ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରେମ ସମ୍ପର୍କରୁ ଦୁଇ ଯୁବକଙ୍କୁ ଆକ୍ରମଣ ; ଜଣେ ବୁର୍ଲା, ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡ଼ା,୧୨/୧ : ନୂଆପଡ଼ା ଜିଲ୍ଲା କୋମନା ଥାନା ସିଆଲଲଟି ଗାଁ ନିକଟରେ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଜଣେ ବୁର୍ଲା ସ୍ଥାନାନ୍ତର ଓ ଅନ୍ୟ ଜଣେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଉଭୟ ଯୁବକ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଦେଉଳି ଗାଁର ଚନ୍ଦନ ସାହୁ(୧୮) ଓ ମନୋଜ ସାହୁ(୩୬) ବୋଲି ଜଣା ପଡ଼ିଛି । ଏବେ ପୁଲିସ ମାରଣାସ୍ତ୍ରକୁ ଜବତ କରି ଛାନଭିନ ଜାରି ରଖିଛି । 

ପୁଲିସ ସୂଚନା ମୁତାବକ, ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଦେଉଳି ଗାଁର ଚନ୍ଦନଙ୍କ ସହ ସିଆଲଲଟି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତକାଲି ଦେଉଳି ଗାଁର ଚନ୍ଦନ ଓ ସମ୍ପର୍କୀୟ ବଡ଼ ଭାଇ ମନୋଜ ଯୁବତୀଙ୍କୁ ଭେଟିବାକୁ ଆସିଥିଲେ । ଏହି ଖବରପାଇ ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ପରିବାର ଲୋକେ ଦୁଇ ଯୁବକଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଚନ୍ଦନଙ୍କୁ ମୁଣ୍ଡରେ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଅନ୍ୟପକ୍ଷରେ ମନୋଜଙ୍କୁ ଆକ୍ରମଣ କରିବାରୁ ଫେରାର ହୋଇଥିଲେ ।

ବିଳମ୍ବିତ ରାତିରେ ଆମ୍ବୁଲାନ୍ସ କର୍ମଚାରୀ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚନ୍ଦନଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ଚନ୍ଦନଙ୍କୁ ରାୟପୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏବେ ମନୋଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆଜି ପୂର୍ବାହ୍ନରେ ତରବୋଡ଼ ଫାଣ୍ଡି ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମଧ୍ୟାହ୍ନରେ ନୂଆପଡ଼ା ଏସଡିପିଓ ସଞ୍ଜୟ ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କୋମନା ପୁଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.