ନୂଆଦିଲ୍ଲୀ ୧୪/୧୧: ମହାନ୍ ସ୍ୱାଧୀନତାସଂଗ୍ରାମୀ, ପ୍ରଖ୍ୟାତ ରାଜନୀତିଜ୍ଞ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ । ନେହରୁ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା କରୁଥିଲେ । ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉନ୍ନତି ଲାଗି ସବୁବେଳେ ଚିନ୍ତା କରୁଥିଲେ ।
ସେ କହୁଥିଲେ, ପିଲାମାନେ ହିଁ କୌଣସି ଦେଶର ଭିତ୍ତିଭୂମି । ସେମାନଙ୍କର ଭବିଷ୍ୟତ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ । ତେଣୁ ପିଲାଙ୍କୁ ସବୁଠୁ ଅଧିକ ଗୁରୁତ୍ୱ ମିଳିବା ଆବଶ୍ୟକ । ସେହିଭଳି ସେମାନଙ୍କୁ ଅନୁଶାସନ, ସ୍ୱଚ୍ଛତା ଭଳି ମୂଲ୍ୟବୋଧ ସଂପର୍କରେ ଶିକ୍ଷା ଦିଆଯିବା ଦରକାର । ଏହି ମୂଲ୍ୟବୋଧ ପିଲାମାନଙ୍କୁ ଭଲ ନାଗରିକ କରିବ ବୋଲି ନେହରୁ ଗୁରୁତ୍ୱାରୋପ କରୁଥିଲେ ।ଏଭଳିସ୍ଥିତିରେ ୧୯୬୪ ମସିହାରେ ନେହରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁମାନଙ୍କୁ ସମର୍ପଣ କରାଯିବାକୁ ନିଷ୍ପତ୍ତି ନିଆଗଲା । ଏ ସଂପର୍କରେ ସଂସଦରେ ବି ଏକ ପ୍ରସ୍ତାବ ପାରିତ ହୋଇଥିଲା ।
ପ୍ରଥମ ଥର ଲାଗି ୧୯୬୫ ମସିହାରେ ଶିଶୁଦିବସ ପାଳନ କରାଯାଇଥିଲା । ତା’ ପରଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି । ଏହି ଅବସରରେ ସ୍କୁଲ, କଲେଜ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥାଏ ।