ ସରକାରଙ୍କ ପଦକ୍ଷେପ ବେଶ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ,‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନାରେ ଛାତ୍ରଙ୍କୁ ୯ ହଜାର ଏବଂ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ । ସେହିପରି ଏସ୍‌ସି, ଏସ୍‌ଟି ଏବଂ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଏବଂ ଝିଅଙ୍କୁ ୧୧ହଜାର ଟଙ୍କାର ବାର୍ଷିକ ଛାତ୍ରବୃତ୍ତି ମିଳିବ । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଉଚ୍ଚଶିକ୍ଷା ଅଧୀନସ୍ଥ ସରକାରୀ କଲେଜ ମହାବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ସଂସ୍କୃତ ମହାବିଦ୍ୟାଳୟରେ ପଢ଼ୁଥିବା ଶିକ୍ଷାର୍ଥୀମାନଙ୍କୁ ଏହି ବୃତ୍ତି ମିଳିବ । ସୋମବାରଠାରୁ ବୃତ୍ତି ଅର୍ଥ ବଣ୍ଟନ ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ ୫ ପୂର୍ବରୁ ସମସ୍ତ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ଏହି ବୃତ୍ତି ଅର୍ଥ ମିଳିବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.