ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୌଦ୍ୱାର-କଟକ କଂଗ୍ରେସରେ ଏଥର ବି ନୂଆ ମୁହଁ, ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଦଳକୁ ମହଙ୍ଗା ପଡ଼ିବ !

କଟକ, ୧୪।୪: ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍‌) ପରଠାରୁ ଅର୍ଥାତ୍‌ ୨୦୦୯ରୁ ଚୌଦ୍ୱାର-କଟକ ବିଧାନସଭା ଆସନରେ କଂଗ୍ରେସ ଦଳ ପ୍ରତିଥର ନୂଆ ମୁହଁ ଦେଉଛି । ଏଥର ମଧ୍ୟ ଦଳ ନୂଆ ପ୍ରାର୍ଥୀ ଦେବ । ବିଜେଡି, ବିଜେପି ଏଠାରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ସନ୍ଧାନ ଏଯାବତ୍‌ ଜାରି ରହିଛି । ଦଳର ଦୁର୍ବଳ ସାଙ୍ଗଠନିକ ସ୍ଥିତିକୁ ଦେଖିଲେ, ଚୌଦ୍ୱାରକଟକ ଆସନ କଂଗ୍ରେସର ନୂଆ ପ୍ରାର୍ଥୀଙ୍କ ପାଇଁ ନିଶ୍ଚୟ ବଡ଼ ଚାଲେଞ୍ଜ୍‌ ହେବ । ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା, ଏଠାରେ କଂଗ୍ରେସ ନୂଆ ପ୍ରାର୍ଥୀ ଦେବା ପ୍ରାୟ ଚୂଡ଼ାନ୍ତ ଥିବାରୁ ବିଜେଡି ଏବଂ ବିଜେପିଠାରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବା କଥା । 

ମାତ୍ର, ଦଳ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବାରୁ ପୂର୍ବ ନିର୍ବାଚନ ପରି ଏଥର ବି ଦଳ ଅମାନତ ରକ୍ଷା ପାଇଁ ସଂଘର୍ଷ କରିପାରେ । ଚୌଦ୍ୱାର-କଟକ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ମୋଟ ୩୨ ଜଣ କଂଗ୍ରେସର ଟିକଟ ଆବେଦନ କରିଥିବା ସୂଚନା ମିଳିଛି । ତେବେ ଆବେଦନକାରୀଙ୍କ ମଧ୍ୟରେ ଜଣେ ହେଲେ ବି ପୁରୁଖା ଏବଂ ପୁରୁଣା ଚେହେରା ନାହାନ୍ତି । ଚୌଦ୍ୱାର-କଟକ ଆସନରୁ ଗତ ନିର୍ବାଚନରେ ଏବଂ ୨୦୦୯ରେ ସାବିତ୍ରୀ ଚୌଧୁରୀ ପ୍ରାର୍ଥୀ ଥିବା ବେଳେ ଦଳ ଅମାନତ ହରାଇଥିଲା । ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାତ୍ର ୮ହଜାର ୯୮୮ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିବା ବେଳେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ଅଚାଚକ ଉଭା ହୋଇଥିବା ଜଗଦୀଶ ମହାନ୍ତି ୪ର୍ଥ ସ୍ଥାନରେ ରହି ୬ହଜାର ୮୯୨ ଭୋଟ ବା ମାତ୍ର ୫% ଭୋଟ ପାଇଥିଲେ । ଏଥର ଜଗଦୀଶ ନିର୍ବାଚନ ପ୍ରସ୍ତୁତି ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପି ଦଳକୁ ଯାଇସାରିଛନ୍ତି । ୨୦୧୪ରେ ଲଢ଼ିଥିବା ବରିଷ୍ଠ କଂଗ୍ରେସ ନେତା ତଥା କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଏଥର ଏହି ଆସନରୁ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ କର୍ମୀ ଆଶା ବାନ୍ଧିଥିଲେ । କାରଣ ଏବେକାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଟିମ୍‌ରେ ସୁରେଶ ସକ୍ରିୟ ଥିବାରୁ ସେ ଟିକଟ୍‌ ହାତେଇ ଲଢ଼ିବେ ବୋଲି ଆଶା କରାଯାଉଥିଲା । 

ମାତ୍ର ସୁରେଶ ଉକ୍ତ ଆସନରୁ ବିଧାୟକ ଭାବେ ଲଢ଼ିବା ପାଇଁ ଆବେଦନ ନକରି କଟକ ଲୋକସଭା ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବାରୁ ନୂଆ ପ୍ରାର୍ଥୀ ଦେବା ଛଡ଼ା ଦଳ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ତେବେ ୩୨ ପ୍ରାର୍ଥୀ ଆବେଦନ କରିଥିଲେ ହେଁ, ଦଳରେ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଜୀନେଶ ଦାସ, ନିଆଳିର ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ୍‌ଙ୍କ ବୋହୂ ମୀରା ମଲ୍ଲିକ୍‌, ସିଏମ୍‌ସିର ଅଭିଜ୍ଞ କର୍ପୋରେଟର ସନ୍ତୋଷ ଭୋଳ, ଯୁବନେତା ବିପ୍ଲବ ଶିଳାଦିତ୍ୟ ପ୍ରମୁଖ ଚର୍ଚ୍ଚିତ ଚେହେରା ରେସ୍‌ରେ ଆଗରେ ରହିଛନ୍ତି । ନବାଗତ ପ୍ରାର୍ଥୀମାନେ ଟିକଟ୍‌ ପାଇବା ପାଇଁ କିଏ ଜିଲ୍ଲା ସଭାପତି ତ ଆଉ କିଏ ରାଜ୍ୟ ନେତାଙ୍କ ସହଯୋଗ ନେଉଛନ୍ତି । ଆଉ କିଛି ପ୍ରାର୍ଥୀ ସିଧାସଳଖ ଏଆଇସିସି ନେତାଙ୍କ ପାଖରେ ଲବି କରି ମଧ୍ୟ ଫେରିଛନ୍ତି । ଏସବୁ ଲବି ମଧ୍ୟରେ ପିସିସିରୁ ଦୁଇଟି ନାଁ ସିଇସିକୁ ଯାଇଥିବା ସୂଚନା ମିଳିଛି । 

ଜୀନେଶ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଉକ୍ତ ଆସନରୁ ଲଢ଼ିଥିଲେ ହେଁ ଭୋଟ ହାର ଅତି ନୈରାଶ୍ୟଜନକ ଥିଲା । ତେବେ ଏଥର ତାଙ୍କୁ ଦଳ ପ୍ରାର୍ଥୀ କଲେ ସେ ପୂର୍ବ ଅଭିଜ୍ଞତାକୁ ଆଧାର କରି ଭୋଟରଙ୍କ ନିକଟତର ହୋଇପାରିବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ କର୍ପୋରେଟର ସନ୍ତୋଷ ଭୋଳ ଏବଂ ଯୁବ ନେତା ବିପ୍ଲବ ଶିଳାଦିତ୍ୟ ମଧ୍ୟ ଯୁବ ସଂଗଠନକୁ ନେଇ ଭୋଟରଙ୍କୁ ନିଜ ଆଡ଼କୁ ଟାଣିପାରିବେ ବୋଲି ଉଭୟଙ୍କ ସମର୍ଥକ କହୁଛନ୍ତି । ବିଜେଡି ପ୍ରାର୍ଥୀ ଯୁବ ବିଧାୟକ ସୌଭିକ୍‌ ବିଶ୍ୱାଳ ଏବଂ ବିଜେପି ପ୍ରାର୍ଥୀ ଅଭିଜ୍ଞ ନୟନ କିଶୋର ମହାନ୍ତିଙ୍କ ସହ କଂଗ୍ରେସର ନବାଗତ ପ୍ରାର୍ଥୀଙ୍କ ଲଢ଼େଇ କିନ୍ତୁ ନିଶ୍ଚିତ ଚାଲେଞ୍ଜିଂ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.