ଦେବଗଡ଼, ୫/୯ : ଭାଲୁ ଆକ୍ରମଣରେ ମହିଳା ଗୁରୁତର। ମଙ୍ଗଳବାର ଭୋର୍ ସକାଳୁ ଜଣେ ମହିଳା ଚାଷୀ ନିଜ ଜମିକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅନଗୁଳ ସ୍ଥାନାନ୍ତର କରାଯାଇଛି। ମହିଳା ଚାଷୀ ଜଣକ ରିଆମାଳ ବ୍ଲକ୍ ଓ କୁଣ୍ଢେଇଗୋଳା ଥାନା ଅଧିନ ଝରାଡିହି ଗ୍ରାମର ଅହଲ୍ୟା ସେଠୀ (୪୩ ବର୍ଷ) ବୋଲି ଜଣାପଡିଛି।
ସୂଚାନା ଅନୁସାରେ, ତୁଙ୍ଗାମାଳ ପଞ୍ଚାୟତ ଝରାଡିହି ନିବାସୀ ଶ୍ରବଣ ସେଠୀଙ୍କ ସ୍ତ୍ରୀ ଅହଲ୍ୟା ଆଜି ଭୋର୍ ୫ଟା ବେଳେ ଏକ ଜଙ୍ଗଲିଆ ପାଦଚଲା ରାସ୍ତାରେ ନିଜ ଚାଷ ଜମିକୁ ଯାଉଥିଲେ। ସେ ଏକ ଶାଳ ବୁଦା ମୂଳେ ରହିଥିବା ଭାଲୁ ହାବୁଡରେ ପଡ଼ିଥିଲେ। ଭାଲୁଟି ଅହଲ୍ୟାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ମୁଣ୍ଡକୁ କାମୁଡି ବେଶ୍ କିଛି ବାଟ ଘୋଷାଡି ନେଇଥିଲା। ଅହଲ୍ୟାଙ୍କ ଚିତ୍କାର ଶୁଣି ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା କିଛି ଗାଁ ଲୋକ ଧାଇଁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅହଲ୍ୟାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଲୋକେ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ସ୍ଥାନାନ୍ତର କରିଥିଲେ।