ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ଭାଷଣ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ରଖାଯାଇଥିବା ନାମ ଫଳକରେ ‘ଭାରତ’ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଯେତେବେଳେ ବି ଏପରି ସଭା ଆୟୋଜିତ ହେଉଥିଲା, ଦେଶର ନାମ ‘ଇଣ୍ଡିଆ’ ଭାବରେ ଲେଖାଯାଉଥିଲା । ଏବେ ଦେଶରେ ଭାରତ ବନାମ ଇଣ୍ଡିଆ ବିବାଦ ଚାଲିଛି। ଆଉ ଏଭଳି ସମୟରେ ଜି -20 ଶିଖର ସମ୍ମିଳନୀରେ ପିଏମ ମୋଦୀଙ୍କ ସମ୍ମୁଖରେ ରଖାଯାଇଥିବା ନାମ ଫଳକରେ ଭାରତ ଲେଖାଯିବା ଏକ ବଡ ବାର୍ତ୍ତା ବୋଲି ବିଶ୍ୱାସ କରାଯାଉଛି । ସୂଚନାଥାଉକି, ଯେ ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜି -20 ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ଭାରତର ରାଷ୍ଟ୍ରପତି ଲେଖାଯାଇଥିଲା । ଏହା ପରେ ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ଇଣ୍ଡିଆର ନାମ ଭାରତକୁ ବଦଳାଇବାକୁ ଚାହୁଁଛନ୍ତି ।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଭାରତର ନାମ ଫଳକ ଦେଖାଯାଉଛି । ସ୍ମୃତି ଇରାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହାର କ୍ୟାପସନରେ ଲେଖିଛନ୍ତି ଯେ ଆଶା ଏବଂ ବିଶ୍ୱାସର ନୂଆ ନାମ ଭାରତ ।
ଏହାପୂର୍ବରୁ ଇଣ୍ଡିଆ ବନାମ ଭାରତ ଉପରେ ଚାଲିଥିବା ବିବାଦ ମଧ୍ୟରେ ଆଉ ଏକ ନିମନ୍ତ୍ରଣ କାର୍ଡ ସାମ୍ନାକୁ ଆସିଥିଲା । ଏଥିରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଥିଲା । ASEAN ସମ୍ମିଳନୀରେ ଭାଗ ନେବାକୁ ପିଏମ ମୋଦୀଙ୍କ ଗସ୍ତର ବିବରଣୀ ଥିବା ଡକ୍ୟୁମେଣ୍ଟରେ ମଧ୍ୟ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।