ଭୁବନେଶ୍ୱର, ୨୮/୦୮ : ଭୁବନେଶ୍ୱର ଏମ୍ସରେ ମହିଳାଙ୍କୁ ପ୍ରେମ ପ୍ରତାରଣା । ଏମ୍ସର ଜଣେ ସୁରକ୍ଷାକର୍ମୀ (ସିକ୍ୟୁରିଟି ଗାର୍ଡ) ସାହାଯ୍ୟ କରିବା ଆଳରେ ଜଣେ ରୋଗୀଙ୍କ ପତ୍ନୀଙ୍କୁ ପ୍ରେମ ପ୍ରତାରଣା କରିଛନ୍ତି । ସାରା ଜୀବନ ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସଂପର୍କ ରଖିବା ପରେ ଏବେ ଆଉ ଧରାଛୁଆଁ ଦେଉ ନାହାନ୍ତି । ପ୍ରତାରଣାର ଶିକାର ମହିଳା ଏନେଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ମୁତାବକ, ପୁରୀ ଅଞ୍ଚଳର ସ୍ୱପ୍ନା ନାମ୍ନୀ ଜଣେ ମହିଳାଙ୍କ ସ୍ୱାମୀଙ୍କ ରକ୍ତ କର୍କଟ ହୋଇଥିବାରୁ ସେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସ୍ୱାମୀଙ୍କ ଚିକିତ୍ସା ଚାଲିଥିବାବେଳେ ସ୍ୱପ୍ନା ଏମ୍ସ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ମନୋଜ କୁମାର ସାହୁଙ୍କ ସଂସ୍ପର୍ଶରେ ଆସିଥିଲେ । ମନୋଜ ସ୍ୱପ୍ନାଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରୁଥିଲେ । ମେଡିସିନଠାରୁ ଆରମ୍ଭ କରି ରକ୍ତ ସଂଗ୍ରହ ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ସହଯୋଗ କରୁଥିଲେ । ତେଣୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା । ପରେ ମନୋଜ ଏକ ଘର ଭଡ଼ା ନେଇ ସ୍ୱପ୍ନା ଓ ତାଙ୍କ ୨ ପିଲାଙ୍କୁ ରଖିବା ସହ ରୋଷେଇ କରି ଖାଇବା ପାଇଁ ହାଣ୍ଡି ଡେକ୍ଚି ଆଦି ଯୋଗାଇ ଦେଇଥିଲେ । ପରେ ମନୋଜ ଉକ୍ତ ଭଡ଼ା ଘରକୁ ଯାଇ ସ୍ୱପ୍ନାଙ୍କୁ ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ।
ସ୍ୱପ୍ନାଙ୍କ କହିବା ଅନୁଯାୟୀ, ସେ ସ୍ୱାମୀଙ୍କୁ ନେଇ ଏମ୍ସରେ ୩ ବର୍ଷ ରହିଥିଲେ । ମଝିରେ ମଝିରେ ଘରକୁ ଫେରନ୍ତି ଓ ପୁଣି ସ୍ୱାମୀଙ୍କୁ ଆଣି ଏମ୍ସରେ ଭର୍ତ୍ତି କରନ୍ତି । ଶେଷରେ ତାଙ୍କ ସ୍ୱାମୀଙ୍କ ଗତବର୍ଷ ଏମ୍ସରେ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ମନୋଜ ସ୍ୱପ୍ନାଙ୍କୁ ଏକ ମନ୍ଦିରକୁ ନେଇ ଫୁଲମାଳ ପକାଇ ବାହା ହୋଇଥିଲେ । ତାଙ୍କର ଓ ପିଲାମାନଙ୍କର ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ସେମାନଙ୍କ ସହ ବିତାଇବା ପରେ ଏବେ ଆଉ ମନୋଜ ଧରାଛୁଆଁ ଦେଉ ନାହାନ୍ତି କି ଫୋନ୍ ଉଠାଉ ନାହାନ୍ତି ବୋଲି ସ୍ୱପ୍ନା କହିଛନ୍ତି । ସେ ପ୍ରତାରଣାର ଶିକାର ହୋଇଥିବା ଜାଣି ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ନଥିବା ସ୍ୱପ୍ନା କହିଛନ୍ତି । ଶେଷରେ ନିରାଶ ହୋଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତକାଲି ଶୁଣାଣି ଥିବାରୁ ସେ ମହିଳା କମିଶନଙ୍କ ନିକଟରେ ପହଞ୍ଚିଥିବା ବେଳେ ମନୋଜ ଆସି ନଥିଲେ । ତେଣୁ ସେପ୍ଟେମ୍ବର ୧୩ରେ ପରବର୍ତ୍ତୀ ଶୁଣାଣି ଅଛି ବୋଲି ସ୍ୱପ୍ନା ଗଣମାଧ୍ୟମ ଆଗରେ କହିଛନ୍ତି । ଏନେଇ ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଥାନାରେ ଏଭଳି କୌଣସି ଅଭିଯୋଗ ହୋଇନାହିଁ । ସେପଟେ ଏମ୍ସ କର୍ତ୍ତୃପକ୍ଷ ମନୋଜ କୁମାର ସାହୁଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିବା ଜଣାପଡ଼ିଛି ।