ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପାଣି ପାଇଁ ଲୋକେ ଡହଳବିକଳ, ଏଠି ଗାଡ଼ି ଧୁଆରେ ରାସ୍ତା ଭାସୁଛି

ଭୁବନେଶ୍ୱର, (ମନୋରଞ୍ଜନ ମହାନ୍ତି) ୨୨।୫: ପାନୀୟ ଜଳ ପାଇଁ ଲୋକେ ଡହଳବିକଳ । କିନ୍ତୁ ଗାଡ଼ି ଧୁଆରେ ରାସ୍ତା ଭାସୁଛି । ମନଇଚ୍ଛା ବ୍ୟବହାର, ଅପଚୟ ରୋକିବାକୁ କୌଣସି କଟକଣା ନାହିଁ । ଆଗକୁ ଭୟଙ୍କର ସ୍ଥିତି ଏବଂ ସାଂଘାତିକ ସଙ୍କଟ ନେଇ ସତର୍କ କରାଇଲେଣି ପରିବେଶ ବିଜ୍ଞାନୀ । ତଥାପି ଚେତା ପଶୁନି । ରାଜଧାନୀରେ ଛତୁ ଫୁଟିଲା ଭଳି ସର୍ଭିସିଂ ସେଣ୍ଟର । ସକାଳ ହେଲାବେଳକୁ ଗୋଟିଏ ନୂଆ ସେଣ୍ଟର । କାହାଠୁ ଅନୁମତି ଆଣିବାର ନାହିଁ, ତେଣୁ ଯିଏ ଯେଉଁଠି ପାରିଲେ ଖୋଲିଲେ । କେତେ ସେଣ୍ଟର ତା’ର ହିସାବ ନାହିଁ । ଦିନରାତି ଶହ ଶହ ଗାଡ଼ି ଧୁଆ ହେଉଛି । ମନଇଚ୍ଛା ପାଣି ସାରୁଛନ୍ତି । ତା’ର ବି ହିସାବ ନାହିଁ । କିନ୍ତୁ ପିଇବା ପାଣି ଟୋପାଏ ପାଇଁ ଲୋକେ ଏଠି ସଂଘର୍ଷ କରୁଛନ୍ତି । 

ଗତ ୧୩ ତାରିଖରେ ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା ଭୁବନେଶ୍ୱରର ୱାର୍ଡ ନଂ-୧୭ ବିଶେଶ୍ୱର ବସ୍ତିରେ । ୪ ଦିନ ଧରି ବସ୍ତିକୁ ପାଣି ଆସୁନଥିବାରୁ ଲୋକେ ପ୍ରଚଣ୍ଡ ଖରାରେ ନାଲ୍‌କୋ-ଆଚାର୍ଯ୍ୟ ବିହାର ରାସ୍ତା ବନ୍ଦ କରିଥିଲେ । ୱାଟ୍‌କୋ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ । ସମସ୍ୟା କିନ୍ତୁ ଏଠି ନାହିଁ । ପ୍ରଥମତଃ ପାନୀୟ ଉପଯୋଗୀ ଜଳ ଯୋଗାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ଠୁ ବେଶି ଜରୁରି ଜଳ ସଂରକ୍ଷଣ ଏବଂ ଅପଚୟକୁ ରୋକିବା । ସଂରକ୍ଷଣ ଦିଗରେ ସରକାର କିଛି ପଦକ୍ଷେପ ନେଇଥିଲେ ବି ଅପଚୟ କ୍ଷେତ୍ରରେ ଶୂନ । ବିଭିନ୍ନ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ଗୋଟିଏ ମଣିଷର ଦୈନନ୍ଦିନ ବ୍ୟବହାର ପାଇଁ ୧୦୦ରୁ ୧୫୦ ଲିଟର ପାଣି ଦରକାର । କିନ୍ତୁ ଏଠି ଗୋଟିଏ କାର୍‌ ଧୁଆ ହେଲେ ୧୦୦ରୁ ୧୩୦ ଲିଟର୍‌ ବେଶି ହେଲେ ୨୦୦ ଲିଟର ଆବଶ୍ୟକ ପଡ଼ୁଛି । ଖଣ୍ଡଗିରି ଅଞ୍ଚଳର ଜଣେ ସର୍ଭିସିଂ ସେଣ୍ଟର ମାଲିକ କହିଛନ୍ତି, ଗାଡ଼ିଧୁଆ ମେସିନ୍‌ ଏବଂ ପାଇପ୍‌ ଅନୁସାରେ ପାଣି ବ୍ୟବହାର ହୋଇଥାଏ । 

ସେମିତି ମାପ ତ କହି ହେବନି ତଥାପି ଆମର ଗୋଟିଏ ବାଇକ୍‌ ପାଇଁ ୨୫ରୁ ୩୦ ଲିଟର ଏବଂ କାର୍‌ ପାଇଁ ୫୦ରୁ ୬୦ ଲିଟର୍‌ ପାଣି ଦରକାର ହେଉଛି । ସେହିପରି ପାତ୍ରପଡ଼ା ଅଞ୍ଚଳର ଜଣେ ସର୍ଭିସିଂ ସେଣ୍ଟର ମାଲିକ କହିଛନ୍ତି, ବାଇକ୍‌ ପାଇଁ ୪୦-୫୦ ଲିଟର୍‌, କାର୍‌ ପାଇଁ ୧୦୦ରୁ ୧୩୦, ଅଧିକ ହେଲେ ୨୦୦ ଲିଟର, ବସ୍‌ ପାଇଁ ୫୦୦ ଲିଟର, ଟ୍ରାକ୍ଟର ପାଇଁ ୭୦୦ ଏବଂ ଟ୍ରକ୍‌ ପାଇଁ ୮୦୦ରୁ ୧୦୦୦ ଲିଟର ପାଣି ଦରକାର । ସର୍ଭିସିଂ ଚାର୍ଜ ୫୦ ଟଙ୍କାରୁ ଆରମ୍ଭ କରି ହଜାର ଦେଢ଼ ହଜାର ପର୍ଯ୍ୟନ୍ତ ରହିଛି । ଫୋମ୍‌, ଡିଜେଲ୍‌ ୱାସ୍‌ ସହ ଗାଡ଼ି ଭିତର, ବାହାରକୁ ନେଇ ବିଭିନ୍ନ ପ୍ରକାରର ସଫା ରହିଛି । ଏଥିପାଇଁ ନିଜସ୍ୱ ବୋରିଂ ସହ ସ୍ୱତନ୍ତ୍ର ପାଣି ଟାଙ୍କି ଓ ସମ୍ପ୍‌ ରହିଛି । ଗୋଟିଏ ଗାଡ଼ି ସଫା କରିବା ପାଇଁ ୧୫ରୁ ୪୦ ମିନିଟ୍‌ ଲାଗୁଛି । ପ୍ରତିଦିନ ୨୦ରୁ ୩୦ଟି ଗାଡ଼ି ଗୋଟିଏ ସର୍ଭିସିଂ ସେଣ୍ଟରରେ ସଫା ହେଉଛି । 

ଏହାଛଡ଼ା ରାସ୍ତାକଡ଼ରେ ଥିବା କିଛି ଛୋଟ ଦୋକାନୀ ସିଧା ସରକାରୀ ପାଣିକୁ ଟାଙ୍କିରେ ରଖି ବ୍ୟବହାର କରୁଛନ୍ତି । ଯେଉଁମାନଙ୍କ ଉପରେ କୌଣସି ଧରପଗଡ଼ ହେଉନାହିଁ । ଗତ ଏପ୍ରିଲ୍‌ ୯ ତାରିଖରେ ପିଇବା ପାଣି ନଷ୍ଟ କରିବା ଅଭିଯୋଗରେ ଇନ୍‌ଫୋସିଟି ଥାନା ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେମାନେ ଶିଖରଚଣ୍ଡୀ ମୁଖ୍ୟ ଫାଟକ ନିକଟରେ ଥିବା ଏକ ପିଇବା ପାଣି ଟାଙ୍କିର ସମସ୍ତ ଟ୍ୟାପ୍‌କୁ ଖୋଲି ଗାଡ଼ି ଧୋଇଥିଲେ । ଲୋକମାନେ ବିରୋଧ କରିବାକୁ ଆକ୍ରମଣ କରିଥିଲେ । ଶେଷରେ ଲୋକେ ଥାନାରେ ଅଭିଯୋଗ କରିଥିଲେ ଏବଂ ଦିନତମାମ ପିଇବା ପାଣି ପାଇନଥିଲେ । ଅନ୍ୟପକ୍ଷରେ ବହୁତ କମ୍‌ ପାଣି ଉପଯୋଗ କରି ବିଭିନ୍ନ କମ୍ପାନି ଘରକୁ ଆସି ଗାଡ଼ି ସଫା କରୁଛନ୍ତି । ୨ରୁ ୫ ଲିଟର୍‌ ପାଣିରେ ବାଇକ୍‌, କାର୍‌ ସବୁ ସଫା କରି ଦେଉଛନ୍ତି । ସେମାନେ ୩୦୦ରୁ ୫୦୦ ଟଙ୍କା ନେଉଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.