ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସୁନାମୀରେ ଫେଲ୍ ମାରିଲା ନବୀନ ମ୍ୟାଜିକ୍, ଲୋକସଭାରେ ୨୦ ଏମପି ସିଟ୍ ପୋଛିନେଲା ବିଜେପି

ଭୁବନେଶ୍ୱର, ୦୫/୦୬ : ଲୋକସଭା ଭୋଟରେ ମୋଦି ମ୍ୟାଜିକ କମାଲ୍‌ ଦେଖାଇଛି ଓଡ଼ିଶାରେ । ଉପକୂଳ, ଦକ୍ଷିଣ, ଉତ୍ତର, ପଶ୍ଚିମ, ସବୁଠି ଫୁଟିଲା ପଦ୍ମ । ବିଜେଡିର କିଛି ରଣନୀତି କାମ କଲାନି ବିଜେପି ବଳ ଆଗରେ । ମୋଦି ଲହଡ଼ି ଏମିତି ମାଡ଼ ହେଲା, ବିଜେଡିର ସବୁ ଗଡ଼ ଭାଙ୍ଗି ଧୂଳିସାତ । ୨୧ରୁ ୨୦ ଲୋକସଭା ଆସନ ପୋଛି ନେଲା ବିଜେପି । କଂଗ୍ରେସ ଖାତାକୁ ଯାଇଛି କୋରାପୁଟ ଆସନ । ଲୋକସଭା ନିର୍ବାଚନରେ ବିଜେପି ଅବିଶ୍ୱସନୀୟ ଫଳାଫଳ ଆଣିଛି ଓଡ଼ିଶାରେ । ଏ ଫଳାଫଳ ସଭିଙ୍କୁ ଚମକାଇ ଦେଇଛି । ଏଭଳି ଫଳ ନେଇ କେହି ଆକଳନ କରିନଥିଲେ । 

୨୦୧୯ରେ ଜିତିଥିବା ୮ ଲୋକସଭା ଆସନ ସହ ଆଉ ୧୧ଟି ସଂସଦୀୟ କ୍ଷେତ୍ରରେ ବିଜେପି ଉଡ଼ାଇଛି ପତାକା । ସବୁଠାରୁ ହାଇପ୍ରୋଫାଇଲ ଓ ତତଲା ଲଢ଼େଇ ଥିଲା ସମ୍ବଲପୁର ଲୋକସଭା ଆସନରେ । ବିଜେପିର ପାୱାରଫୁଲ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆସନରେ ବିଜେଡିର ସଂଗଠନ ସେନାପତି ପ୍ରଣବ ପ୍ରକାଶ ଦାସଙ୍କୁ ମାତ୍‌ ଦେଇଛନ୍ତି । ଧର୍ମେନ୍ଦ୍ର ଜିତିଛନ୍ତି ପ୍ରାୟ ୧ ଲକ୍ଷ ୧୯ ହଜାର ଭୋଟ ବ୍ୟବଧାନରେ । ସେହିପରି ସମ୍ମାନର ପ୍ରଶ୍ନ ପାଲଟିଥିବା ଭୁବନେଶ୍ୱର ଲୋକସଭା ଆସନକୁ ବିଜେପି ପୁଣି ଜିତିଛି । ବିଜେପିର ଫାୟାର ବ୍ରାଣ୍ଡ୍‌ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରାୟ ୩୫ ହଜାର ଭୋଟରେ ଏଥର ବିଜୟୀ ହୋଇଛନ୍ତି । ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବା ଚାଲ୍‌ ବିଜେଡିକୁ ସଫଳତା ଦେଇପାରିଲାନି ଭୁବନେଶ୍ୱରରେ । ବାକି ୧୯ ଆସନକୁ ବିଜେପି ଏକତରଫା ଭାବେ ଜିତି ନେଇଛି । ଯେଉଁ ଆସନର ବିଜେଡିର ଗଡ଼ ରହିଥିଲା, ସେସବୁ ବିଜେପି ଦଖଲ କରିଛି । ୨୦୦୯ରୁ ବିଜେଡି ଦଖଲରେ ଥିବା ବ୍ରହ୍ମପୁର ଗଡ଼ରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଜିତିଛନ୍ତି । ହରାଇଛନ୍ତି ବିଜେଡିର ଭୃଗୁ ବକ୍ସିପାତ୍ରଙ୍କୁ । ବିଜୟ ବ୍ୟବଧାନ ପ୍ରାୟ ଦେଢ଼ ଲକ୍ଷ ଉପରେ । 

ବିଜେଡିର ଅଭେଦ ଦୁର୍ଗ ଆସିକାରେ ଧସେଇ ପଶିଛି ବିଜେପି । ୯୦ ହଜାରରୁ ଅଧିକ ଭୋଟରେ ଆସିକା ଲୋକସଭାକୁ ଜିତିଛନ୍ତି ବିଜେପିର ଅନୀତା ଶୁଭଦର୍ଶିନୀ । କେବେ ହାରିନଥିବା କେନ୍ଦ୍ରାପଡ଼ା ଗଡ଼ରେ ଏଥର ହାରିଲା ବିଜେଡି । ୬୦ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇଛନ୍ତି ବିଜେପିର ହେଭିୱେଟ ବୈଜୟନ୍ତ ପଣ୍ଡା । ଗତ ଥର ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବୈଜୟନ୍ତ ବିଜେଡିଠାରୁ ହାରିଥିଲେ । ଏଥର ବଦ୍‌ଲା ନେଇଛନ୍ତି ବୈଜୟନ୍ତ । କଟକ ସଂସଦୀୟ କ୍ଷେତ୍ରରେ ଏଥର ଲଢ଼େଇ ଥିଲା ସବୁଠାରୁ ରୋଚକ । ୬ ଥରିଆ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ସାମ୍ନାରେ ଥିଲେ ନବାଗତ କର୍ପୋରେଟ ଗୁରୁ ସଂତୃପ୍ତ ମିଶ୍ର । ବିଜେଡି ଗଡ଼ରେ ପ୍ରଥମ ଥର ପାଇଁ ଭର୍ତ୍ତୃହରି ଫୁଟାଇଲେ ପଦ୍ମ । 

ପୁରୀରେ ଯାହା ଅନୁମାନ କରାଯାଉଥିଲା, ଠିକ୍‌ ସେଇଆ ହେଲା । ଗତ ଥର ବିଜେଡି ପୁରୀରେ ଅଳ୍ପକେ ବର୍ତ୍ତିଯାଇଥିଲା । ଏଥର ପୁରୀରେ ବିଜେପିର ବିଜୟ ବାନା ଉଡ଼ାଇଛନ୍ତି ରାଷ୍ଟ୍ରୀୟ ଚେହେରା ସମ୍ବିତ ପାତ୍ର । ଲକ୍ଷାଧିକ ଭୋଟରେ ସମ୍ବିତ ଜିତିଛନ୍ତି ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇପିଏସ ଅରୁପ ପଟ୍ଟନାୟକଙ୍କଠାରୁ । ପୁରୀରେ ଲଗାତାର ୭ ଥର ବିଜୟ ପରେ ପରାଜୟ ସାମ୍ନା କରିଛି ବିଜେଡି । ଜଗତସିଂହପୁରରେ ବିଜେପି ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଜିତିଛନ୍ତି । ହରାଇଛନ୍ତି ବିଜେଡିର ରାଜଶ୍ରୀ ମଲ୍ଲିକଙ୍କୁ । କେହି ଭାବିନଥିଲେ କନ୍ଧମାଳ ଲୋକସଭା ଖସିଯିବ ବିଜେଡି ଖାତାରୁ । ଏଠି ବି ଜିତିଲା ବିଜେପି । ବିଜେପିର ସୁକାନ୍ତ ପାଣିଗ୍ରାହୀ ପ୍ରାୟ ୨୦ ହଜାରରୁ ଅଧିକ ଭୋଟରେ ବିଜେଡିର ହେଭିୱେଟ ଅଚ୍ୟୁତ ସାମନ୍ତଙ୍କୁ ହରାଇଛନ୍ତି । ସୁନ୍ଦରଗଡ଼ ଆସନରୁ ପୁଣି ଥରେ ଜୁଏଲ ଓରାମ ଜିତି ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ କରିଛନ୍ତି । ୧ ଲକ୍ଷ ୩୮ ହଜାର ଭୋଟ ବ୍ୟବଧାନରେ ଜୁଏଲଙ୍କଠାରୁ ହାରିଛନ୍ତି ବିଜେଡି ପ୍ରାର୍ଥୀ ତଥା ହକି ତାରକା ଦିଲ୍ଲୀପ ତୀର୍କି । ସଭିଙ୍କ ନଜରରେ ରହିଥିଲା ବାଲେଶ୍ୱର ଲଢ଼େଇ । ବାଲେଶ୍ୱର ଆସନକୁ ପୁଣି ଜିତିଛନ୍ତି ପ୍ରତାପ ଷଡ଼ଙ୍ଗୀ । ବିଜେପି ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ପଛରେ ପକାଇ ଦେଇଛନ୍ତି ପ୍ରତାପ । ଭଦ୍ରକ ଲୋକସଭା ଆସନକୁ ବିଜେଡି ହାତରୁ କାଢ଼ି ନେଇଯାଇଛି ବିଜେପି । ବିଜେପିର ଅଭିମନ୍ୟୁ ସେଠୀ ଏଥର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କୁ ପରାଜିତ କରିଛନ୍ତି ପ୍ରାୟ ୮୯ ହଜାର ଭୋଟ ବ୍ୟବଧାନରେ । ଲଗାତାର ୬ ଥର ବିଜୟ ପରେ ପରାଜୟ ସାମ୍ନା କରିଛି ବିଜେଡି ଭଦ୍ରକରେ । 

ମୟୂରଭଞ୍ଜ, କଳାହାଣ୍ଡି ଓ ବଲାଙ୍ଗୀରରେ ବିଜେପି ପୁଣି ଜିତିଛି । ବଲାଙ୍ଗୀରରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଜିତିଛନ୍ତି ପ୍ରାୟ ୧ ଲକ୍ଷ ୨୦ ହଜାର ଭୋଟରରୁ ବଡ଼ ବ୍ୟବଧାନରେ । କଂଗ୍ରେସ ଛାଡ଼ି ଆସିଥିବା ସୁରେନ୍ଦ୍ର ସିଂ ଭୋଇଙ୍କୁ ସଙ୍ଗୀତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ କରିଥିଲା, ମାତ୍ର ଏ ସମୀକରଣ କାଟୁ କଲାନି ବିଜେପି ଲହରରେ । କଳାହାଣ୍ଡିରେ ବିଜେପିର ମାଳବିକା ଦେବୀ ପ୍ରାୟ ୧ ଲକ୍ଷ ୩୩ ହଜାର ଓ ମୟୂରଞ୍ଜରେ ବିଜେପିର ନବଚରଣ ମାଝୀ ୨ ଲକ୍ଷ ୧୫ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ମୟୂରଭଞ୍ଜରେ ଭେଟେରାନ ସୁଦାମ ମାର୍ଣ୍ଡି ବି ବିଜେପିର ବିଜୟ ରଥକୁ ଅଟକାଇ ପାରିନାହାନ୍ତି । ଢେଙ୍କାନାଳରେ ବିଜେପିର ଭେଟେରାନ ରୁଦ୍ର ନାରାୟଣ ପାଣି ବିଜେଡି ଗଡ଼କୁ ଭାଙ୍ଗି ବିଜୟ ପତାକା ଉଡ଼ାଇଛନ୍ତି । ୨୦ ବର୍ଷ ପରେ ନବରଙ୍ଗପୁର ଲୋକସଭାରେ ବିଜେପି ବିଜୟୀ ହୋଇଛି । ବିଜେପିରୁ ବଳଭଦ୍ର ମାଝୀ ପ୍ରାୟ ୮୯ ହଜାର ଭୋଟ ବ୍ୟବଧାନରେ ବିଜେଡିର ଟାଣୁଆ ନେତା ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଛନ୍ତି । 

ବରଗଡ଼ରେ ପ୍ରଦୀପ ପୁରୋହିତ ଓ କେନ୍ଦୁଝରରେ ଅନନ୍ତ ନାଏକ ବିଜେପିର ବିଜୟ ବାନା ଉଡ଼ାଇଛନ୍ତି । ପ୍ରଦୀପ ପ୍ରାୟ ଅଢ଼େଇ ଲକ୍ଷ, ଅନନ୍ତ ୯୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡିଠାରୁ । ସନ୍ଧ୍ୟା ପର୍ଯ୍ୟନ୍ତ ଯାଜପୁର ଲୋକସଭା ଆସନରେ ବିଜେପିବିଜେଡି କଡ଼ା ସଂଘର୍ଷ ଜାରି ରହିଥିଲା । ଶେଷରେ ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ବିଜେଡିର ଶର୍ମିଷ୍ଠା ସେଠୀକୁ ପରାସ୍ତ କରି ପିନ୍ଧିଛନ୍ତି ବିଜୟ ମୁକୁଟ । ବିଜେପି ଲହର ଓ ବିଜେଡିର କଡ଼ା ଟକ୍କର ଭିତରେ କୋରାପୁଟରେ କମାଲ୍‌ ଦେଖାଇ ପୁଣି ଥରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ବିଜୟୀ ହୋଇଛନ୍ତି । ଏଥର ସପ୍ତଗିରିଙ୍କ ବିଜୟ ବ୍ୟବଧାନ ୧ ଲକ୍ଷ ୨୯ ହଜାରରୁ ଅଧିକ । ଗତ ଥର ବି ସପ୍ତଗିରିର ବିଜେଡିର କୌଶଲ୍ୟା ହିକକାଙ୍କୁ ପରାସ୍ତ କରିଥିଲେ । ଗତ ଥର ବିଜୟ ବ୍ୟବଧାନ ମାତ୍ର ୩ ହଜାର ଥିଲା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.