ବ୍ରହ୍ମପୁର,୧୨/୦୨: ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତ ଆସୁଛନ୍ତି । ଗୋପାଳପୁର ନିର୍ବାଚନମଣ୍ଡଳି ଶୀତଳାପଲ୍ଲୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଠାରେ ୩୦ହଜାର କର୍ମୀ ସମାବେଶ କରି ଶକ୍ତି ପ୍ରଦର୍ଶନ କରିବ ଦଳ । ଦଳୀୟ କର୍ମୀମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ।
ସେ କହିଛନ୍ତି, ଜିଲ୍ଲାରେ ଚାରୋଟି ବୃହତ୍ ପ୍ରକଳ୍ପ ଉଦ୍ଘାଟନ କରି ଜନସାଧାରଣଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କୁ ଏହି ଜିଲ୍ଲାକୁ ସ୍ୱାଗତ କରିବାକୁ ହଜାର ହଜାର ସଂଖ୍ୟାରେ କର୍ମୀ ଉପସ୍ଥିତ ରହିବାକୁ କହିଥିଲେ । ବ୍ରହ୍ମପୁର ମହାନଗର ନିଗମର ପ୍ରତ୍ୟେକ ୱାର୍ଡରୁ ଶହ ଶହ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଯିବେ । ପୂର୍ବାହ୍ନରେ ପାରଳା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପହିଞ୍ଚିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗୋପାଳପୁରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ କର୍ମୀ ସମାବେଶ ବିରୋଧୀଙ୍କୁ ଝଟକା ଦେବ ବୋଲି ଆଲୋଚନା ହେଉଛି ।
ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କର୍ମୀଙ୍କ ଭିତରେ ଉତ୍ସାହ ବଢ଼ାଇବ ବୋଲି ଆଶା କରାଯାଉଛି । ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବିଜେଡି ନେତା ଭଗବାନ ଗନ୍ତାୟତ, ରାଜ୍ୟ ଲିଗାଲ୍ ସେଲ୍ ଉପସଭାପତି ଅନୀଲ ସାହୁ, ଗଞ୍ଜାମ ଜୋନ୍ ଯୁବ ସଭାପତି ଜ୍ୟୋତିରଞ୍ଜନ ସାହୁ, ମହାନଗର ଯୁବ ବିଜେଡି ସଭାପତି ଅଜିତ ପଣ୍ଡା, ଛାତ୍ର ସଭାପତି ଶୋଭନ ରାଉତ, ଯୁବ, ଛାତ୍ର ଓ ମହିଳା ସଂଗଠନ ସଭାପତି ଓ ସମସ୍ତ କର୍ପୋରେଟର ବୈଠକରେ ଉପସ୍ଥିତ ଥିଲେ ।