ଭୁବନେଶ୍ୱର, ୪।୯: ବାପୁଜୀନଗର ମାର୍କେଟ ମୁଖ୍ୟ ରାସ୍ତାରେ ଅଳିଆ ପାହଡ଼ ଠିଆହୋଇଛି । ସନ୍ଧ୍ୟା ହେଲେ ରାସ୍ତାରେ ଟ୍ରାଫିକ୍ ଜାମ ହୋଇଯାଉଛି । ୫ ଦିନ ହେଲା ଅଳିଆ ପଡିଥିଲେ ମଧ୍ୟ ବିଏମ୍ସିର ନଜର ପଡୁନି । ବାପୁଜୀନଗର ମାର୍କେଟର ମୁଖ୍ୟ ରାସ୍ତାରେ କନ୍ଜରଭେନ୍ସି ଲେନ୍ ସଫା କର ଅଳିଆ ଗଦା କରାଯାଇଛି । ପୁରା ରାସ୍ତାକୁ ବ୍ୟାପୀ ଅଳିଆ ପଡ଼ିଛି । ଅଳିଆ ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ହୋଇପାରୁନି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ଲାଗୁଛି । ଲେକେ ଅଣନିଃଶ୍ୱାସୀ ହୋଇଗଲେଣି । ହାଟ ମଝିରେ ଅଳିଆ ଗଦା କରିଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି । ଫଳରେ ଲୋକେ ନାକରେ ହାତ ଦେଇ ଯିବାଆସିବା କରୁଛନ୍ତି । ଏନେଇ ସ୍ଥାନୀୟ ଦୋକାନୀ ଅଭିଯୋଗ କଲେ ମଧ୍ୟ ବିଏମ୍ସି ଶୁଣୁନି । ହାଟ ମଝିରୁ ଅଳିଆ ସଫା ହୋଇ ପାରୁନି । ଅଶୋକନଗରରେ ମଧ୍ୟ ସମାନ ଅବସ୍ଥା ।
ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଅଳିଆ ପଡି ରହୁଛି । ବିଏମ୍ସି ଠିକ୍ ଢଙ୍ଗରେ ସଫା କରୁନି । ଅଳିଆକୁ ଗଦା କରି ରଖାଯାଉଛି । ଉଠାଇବାକୁ ଭୁଲି ଯାଉଛି । ସେହିପରି ମାଷ୍ଟରକ୍ୟାଣ୍ଟିନ୍ରୁ ବିଗ ବଜାର ଛକ, ଏହାର ପଛପଟ ଲେନ୍ ଅବସ୍ଥା ନ କହିଲେ ଭଲ । ସବୁଠି କୁଢ କୁଢ ଅଳିଆ । ସ୍ଥାନୀୟ ଲୋକଙ୍କ କହିବା କଥା, ଲେନ୍ ସଫା କରିବା ପରେ ଅଳିଆ ଗୋଟିଏ ଜାଗାରେ ଗଦା କରୁଛନ୍ତି । ହେଲେ ଏହି ଅଳିଆ ଦୁଇରୁ ୩ ଦିନ ପର୍ଯ୍ୟନ୍ତ ପଡିରହୁଛି । ଫଳରେ ଦୁର୍ଗନ୍ଧରେ ସାରା ଅଞ୍ଚଳ ଫାଟୁଛି । ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ବିଏମ୍ସି ପକ୍ଷରୁ ଆବର୍ଜନା ସଂଗ୍ରହ କରାଯାଉଥିଲା । ହେଲେ କିଛିଦିନ ହେଲା ଅଳିଆ ଠିକ୍ ଭାବରେ ଉଠାଯାଉନି ।
ସାନିଟାରୀ ଇନ୍ସପେକ୍ଟରଙ୍କୁ ଅଭିଯୋଗ କଲେ ସେ ଶୁଣୁନାହାନ୍ତି । ବିଗ୍ବଜାରରୁ ବାପୁଜୀନଗର ପର୍ଯ୍ୟନ୍ତ ପ୍ରାୟ ୨ ହଜାରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ତାହା ପୁଣି ବଡ ବଡ । ଏହି ବ୍ୟାବସାୟିକ ପ୍ରତିଷ୍ଠାନରୁ ୟୁଜର ଫି ଓ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରାଯାଉଛି । ହେଲେ ଠିକ୍ ଢଙ୍ଗରେ ସଫେଇ କରାଯାଉନି । ଲୋକଙ୍କୁ ସେବା ଦେବାରେ ବିଏମ୍ସି ବିଫଳ ହୋଇଛି । ପୂର୍ବରୁ ବିଏମ୍ସି ଠିକ୍ ଭାବେ ସଫା କରୁଥିଲା । ହେଲେ ନୂଆ କମିଶନର ଆସିବା ପରେ କାମ ଧିମେଇଯାଇଛି । ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, କନ୍ଜରଭେନ୍ସି ଲେନ୍ କାମ ପାଇଁ ଅଳିଆ ସଫା କରାଯାଇଥିଲା । ସେହି ଅଳିଆ ରାସ୍ତାରେ ପଡି ରହିଛି । ତୁରନ୍ତ ଅଳିଆ ଉଠାଯିବ ।