ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଚେତନତା ଓ ବନ ବିଭାଗର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଚଳିତ ବର୍ଷ ହ୍ରାସ ପାଇଛି ଜଙ୍ଗଲ ପୋଡ଼ି

ଦାରିଙ୍ଗବାଡି,୧୭/୪ : ଗ୍ରୀଷ୍ମ ଋତୁ ଆସିଗଲେ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଯାଏ । ଫଳରେ ୩ ମାସ ବନ ବିଭାଗର ନିଦ ହଜିଯାଏ । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ କର୍ମଚାରୀ ଦିନ ରାତି ଏକ କରି ଜଙ୍ଗଲ ମଧ୍ୟରେ ୨୪ ଘଣ୍ଟିଆ ପଇଁନ୍ତରା ମାରିଥାନ୍ତି । ଜଙ୍ଗଲରେ ନିଆଁ ଲାଗିଗଲେ ଦିନ ହେଉ ଅବା ରାତି ନିଆଁ ଲିଭାଇବା ପାଇଁ ପଛଘୁଂଚା ଦିଅନ୍ତିନି କର୍ମଚାରୀ । ଏଭଳି କିଛି ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ ବନାଞ୍ଚଳ ଓ ଦାରିଙ୍ଗବାଡି ବନାଞ୍ଚଳ ଅଞ୍ଚଳ ମଧ୍ୟରେ  ।   ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନରେ ୮ଟି ପଞ୍ଚାୟତ ରହିଛି । ଯୁଆଡ଼େ ଦେଖିବ ପାହାଡ଼ ପର୍ବତ ଘେରା ଅଞ୍ଚଳ । 

ଗ୍ରୀଷ୍ମ ଋତୁ ଆସିଗଲେ ଜଙ୍ଗଲରେ ନିଆଁ ଲାଗିବା ଭୟ ରହିଥାଏ । ଏହା ପୂର୍ବରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତତ୍ତ୍ବାବଧାନ କ୍ରମେ ବିଭିନ୍ନ ଗାଁରେ ଜଙ୍ଗଲ ପୋଡି ରୋକିବା ପାଇଁ ପଥପ୍ରାନ୍ତ ନାଟକ, ସଚେତନତା କାର୍ଯ୍ୟକ୍ରମ, ଭ୍ରାମ୍ୟମାଣ ସଚେତନ ରଥ ପରିକ୍ରମା ସହ ବନ ସୁରକ୍ଷା ସମିତି କମିଟିର ସଦସ୍ୟଙ୍କୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଏଥି ସହିତ ନିଆଁକୁ ଆୟତ୍ତ କରିବା ପାଇଁ ୨୫ଜଣିଆ ଫାୟାର ସ୍କ୍ୱାର୍ଡ ଓ ୮ ଜଣ ବନ ବିଭାଗ କର୍ମଚାରୀମାନେ ପ୍ରସ୍ତୁତ ହୋଇରହିଥାନ୍ତି । ଯେତେବେଳେ ବି ଜଙ୍ଗଲରେ ନିଆଁ ଲାଗିବା ନେଇ ସୂଚନା ଆସେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରନ୍ତି ଟିମ୍ । 

ସେହିପରି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୀନରେ ୧୭ଟି ପଞ୍ଚାୟତ ରହିଥିବାବେଳେ ଏଠି ବି ସବୁ ଆଡ଼େ ପାହାଡ଼ ପର୍ବତ ଘେରା ଅଞ୍ଚଳ ରହିଛି । ନିଆଁକୁ ଆୟତ୍ତ କରିବା ପାଇଁ  ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ତଥା ଏସିଏଫ ସତିଶ୍ କୁମାର ଧାରୁଆଙ୍କ ତତ୍ତ୍ବାବଧାନ କ୍ରମେ ଜଙ୍ଗଲରେ ନିଆଁ ନଲଗାଇବା ଓ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଗାଁ ଗାଁରେ ସଚେତନତା ସଭା କରାଯାଉଛି । ଏଥିସହିତ ନିଆଁ ଲିଭାଇବା ପାଇଁ ୩୦ଜଣିଆ ଫାୟାର ସ୍କ୍ୱାର୍ଡ ଓ ୯ ଜଣ ବନ ବିଭାଗ କର୍ମଚାରୀ ସଜାଗ ହୋଇ ରହିଛନ୍ତି । ନିଆଁ ଲାଗିଥିବା ଅଞ୍ଚଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରୁଛନ୍ତି । ସଚେତନତା ଫଳରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ହ୍ରାସ ପାଇଥିବା ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡି ବନାଞ୍ଚକ ଅଧିକାରୀ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.