କଟକ,୧୧/୦୬: ଫ୍ଲାଟ୍ ପଞ୍ଜୀକରଣ ବିବାଦ ତୁଟିବାର ନାଁ ଧରୁନାହିଁ । ପ୍ରଥମେ ଆପାର୍ଟମେଣ୍ଟ ସର୍ବସାଧାରଣ ଜମି ଆପାର୍ଟମେଣ୍ଟ୍ ଓନର୍ସ ଆସୋସିଏସନ୍ ନାମରେ କରିବା ନେଇ ବିବାଦ ହେଲା । ଅଦାଲତଙ୍କ ହସ୍ତକ୍ଷେପ ପରେ ଏହି ବିବାଦ ତୁଟିଲା । ଏବେ ଏହି ସର୍ବସାଧାରଣ ଜାଗା ବାବଦ ଷ୍ଟାମ୍ପ ଡ୍ୟୁଟି ପୈଠ ନେଇ ସାନି ବିବାଦ ମୁଣ୍ଡ ଟେକିଛି । ଯଦି ଆପାର୍ଟମେଣ୍ଟରେ ଫାଙ୍କା ପଡ଼ିଥିବା ସର୍ବସାଧାରଣ ଜମି ଆସୋସିଏସନ୍ ନାମରେ କରାଯାଏ ତାହେଲେ ଏଥିପାଇଁ ଯେଉଁ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିବ ତାହାକୁ କିଏ ଦେବ ସେ ନେଇ ଅଡୁଆ ତୁଟୁନାହିଁ । ଓନର୍ସ ଆସୋସିଏସନ୍ ଷ୍ଟାମ୍ପ ଡ୍ୟୁଟି ବାବଦ ବିପୁଳ ଅର୍ଥ ଦେବାକୁ ପ୍ରସ୍ତୁତ ନଥିବାବେଳେ ଆପାର୍ଟମେଣ୍ଟ ନିର୍ମାଣକାରୀ ସଂସ୍ଥା ମଧ୍ୟ ଏହି ଅର୍ଥ ଦେବାକୁ ଚାହୁଁନାହିଁ । ଫଳରେ ଫ୍ଲାଟ୍ ପଞ୍ଜୀକରଣ ନେଇ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
ପୂର୍ବରୁ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗାକୁ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ୍ ନାମରେ କରାଯାଉନଥିଲା । ଏହି ଜମିର ମାଲିକାନା ଆପାର୍ଟମେଣ୍ଟ ନିର୍ମାଣକାରୀ ବିଲ୍ଡର ସଂସ୍ଥା ନିଜ ମାଲିକାନାରେ ରଖୁଥିଲା । ଏନେଇ ମାମଲା ଆସି ହାଇକୋର୍ଟରେ ପହଞ୍ଚିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଯେ ପର୍ଯ୍ୟନ୍ତ କୌଣସି ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗାକୁ ଆସୋସିଏସନ୍ ନାମରେ କରାନଯାଇଛି ସେପର୍ଯ୍ୟନ୍ତ କୌଣସି ଫ୍ଲାଟ୍ର ପଞ୍ଜୀକରଣ ହେବନାହିଁ ବୋଲି ଆଦେଶ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ ଫ୍ଲାଟ୍ର ସେଲ୍ଡିଡ୍ ବା ପଞ୍ଜୀକରଣ ହୋଇପାରିଲା ନାହିଁ । ଏହାକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ମାମଲା ଦାଏର କଲେ । ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଫ୍ଲାଟ୍ ପଞ୍ଜୀକରଣ ପୂର୍ବରୁ ଏହାର ସର୍ବସାଧାରଣ ଜାଗାକୁ ଓନର୍ସ ଆସୋସିଏସନ୍ ନାଁରେ କରିବା ହାଇକୋର୍ଟ ଦେଇଥିବା ଆଦେଶ କାଏମ୍ ରହିଥିଲା ।
ସର୍ବୋଚ୍ଚ ଅଦାଲତଙ୍କ ଏହି ଆଦେଶ ପରେ ରାଜ୍ୟରେ ଫ୍ଲାଟ୍ ପଞ୍ଜୀକରଣ ପାଇଁ ବାଟ ଫିଟିଥିଲା । ଅଦାଲତଙ୍କ ଆଦେଶ ପରେ ରାଜ୍ୟରେ ପ୍ରାୟ ୬/୭ଟି ଫ୍ଲାଟ୍ ଇତିମଧ୍ୟରେ ପଞ୍ଜୀକରଣ ହୋଇଛି । ଆହୁରି ପ୍ରାୟ ଶହେଟି ଫ୍ଲାଟ୍ ପଞ୍ଜୀକରଣ ପାଇଁ ଆବେଦନ ବିଚାରାଧୀନ ରହିଛି। ଏତିକିବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ନିୟମ ଅନୁଯାୟୀ, କୌଣସି ଆପାର୍ଟମେଣ୍ଟର ଫ୍ଲାଟ୍ ପଞ୍ଜୀକରଣ ହେବା ସଙ୍ଗେସଙ୍ଗେ ଏହାର ଓନର୍ସ ଆସୋସିଏସନ୍ ଗଠନ ହେବ । ଉକ୍ତ ଆସୋସିଏସନ୍ ନାମରେ ଆପାର୍ଟମେଣ୍ଟର ସର୍ବସାଧାରଣ ଜାଗାକୁ ରେଜେଷ୍ଟ୍ରି କରାଯିବ । ରେଜିଷ୍ଟ୍ରିର ନିୟମ ଅନୁସାରେ ଏଥିପାଇଁ ସମ୍ପୃକ୍ତ ସଂସ୍ଥାକୁ ମୋଟ୍ ଜମି ଏବଂ ଉକ୍ତ ଜମି ଉପରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟର ମୋଟ୍ ମୂଲ୍ୟକୁ ମିଶାଇ ତାହାର ୭% ଷ୍ଟାମ୍ପ ଡ୍ୟୁଟି ଆକାରରେ ସରକାରଙ୍କୁ ଦେବାକୁ ପଡ଼ିବ । ଏତେ ବିପୁଳ ପରିମାଣର ଅର୍ଥ କୌଣସି ଆସୋସିଏସନ୍ ପକ୍ଷେ ଦେବା ସମ୍ଭବପର ନୁହେଁ । ଫଳରେ ଆସୋସିଏସନ୍ ଗଠନ ହୋଇଯାଇଥିଲେ ମଧ୍ୟ ଏହି ଷ୍ଟାମ୍ପ ଡ୍ୟୁଟି ପାଇଁ ଫ୍ଲାଟ୍ ପଞ୍ଜୀକରଣରେ ସମସ୍ୟା ଦେଖାଦେଇଛି ।
ଏ ସଂକ୍ରାନ୍ତରେ ଆଇନଜୀବୀ ମୋହିତ୍ ଅଗ୍ରୱାଲ କହିଛନ୍ତି ଯେ, ୭ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଅର୍ଥ ଆସୋସିଏସନ୍ ପକ୍ଷେ ଦେବା ସମ୍ଭବ ନୁହେଁ । ତେଣୁ ୭ ପ୍ରତିଶତ ବଦଳରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ପରିମାଣ ଧାର୍ଯ୍ୟ କଲେ ଫ୍ଲାଟ୍ ପଞ୍ଜୀକରଣ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । ନଚେତ୍ ଏହି ବିବାଦ ପୁଣି ଲାଗିରହିବ । ଫଳରେ ରାଜ୍ୟରେ ଫ୍ଲାଟ୍ ପଞ୍ଜୀକରଣ ବିନା କେବଳ ସାଧାରଣ ଲୋକଙ୍କୁ ନୁହେଁ ରାଜ୍ୟ ସରକାରଙ୍କୁ ମଧ୍ୟ ବିପୁଳ ପରିମାରଣ କ୍ଷତି ସହିବାକୁ ପଡ଼ିବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।