ନୀଳଗିରି, ୨୩।୮: ନିର୍ଦ୍ଦୋଷ ପ୍ରମାଣିତ ହେଲେ ପ୍ରତାପ ଷଡ଼ଙ୍ଗୀ । ଠାକୁରାଣୀ ପୋଡ଼ି ମାମଲାରେ ଛନ୍ଦି ହୋଇଥିବା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶନିବାର ଏହି ମାମଲାରୁ ମୁକୁଳିଛନ୍ତି । ମାନ୍ୟବର କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଦୀର୍ଘ ୨୦ ବର୍ଷ ମିଥ୍ୟା ମାମଲାରେ ଛନ୍ଦି ହୋଇ ବିରୋଧୀଙ୍କ ଆକ୍ରୋଶର ଶିକାର ପାଲଟିଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହା ଧର୍ମର ବିଜୟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ନୀଳଗିରି ଥାନା ଗୋପୀନାଥପୁର ଶାସନରେ ୨୦୦୪ ମସିହା ମାର୍ଚ୍ଚ ମାସ ୧୬ ତାରିଖରେ ରାଜକିଶୋର ଆଚାର୍ଯ୍ୟଙ୍କ ମାଆଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ପାଖ ବ୍ରାହ୍ମଣ ଶାସନର ଶ୍ମଶାନରେ ହୋଇଥିଲା । ହେଲେ ପାଖ ସାଇଡିଂ ସାହି ଅଞ୍ଚଳର କିଛି ଯୁବକ ଆସି ତାଙ୍କ ଠାକୁରାଣୀ ପୋଡ଼ିଛ ବୋଲି ନାରାବାଜି କରି ଏକ ମାମଲା ରୁଜୁ କରିଥିଲେ । ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସେହି ଗ୍ରାମର ମନୋରଞ୍ଜନ ପତି, ଗୋପୀନାଥ ଦାସ, ପ୍ରଶାନ୍ତ କୁମାର ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପ୍ରଥମ କରି ସେହି ବର୍ଷ ବିଧାୟକ ଭାବେ ପ୍ରତାପ ଷଡ଼ଙ୍ଗୀ ବିଜେପି ଦଳରୁ ଛିଡ଼ା ହୋଇଥିଲେ । ଠାକୁରାଣୀ ପୋଡ଼ି ନେଇ ବିରୋଧୀ ତୁମ୍ବିତୋଫାନ ଉଠାଇଥିଲେ ଯାହା ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଥିଲା ।
ପରେ ସେ ବିଧାୟକ ଭାବେ ବିଜୟୀ ହେବା ସହ ଦୁଇ ଦୁଇଥର ବିଧାୟକ ଓ ସାଂସଦ ହୋଇଥିଲେ । ଏହି ଠକୁରାଣୀ ପୋଡ଼ି ମାମଲା ଯାଇ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ଯାଇ ପହଞ୍ଚିବା ପରେ ପୁଣି ବାଲେଶ୍ୱର ଜେଏମ୍ ଏଫସି ରୁରାଲ କୋର୍ଟକୁ ଫେରିଥିଲା । ଶନିବାର ସବୁ ସାକ୍ଷୀ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ମାନ୍ୟବର କୋର୍ଟ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି । ଏପରିକି ଏହି ମାମଲା ମିଥ୍ୟା ବୋଲି ଜଣାପଡ଼ିଛି । ଦୀର୍ଘ ୨୦ ବର୍ଷ ଠାକୁରାଣୀ ପୋଡ଼ି ଭଳି ସଙ୍ଗିନ ମାମଲାରେ ଛନ୍ଦିହୋଇ ରାଜନୀତି ଜୀବନ ଅତିକ୍ରମ କରିଚାଲିଥିବା ପ୍ରତାପ ଷଡ଼ଙ୍ଗୀ ଏହା ଧର୍ମର ଜୟ ବୋଲି କହି ବିରୋଧୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ ବୋଲି କହିଛନ୍ତି ।