ପୁରୀ, ୩/୧୧ : ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ପ୍ରକଳ୍ପ ଓ ଶ୍ରୀସେତୁ ଅନୁଧ୍ୟାନ ପରେ ଗଜପତିଙ୍କ ପ୍ରତିକ୍ରିୟା। ଜାନୁଆରୀ ୧୭ ରେ ଏହି ପ୍ରକଳ୍ପର ଲୋକାର୍ପଣ କରାଯିବ। ୧୨ ତାରିଖ ଠାରୁ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ। ଭକ୍ତମାନେ ନୂଆ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ। ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ।
ଗଜପତି ଦିବ୍ୟସିଂହ ଦେବଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ନୀତି ସବକମିଟି ବୈଠକ ଅନୁଷ୍ଠିତ ହେବ। ପୁରୀ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ମୁଖ୍ୟତଃ କାର୍ତ୍ତିକ ମାସ ପଞ୍ଚୁକ ନୀତି ସହ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଦିନ ଚୂଡାନ୍ତ ହୋଇପାରେ। ତେବେ ଡିସେମ୍ବର ୧୫ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ୨୦୨୧ ଡିସେମ୍ବର ୨୧ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ସରିଥିଲା। ପ୍ରକଳ୍ପ ମଧ୍ୟରେ ମୁଖ୍ୟ ଆକର୍ଷଣ ରହିଛି ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ, କ୍ଲୋକ୍ ରୁମ୍, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍ , ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଜରୁରୀ ଯାତାୟାତ ମାର୍ଗ ଓ ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡ ସ୍କେପ, ଫୁଟପାଥ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀମନ୍ଦିର କରିଡ଼ର ପ୍ରତିଷ୍ଠା କାମ ସାରିବାକୁ ପ୍ରଶାସନ ଚ୍ୟାଲେଞ୍ଜ ଭାବେ ନେଇଛି। ଅନୁଧ୍ୟାନରେ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପ ଜିଲ୍ଲାପାଳ, ଓବିସିସିର ଅଧିକାରୀ, ଟାଟା ଅଧିକାରୀ ସହ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଉପସ୍ଥିତ ରହିଥିଲେ।