ମହାବିରୋଡ଼, ୦୭/୦୮ : ଅସନ୍ତୁଳନ ପରିବେଶ ଓ ପ୍ରାକୃତିକ ଜୈବ ବିବିଧତା କ୍ଷୟ ପାଇଁ ଏବେ ଗେଣ୍ଡାଳିଆ ପକ୍ଷୀ ବିଲୁପ୍ତ ପ୍ରାୟ । କିଛି ବର୍ଷ ପୂର୍ବେ ଗାଁ ଗହଳି ଓ ବିଲବାହାଳରେ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଅ ଦେଖାଯାଉଥିଲେ, ମାତ୍ର ଏବେ ଆଉ ଦେଖିବାକୁ ମିଳୁନି । କିଛି କିଛି ସ୍ଥାନରେ କାଁ ଭାଁ କେଉଁଠି ଗେଣ୍ଡାଳିଆ ପକ୍ଷୀ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ କଙ୍କଡ଼ାହାଡ଼ ବ୍ଲକ୍ର ଗଡ଼ପଳାଶୁଣି ଗାଁ ଗେଣ୍ଡାଳିଆଙ୍କ ଅନ୍ତୁଡ଼ିଶାଳ ପାଲଟିଛି । ଦୀର୍ଘ ବର୍ଷ ହେଲା ଗେଣ୍ଡାଳିଆ ଗଡ଼ପଳାଶୁଣିକୁ ନିରାପଦ ଆଶ୍ରୟ ସ୍ଥଳ ବାଛିଛନ୍ତି । ହଜାର ହଜାର ସଂଖ୍ୟାର ଗେଣ୍ଡାଳିଆ ପ୍ରତି ବର୍ଷ ବର୍ଷା ଋତୁରେ ଆସି ବିଭିନ୍ନ ଗଛରେ ବସା ବାନ୍ଧିଥାନ୍ତି । ଅଣ୍ଡାଦେଇ ଛୁଆ ଫୁଟାଇ ବଡ଼ କରିବା ପରେ ସେମାନଙ୍କୁ ସାଥିରେ ନେଇ ଫେରନ୍ତି । ଗେଣ୍ଡାଳିଆଙ୍କ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ । କେହି ଶିକାର କଲେ ୫ ହଜାର ଜରିମାନା ଦେବାକୁ ଧାର୍ଯ୍ୟ ହୋଇଛି । ଗ୍ରାମବାସୀ ଓ ଗେଣ୍ଡିଆଳଙ୍କ ମଧ୍ୟରେ ଏଭଳି ନିଆରା ପ୍ରେମ ଗଡ଼ପଳାଶୁଣି ଗାଁକୁ ସ୍ୱତନ୍ତ୍ର ପରିଚୟ ଦେଇଛି ।
ପ୍ରତିବର୍ଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ଗଡ଼ପଳାଶୁଣି ଗାଁକୁ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହୋଇଥାଏ । ସୁଦୂର ସାଇବେରିଆ ଅଞ୍ଚଳରୁ ହଜାର ହଜାର ଗେଣ୍ଡାଳିଆ ଦଳ ଦଳ ହୋଇ ଆସି ବିଭିନ୍ନ ଗଛରେ ବସା ବାନ୍ଧିଥାନ୍ତି । ଚଳିତ ବର୍ଷ ଗାଁ ଶିବମନ୍ଦିର ପାଖରେ ଥିବା ଆମ୍ବତୋଟା, ଗାଁମୁଣ୍ଡରେ ଥିବା ବିଶାଳ ତେନ୍ତୁଳି ଗଛ ଆଦି ସହ ଅନ୍ୟା ଗଛ ଗୁଡ଼ିକରେ ବସା ବାନ୍ଧିଛନ୍ତି ୧୦ ହଜାରରୁ ଊଦ୍ଧ୍ୱର୍ ଗେଣ୍ଡାଳିଆ ପକ୍ଷୀ । ଗେଣ୍ଡାଳିଆଙ୍କ କଳରବରେ ଗାଁ ଫାଟି ପଡ଼ୁଛି । ଗେଣ୍ଡାଳିଆଙ୍କ ଆଗମନ ଯୋଗୁଁ ଚାଷ କାର୍ଯ୍ୟ ଭଲ ହେଉଥିବା ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । ଗେଣ୍ଡାଳିଆ ଚାଷଜମିରୁ ପୋକଜୋକ ଆଦି ଖାଇ ଫସଲକୁ ସୁରକ୍ଷା ଦେଇଥାନ୍ତି । ଗେଣ୍ଡାଳିଆଙ୍କୁ ସୁରକ୍ଷା ଦେବାକୁ ପୁରା ଗ୍ରାମବାସୀ ଲାଗିପଡ଼ିଥାନ୍ତି । କେହି ଯେପରି ଶିକାର ନକରନ୍ତି ସେଥିପାଇଁ ଗ୍ରାମବାସୀ ନିଘା ରଖିଥାନ୍ତି । ଶିକାର କଲେ କି ଗେଣ୍ଡାଳିଆଙ୍କୁ କ୍ଷତି ପହଞ୍ଚାଇଲେ ୫ ହଜାର ଟଙ୍କା ଜରିମାନା ଦେବା ନିୟମ ରହିଛି ।
ଏଠାରେ ଗେଣ୍ଡାଳିଆ ପ୍ରାୟ ୫ମାସ ପର୍ଯ୍ୟନ୍ତ ରହି ଅଣ୍ଡା ଦେବା ସହ ଛୁଆ ଫୁଟାଇଥାନ୍ତି । ଛୁଆ ଉଡ଼ି ଶିଖିବା ପରେ ସେମାନଙ୍କୁ ଧରି ପୁଣି ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ଗ୍ରାମବାସୀ ଓ ଗେଣ୍ଡାଳିଆଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ଦୀର୍ଘବର୍ଷ ଧରି ରହି ଆସିଛି । ଆଖପାଖ ଅନ୍ୟ କୌଣସି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିବାକୁ ମିଳୁନଥିବା ବେଳେ ଗଡ଼ପଳାଶୁଣି ଗାଁ ଗେଣ୍ଡାଳିଆ ପକ୍ଷୀଙ୍କ ଅନ୍ତୁଡ଼ିଶାଳ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଏ ସମ୍ପର୍କରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ବେହେରା କହିଛନ୍ତି, ମୌସୁମୀ ଆଗମନ ପରେ ଗଡ଼ପଳାଶୁଣି ଗାଁକୁ ଛୁଟି ଆସନ୍ତି ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ । ଦୀର୍ଘ ବର୍ଷ ଧରି ଗେଣ୍ଡାଳିଆ ଗାଁକୁ ଆସୁଛନ୍ତି । ଗେଣ୍ଡାଳିଆ ଆସିଲେ ଉତ୍ତମ ବୃଷ୍ଟି ହେବା ସହ ଭଲ ଫସଲ ହେବ ବୋଲି ଚାଷୀମାନେ ବିଶ୍ୱାସ କରନ୍ତି । ସେମାନଙ୍କ ଆଗମନକୁ ଗାଁ ଲୋକେ ତଥା ଚାଷୀମାନେ ଚାହିଁ ବସିଥାନ୍ତି । ଅତିଥି ସତ୍କାର କରିବା ଭଳି ପକ୍ଷୀଙ୍କୁ ସୁରକ୍ଷା ଦେବା ସହ ସେମାନେ ଫେରିବା ଯାଏ ସମସ୍ତ କଥାକୁ ଗୁରୁତ୍ୱ ଦେଇ ବୁଝିଥାନ୍ତି ଗ୍ରାମବାସୀ । ଏହା ଗାଁକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଶ୍ରୀ ବେହେରା କହିଛନ୍ତି ।
ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ ଚନ୍ଦ୍ର କିଷାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଗଡ଼ପଳାଶୁଣିକୁ ଗେଣ୍ଡାଳିଆ ପକ୍ଷୀ ସାଇବେରିଆ ଅଞ୍ଚଳରୁ ଆସି ଏଠାରେ କିଛିମାସ ରହି ଛୁଆ ଫୁଟାଇ ଫେରିଥାନ୍ତି । ଗ୍ରାମବାସୀ ସେମାନଙ୍କ ସୁରକ୍ଷା କରିଥାନ୍ତି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ମଧ୍ୟ ପକ୍ଷୀ ଶିକାର ନକରିବାକୁ ସଚେତନ କରାଯାଉଛି । ଯେଉଁମାନେ ପକ୍ଷୀ ଶିକାର କରିବେ ବନ୍ୟପ୍ରାଣୀ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚେତନ କରାଯାଉଥିବା ଶ୍ରୀ କିଷାନ କହିଛନ୍ତ