ମୁମ୍ୱାଇ- ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କର ପ୍ରଶଂସକ କେବେ ଭୁଲି ପାରିବେ ନାହିଁ। ଅଭିନେତାଙ୍କୁ ଦୁନିଆରୁ ଯିବାର ଅନେକ ବର୍ଷ ବିତି ସାରିଛି, କିନ୍ତୁ ପ୍ରଶଂସକ ଏବେ ବି ତାଙ୍କ ପାଇଁ ନ୍ୟାୟ ଦାବି କରି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଚଲାଇଛନ୍ତି। ଏମିତି ବି କୁହାଯାଇଛି କି ଇଣ୍ଡଷ୍ଟ୍ରୀରେ ଆଉଟ୍ସାଇଡର ହେବା କାରଣରୁ ତାଙ୍କୁ ଖୁବ୍ ଷ୍ଟ୍ରଗଲ କରିବାକୁ ପଡ଼ିଥିଲା। ନିକଟରେ ଅଭିନେତା ବିବେକ ଓବେରୟ ନିଜର ଷ୍ଟ୍ରଗଲ ବିଷୟରେ କହି ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇଛନ୍ତି। ସେ ସେହି ଦିନର କଥା କହିଛନ୍ତି ,ଯେବେ ସେ ତାଙ୍କର ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ।
ବିବେକ ଓବେରୟ ହ୍ୟୁମାନ୍ସ ଅଫ୍ ବମ୍ୱେ ସହ କଥାହେବା ବେଳେ କହିଥିଲେ, ମୁଁ ସୁଶାନ୍ତଙ୍କ ସହ ମିଶିଛି। ତାଙ୍କ ସହ କଥାବାର୍ତ୍ତା ହୋଇଛି। ବହୁତ ଭଲ ଯୁବକ ଜଣେ ଥିଲେ ଏବଂ ତାଙ୍କର ଟ୍ୟାଲେଣ୍ଟ ଖୁବ୍ ଭଲ ଥିଲା। ଆମେ ତାଙ୍କୁ ଯେଉଁଭଳି ହରାଇ ଦେଲୁ , ତାହା ଖୁବ୍ ଦୁଃଖଦ ଥିଲା। ଯଦି ମୁଁ ସଚ୍ଚୋଟପୂର୍ଣ୍ଣ ଭାବେ କହିବି କି ଜୀବନରେ ଏକ ଏମିତି ଫେଜ୍ ଥିଲା, ଯାହା ଖୁବ୍ ଡାର୍କ ଫେଜ୍ ଥିଲା। ସେତେବେଳେ ପ୍ରୋଫେସନାଲ ଓ ପର୍ସନାଲ ଜୀବନରେ ସବୁକିଛି ଗୋଟିଏ ସମୟରେ ଭୁଲ ହେଉଥିଲା। ସୁଶାନ୍ତ ଯାହା କରିଛନ୍ତି ମୁଁ ମଧ୍ୟ ସେମିତି କରିବାକୁ ଭାବୁ ଥିଲି।
ବିବେକ ଆହୁରି କହିଛନ୍ତି , ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ୨୦ ଜଣ ଲୋକ ଥିଲେ। ମୁଁ ସେଥିରୁ ଜଣେ ଥିଲି। ସେଠାରେ ମୁଁ ତାଙ୍କ ପିତାଙ୍କ ଯନ୍ତ୍ରଣା ପୂର୍ଣ୍ଣ ଆଖିକୁ ଦେଖିଥିଲି । ଅନୁଭବ କରୁଥିଲି ସେତେବେଳେ ଜଣେ ବାପାର ହୃଦୟ ତଳର କୋହକୁ । ତାଙ୍କୁ ଦେଖି ମୋ ମନରେ କେବଳ ଗୋଟିଏ ହିଁ ବିଚାର ଆସିଥିଲା , ବନ୍ଧୁ ଯଦି ତମେ ଏହା ଦେଖିଥାନ୍ତ , ଯଦି ତୁମେ ଦେଖାଥାନ୍ତ ତ ତମର ଏହି ପଦକ୍ଷେପରେ ସେହି ଲୋକଙ୍କ ଉପରେ କଣ ପ୍ରଭାବ ପଡ଼ିବ ,ଯାହାଙ୍କୁ ତମେ ଭଲ ପାଉଥିଲ ; ଏମିତି କାମ କେବେ ବି କରି ନଥାନ୍ତ। ଭାବ ଯେଉଁ ଲୋକେ ତୁମକୁ ପ୍ରକୃତରେ ଭଲ ପାଆନ୍ତି ତାଙ୍କୁକେତେ କଷ୍ଟ ହେଉଛି।