ଭୁବନେଶ୍ୱର,୦୪/୧୧: ଭୁବନେଶ୍ୱର ପାୱାର ହାଉସ୍ ଛକରେ ଝାରସୁଗୁଡ଼ା ବିଧାୟିକାଙ୍କ ଭାଇଙ୍କ ଗାଡ଼ି କାହ୍ନୁ ଚରଣ ନାୟକ ନାମକ ଜଣେ ଯବାନଙ୍କ ବାଇକକୁ ଧକ୍କା ଦେଇଥିଲା । ପୁଲିସ କମିଶନରେଟ୍ କାର୍ଯ୍ୟାଳୟରେ ୫୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିଶନରେଟ୍ ପୁଲିସ୍ ପଛଘୁଞ୍ଚା ଦେଉଛି ବୋଲି ଛାତ୍ରକଂଗ୍ରେସ ଅଭିଯୋଗ କରିଛି ।
ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ କହିଛନ୍ତି, ପୁଲିସ ଠିକ୍ ଭାବେ ଏହାର ତଦନ୍ତ କରୁନାହିଁ । ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍କୁ ସାର୍ବଜନୀନ କରାଯାଉ । ଯଦି ବିଧାୟିକାଙ୍କ ଭାଇ ସେଠାରେ ଉପସ୍ଥିତ ଥିବେ, ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯାଉ । ନହଲେ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ବୋଲି ୟାସିର ଚେତାବନୀ ଦେଇଛନ୍ତି । ସେହିପରି ମୃତ ମହିଳାଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ, ଆହତ ଯବାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ତାଙ୍କୁ ମଧ୍ୟ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ୟାସିର୍ ଦାବି କରିଛନ୍ତି ।