ନୂଆଦିଲ୍ଲୀ,୦୨/୦୯: ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ ରିପୋର୍ଟ କାର୍ଡ ୨୦୨୩ ପ୍ରକାଶ ପାଇଛି । ଏଥିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଏ ପ୍ଲସ ମାନ୍ୟତା ରହିଛି । ତାଲିକାରେ ସେ ପ୍ରଥମରେ ରହିଛନ୍ତି । ଏହି ମାନ୍ୟତା ପାଇବାରେ ବିଶ୍ୱର ୩ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ମଧ୍ୟରେ ଶକ୍ତିକାନ୍ତ ରହିଛନ୍ତି । ମାଗାଜିନ ଏହାର ଅକ୍ଟୋବର ସଂସ୍କରଣ (ପ୍ରିଣ୍ଟ ଓ ଡିଜିଟାଲ)ରେ ବ୍ୟାଙ୍କରଙ୍କ ସମ୍ପର୍କରେ ଏକ ଆଲେଖ୍ୟ ପ୍ରକାଶ କରିବ ।
୧୯୯୪ ପରଠାରୁ ୧୦୧ ପ୍ରମୁଖ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତାଲିକା ଗ୍ଲୋବାଲ ଫାଇନାନ୍ସ ପ୍ରକାଶ କରୁଛି । ଏ ପ୍ଲସ ମିଳିଥିବା ଅନ୍ୟ ୨ ଗଭର୍ଣ୍ଣର ହେଲେ ସୁଇଜରଲ୍ୟାଣ୍ଡର ଥୋମାସ ଜେ ଜୋର୍ଡାନ ଏବଂ ଭିଏଟନାମର ଗୁଏନ ଥିନ ହଙ୍ଗ ରହିଛନ୍ତି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା, ସୁଧହାର ପରିଚାଳନା ଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖି ଏ ଠାରୁ ଏ ଯାଏ ର୍ୟାଙ୍କ ଦେଇଥାଏ ଏହି ମାଗାଜିନ । ଏସବୁ କ୍ଷେତ୍ରରେ ଭଲ କାମ କରିଥିବା ଗଭର୍ଣ୍ଣର ମାନ୍ୟତା ପ୍ରଦାନ କରିବା ଦିଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଗ୍ଳୋବାଲ ଫାଇନାନ୍ସର ପ୍ରତିଷ୍ଠାତା ତଥା ଏଡିଟୋରିଆଲ ଡାଇରେକ୍ଟର ଜୋସେଫ ଗିଆରାପୋଟୁ କହିଛନ୍ତି।