ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାପ ମୁକ୍ତ କରିବାରେ ବିଫଳ ହେଉଛି କି ଟେଲି ମାନସ? ପରୀକ୍ଷା ଚାପରେ ଜୀବନ ହାରୁଛନ୍ତି ପରୀକ୍ଷାର୍ଥୀ

ଭୁବନେଶ୍ୱର,୨୫/୦୨: ମାଟ୍ରିକ୍‌ ଓ ଯୁକ୍ତ ୨ପରୀକ୍ଷା ପାଇଁ ସବୁବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଳ ମାଳ ପଦକ୍ଷେପ ନିଆଯାଉଛି । ପରୀକ୍ଷା ସୁପରିଚାଳନା ହେଉ କି ପରୀକ୍ଷା ପ୍ରସ୍ତୁତି ପାଇଁ ଟିପ୍ସ ସବୁ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । ହେଲେ ସବୁ ଫେଲ୍‌ ମାରୁଛି । ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଟେଲିମାନସ ସେବା ଫେଲ୍‌ ମାରିଛି ।  ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବାକୁ  ପାଇଁ ଟେଲିମାନସ ସେବାର ଶୁଭାରମ୍ଭ  ହୋଇଥିଲା । ପିଲାମାନେ ଏହି ନମ୍ବରରେ  ଯୋଗାଯୋଗ କରି କିପରି ଚାପମୁକ୍ତ  ହେବେ ତାର ଟିପ୍ସ ନେବାର ବ୍ୟବସ୍ଥା  ରହିଥିଲା । ଏଥିରେ କାଉନ୍‌ସେଲିଂର  ବ୍ୟବସ୍ଥା ମଧ୍ୟ ଥିଲା । ଏତେ ସବୁ ପ୍ରୟାସ  ପରେ ମଧ୍ୟ ପରୀକ୍ଷା ଆରମ୍ଭର ସପ୍ତାହ  ମଧ୍ୟରେ ୩ ଛାତ୍ର ଜୀବନ ହାରିଛନ୍ତି । କିଏ ପରୀକ୍ଷା ଖରାପ ହେବାରୁ ଆଉ କିଏ ପରୀକ୍ଷା ଦେବା ପୂର୍ବରୁ ଭୟରେ ଆତ୍ମହତ୍ୟା କରିଥିବା  ଅଭିଯୋଗ ସାମ୍ନାକୁ ଆସିଛି । ଅଭିଭାବକଙ୍କ ଅଭିଯୋଗ, ଗଣଶିକ୍ଷା  ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ କେବଳ ନାଁକୁ ମାତ୍ର । 

ସାଧାରଣତଃ ପରୀକ୍ଷା ପ୍ରସ୍ତୁତି ପାଇଁ  ଶିକ୍ଷାର୍ଥୀମାନେ ବିଶେଷ ଭାବେ ଚାପରେ ରହିଥାନ୍ତି । ଏହାକୁ ଦୂର କରିବାକୁ  ଟେଲିମାନସ୍‌ କାଉନ୍‌ସେଲିଂ ବ୍ୟବସ୍ଥା କରାଗଲା । ଏଥିପାଇଁ ପାଇଁ ଏକ ଟୋଲ୍‌  ଫ୍ରି ନମ୍ବର ଜାରି ହେଲା । ପରୀକ୍ଷାର୍ଥୀମାନେ ୧୪୪୧୬ ନମ୍ବରରେ ଫୋନ୍‌ କରି ସମସ୍ୟା ଜଣାଇବାକୁ ପରାମର୍ଶ ଦିଆଗଲା । ଟେଲି  ମାନସ କାଉନସେଲିଂ ବାବଦରେ କିପରି ସ୍କୁଲ୍‌ ସ୍ତରରେ ପିଲାଙ୍କ ପାଖରେ ପହଞ୍ଚିବ  ସେନେଇ ବିଭାଗ ପକ୍ଷରୁ ସମସ୍ତ ସମସ୍ତ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସୂଚନା ପ୍ରସାରିତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏ ବ୍ୟବସ୍ଥା ସଂପର୍କରେ ଖବର ପିଲାଙ୍କ ପାଖରେ ପହଞ୍ଚିଛି କି ନାହିଁ ତାହା  ପ୍ରଶ୍ନ ଉଠୁଛି । ଗଣଶିକ୍ଷା ବିଭାଗ କେବଳ  ଯୋଜନା କରୁଛି, ଏହାକୁ କାର୍ଯ୍ୟକାରୀ କରୁନାହିଁ ବୋଲି ଅଭିଯୋଗ ହେଉଛି । 

ସୂଚନାଯୋଗ୍ୟ, ଗତକାଲି  ବ୍ରହ୍ମପୁରର ଏକ ଯୁକ୍ତ ୨  ପରୀକ୍ଷାର୍ଥୀ ପରୀକ୍ଷାରେ କପି କରି ଧରାପଡ଼ିବାରୁ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଥିଲା । ଭଦ୍ରକ ଜିଲ୍ଲା ଧାମନଗରର ଜଣେ ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଚାପଗ୍ରସ୍ତ ହୋଇ  ଆତ୍ମହତ୍ୟା କରିଛନ୍ତି । ସେହିପରି  ମୟୂରଭଞ୍ଜ ଜିଲ୍ଲାରେ ଜଣେ ମାଟ୍ରିକ୍‌ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ଗୋଟିଏ ସପ୍ତାହ ମଧ୍ୟରେ ୩ଜଣ ପରୀକ୍ଷାର୍ଥୀ  ଆତ୍ମହତ୍ୟା କଲେଣି । ବିଭାଗ ପକ୍ଷରୁ  ହୋଇଥିବା ଟେଲି ମାନସ ସେବା କେତେ  ଦୂର ପିଲାଙ୍କୁ ଚାପମୁକ୍ତ ପାଇଁ ସହଯୋଗୀ  ହେଉଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.