କୋକସରା, ୩/୧୧ : ପ୍ରତି ପଞ୍ଚାୟତକୁ ମୋ ଓଡ଼ିଶା ନବୀନ ଓଡିଶା ଯୋଜନାରେ ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତର ଭିତ୍ତିଭୂମିର ବିକାଶ ପାଇଁ ଯୋଗାଇ ଦିଆଯାଇଥିବାବେଳେ ଏହାର ସୁ ବିନିଯୋଗ ଓ ଉନ୍ନୟନ ପାଇଁ ବ୍ଲକ ପ୍ରଶାସନ ଜରିଆରେ ସମସ୍ତ ଅନୁଦାନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯାଇଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ବ୍ଲକ ପ୍ରଶାସନ ସହ ପଞ୍ଚାୟତର ଜନ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ଏହି କ୍ରମରେ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ୧୩ବ୍ଲକର ଆୟୋଜିତ ହୋଇଥିବାବେଳେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ କସ୍ତୁରବା ଖେଳ ପଡ଼ିଆରେ ମଧ୍ୟ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ କୋକସରା ବିଡିଓ ସ୍ନେହାପ୍ରଭା ମାଝୀଙ୍କ ତତ୍ତ୍ବାବଧାନରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ହେମନ୍ତ ମାଝୀ, ସଭ୍ୟା ବୈଜୟନ୍ତି ପୁଝାରି, ତହସିଲଦାର ନବୀନ କିଶୋର ପାଢ଼ୀ ସମେତ ୨୨ପଞ୍ଚାୟତର ସମିତି ସଭ୍ୟସଭ୍ୟା, ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡାହାଣ୍ଡି ଡୋକରିଚଞ୍ଚରା ଆମପାଣି ବୁଢ଼ାରଜା ମନ୍ଦିର, ସମେତ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶିକ୍ଷାନୁଷ୍ଠାନ, ମନ୍ଦିର, ସାମାଜିକ ଅନୁଷ୍ଠାନକୁ ଅନୁଦାନ ମିଳିଥିବା ସୂଚନା ଦେଇଥିଲେ ।
ଏହି ଅବସରରେ ଧର୍ମଗଡ଼ ବିଧାୟକ ଶ୍ରୀ ବାଗ ଉପସ୍ଥିତ ରହି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ସହ ଜଡ଼ିତ ଥିବା ହଜାରହଜାର ମହିଳା, କର୍ମଚାରୀ ସମେତ ବିଜୁ ଜନତା ଦଳର ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିବାବେଳେ ବ୍ଲକ ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।