ଖଲ୍ଲିକୋଟ, ୧୯/୧୧ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ଓଭର ବ୍ରିଜ ନିକଟରେ ବୃଦ୍ଧାଙ୍କ ଉପରେ ମାଡ଼ିଗଲା ମାଇନ୍ସ ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧାଙ୍କ ମୃତ୍ୟୁ । ପରେ ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଛନ୍ତି । ସୂଚନା ଅନୁଯାୟୀ, ରବିବାର ସକାଳ ସାଢେ଼ ୮ଟା ସମୟରେ ଲକ୍ଷ୍ମୀପୁର ସାହିର ତାରା ଟହଲ(୬୦) ଲଙ୍ଗଳେଶ୍ବର ବଜାରକୁ ଆସୁଥିବାବେଳେ ଗୋପାଳପୁରରୁ ଯୋଡ଼ା ଅଭିମୁଖେ ଫେରୁଥିବା ଏକ ମାଇନ୍ସ ଟ୍ରକ୍ ନମ୍ବର ଓଡି ୦୯ସି ୭୮୮୯ ଲଙ୍ଗଳେଶ୍ବର ଓଭର ବ୍ରିଜ ନିକଟରେ ତାରାଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅତି ମର୍ମନ୍ତୁଦ ଭାବେ ତାରାଙ୍କ ମୃତ୍ୟୁ ଘଟିଥିଲା।
ଏହା ଦେଖି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କିଛି ସମୟ ପାଇଁ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବରପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଦୁର୍ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏହାପରେ ପୋଲିସ ବୃଦ୍ଧାଙ୍କ ମୃତଦେହକୁ ଜବତ କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଭେଜିପୁଟ ଫାଣ୍ଡିରେ ଅଟକ ରଖିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଡ୍ରାଇଭର ସହିଦ ଇମ୍ରାନଙ୍କ କହିବା ଅନୁଯାୟୀ, ଯୋଡ଼ାରୁ ଟ୍ରକରେ ମାଇନ୍ସ ବୋଝେଇ କରି ଗୋପାଳପୁର ବନ୍ଦରରେ ରାତି ୧୨ଟାରେ ପହଞ୍ଚିଥିଲା। ସେଠାରେ ମାଇନ୍ସ ଖଲାସ କରି ଭୋର ୫ଟାରେ ପୁଣି ଯୋଡ଼ା ଅଭିମୁଖେ ବାହାରିଥିଲେ । କିନ୍ତୁ ବିଶ୍ରାମ ନେଇ ନ ଥିବାରୁ ଆଖି ଲାଗି ଯାଇଥିଲା ଏବଂ ସେହି ସମୟରେ ବୃଦ୍ଧାଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା ବୋଲି ଡ୍ରାଇଭର କହିଛନ୍ତି ।