କଟକ ୦୪/୦୩: କଟକ-ବାରବାଟୀ ବିଧାୟକଙ୍କୁ ଝଟକା।କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମ୍ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ମାନ୍ୟବର ହାଇକୋର୍ଟ। ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ କରାଯାଇଛି।ଏହି ରାୟ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ଯାଇଛି।
ପ୍ରାର୍ଥୀପତ୍ର ଦାଖଲ ବେଳେ ବିଧାୟକ ମହମ୍ମଦ ମୋକିମ୍ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି। ବିଶେଷ କରି ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ବାବଦୀୟ ସମ୍ପୂର୍ଣ୍ଣ ତଥ୍ୟ ସେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାଖଲ କରିନଥିଲେ। ସେ ସବୁକୁ ସଠିକ ଭାବେ ରିଟର୍ଣ୍ଣିଂ ଅଫିସର ଯାଞ୍ଚ କରିନଥିବା ମଧ୍ୟ ପ୍ରମାଣିତ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ।
ସୂଚନା ଥାଉକି, କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । କେବଳ ସେତିକି ନୁହେଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ ଗତ କିଛି ଦିନ ଧରି ଏକ ମାମଲା ବିଚାରାଧୀନ ଥିଲା ।
ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ଫଳରେ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ମାନ୍ୟବର ହାଇକୋର୍ଟ ମହମ୍ମଦ ମୋକିମ୍ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।